ଗଜପତି,୨୫.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଦାର୍ଶନିକ ତଥା ‘ଏକାତ୍ମ ମାନବବାଦ’ର ପ୍ରବକ୍ତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ଦୋଳ ବନ୍ଧ ରୋଡ୍ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ ଉପସଭାପତି ଶ୍ରୀ କେ. ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ଇ. ପ୍ରଶାନ୍ତଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି, ବରିଷ୍ଠ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରା ଓ ଆଦର୍ଶକୁ ସ୍ମରଣ କରାଯାଇଥିଲା। ବିଶେଷକରି ସମାଜରେ ଅବହେଳିତ ଜନସାଧାରଣଙ୍କର ଉନ୍ନତି ତଥା ‘ଅନ୍ତ୍ୟୋଦୟ’ ଚିନ୍ତାଧାରା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।