କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର: କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି କଟକର ପୂର୍ବକଚ୍ଛସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ପୋଷଣ ମାସ ୨୦୨୬’ ଏବଂ ‘ସ୍ୱଚ୍ଛତା ହିଁ ସେବା ୨୦୨୬’  ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଷଣ, ସୁସ୍ଥ ଜୀବନଶୈଳୀ, ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଏବଂ ସାମୂହିକ ଭାଗୀଦାରୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ମହିଳା, ଯୁବବର୍ଗ ଏବଂ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

ଏହି ସମାବେଶକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରି ସମାଜସେବୀ ଗୋଲକ ମହାପାତ୍ର କହିଥିଲେ, ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନ ପାଇଁ ସାମୂହିକ ଦାୟିତ୍ୱର ଆବଶ୍ୟକତା ରହିଛି। ପୋଷଣ ଏବଂ ସ୍ୱଚ୍ଛତା ସମ୍ପର୍କିତ ସଚେତନତାକୁ ପ୍ରତିଦିନର ସ୍ଥାୟୀ ଅଭ୍ୟାସରେ ପରିଣତ କରିବାରେ ପରିବାର, ବିଦ୍ୟାଳୟ ଏବଂ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଥିଲେ।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସୌଦାମିନୀ ପଣ୍ଡା କହିଥିଲେ ଯେ ଶିଶୁମାନଙ୍କୁ ସଠିକ୍ ପୋଷଣ ଯୋଗାଇଦେବା ସମସ୍ତଙ୍କ ପାଇଁ ଏକ ଦାୟିତ୍ୱ ହେବା ଆବଶ୍ୟକ। ଏହା କେବଳ ମା’ର ଏକାକୀ କର୍ତ୍ତବ୍ୟ ନୁହେଁ, ଶିଶୁର ପୋଷଣ, ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀନ ବିକାଶରେ ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁର ପୋଷଣ ଓ ବିକାଶ ଯାତ୍ରାରେ ବାପାମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ଅଙ୍ଗନବାଡ଼ି ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

ସେ ପର୍ଯ୍ୟାପ୍ତ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ସୁସ୍ଥ ସ୍ନେହସାର, ଭିଟାମିନ୍ ଏବଂ ଖଣିଜ ଲବଣ ଯୁକ୍ତ ସୁଷମ ଆହାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଶିଶୁମାନଙ୍କର ପୋଷଣ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା ପାଇଁ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୌଷ୍ଟିକ ଖାଦ୍ୟର ଅଧିକ ବ୍ୟବହାର କରିବାକୁ ସେ ପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ।

ଡାକ୍ତର ଏସ. ଏନ୍. ପରିଡ଼ା ସୁସ୍ଥତା ବଜାୟ ରଖିବା ପାଇଁ ସୁଷମ ପୋଷଣ, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସୁସ୍ଥ ଦୈନନ୍ଦିନ ଅଭ୍ୟାସର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଶୈଶବ ଅବସ୍ଥାରେ ପର୍ଯ୍ୟାପ୍ତ ପୋଷଣ ଶାରୀରିକ ବୃଦ୍ଧି ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ଏକାନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଚ୍ଛ ଗ୍ରାମ ପଞ୍ଚାୟତର ସରପଞ୍ଚ ସଞ୍ଜୟ ବେହୁରା; ଶିକ୍ଷାବିତ୍ ତଥା କଟକର ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଶ୍ରୀ ତ୍ରିଦିବ ବେହେରା; ଏସଏସଭିଏମର ପ୍ରଧାନାଚାର୍ଯ୍ୟ; ଏବଂ ବିଶିଷ୍ଟ ଲେଖକ ଡାକ୍ତର ବିଜୟାନନ୍ଦ ସିଂହ ପ୍ରମୁଖ ଯୋଗ ଦେଇ  ଉପସ୍ଥିତ ଜନତାଙ୍କୁ ଉତ୍ସାହିତ କରିଥିଲେ।

ପୋଷଣ ଓ ସ୍ୱଚ୍ଛତା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ଏବଂ ସ୍ଲୋଗାନ୍ ଲେଖା ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଏବଂ କାର୍ଯ୍ୟକ୍ରମ ସମୟରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘ସ୍ୱଚ୍ଛତା ହିଁ ସେବା ୨୦୨୬’ କାର୍ଯ୍ୟକ୍ରମ ଅଧିନରେ ପୂର୍ବକଚ୍ଛର ଛାତ୍ରଛାତ୍ରୀ, ମହିଳା, ଯୁବବର୍ଗ ଏବଂ ସ୍ଥାନୀୟ ଅଧିବାସୀଙ୍କ ଅଂଶଗ୍ରହଣରେ ଏକ ସଫେଇ ଅଭିଯାନ ପରିଚାଳିତ ହୋଇଥିଲା। ସିବିସି ପଞ୍ଜୀକୃତ କଳାକାର ମାନେ ଲୋକକଳା ପରିବେଷଣ ମାଧ୍ୟମରେ ସ୍ୱଚ୍ଛତା, ପରିମଳ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ବାର୍ତ୍ତା ପ୍ରସାରିତ କରିଥିଲେ।

ସିବିସି ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ତେନ୍ତୋଳ ଏବଂ ବହୁଗ୍ରାମ ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀଙ୍କଦ୍ୱାରା ସ୍ଥାନୀୟ ସ୍ତରରେ ଉପଲବ୍ଧ ପୌଷ୍ଟିକ ଖାଦ୍ୟ ବିକଳ୍ପଗୁଡ଼ିକୁ ପ୍ରଦର୍ଶିତ କରି ଏକ ପୌଷ୍ଟିକ ବ୍ୟଞ୍ଜନ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.