ହେମନ୍ତ ସୋରେନ ଗିରଫ, ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି

ରାଞ୍ଚି : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି । ଜମି ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ହେମନ୍ତ ସୋରେନ୍ ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଥିଲେ । ତାଙ୍କ ବଦଳରେ ଚମ୍ପଇ ସୋରେନ୍ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । ଚମ୍ପଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ବାଢିଛନ୍ତି । ସେ ୪୩ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ଇସ୍ତଫା ଦେବା ପରେ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ପ୍ରାୟ ୬ ଘଣ୍ଟାର ପଚରାଉଚରା ପରେ ହେମନ୍ତ ସିଧା ରାଜଭବନରେ ପହଞ୍ଚିଥିଲେ । କାଳେ ପୁଣି ହେମନ୍ତ କେଉଁଆଡେ ଗାଏବ ହୋଇଯିବେ ସେଥିପାଇଁ ଇଡି ଟିମ୍ ମଧ୍ୟ ତାଙ୍କ ସହିତ ରାଜଭବନ ଯାଇଥିଲା । ସେଠାରେ ରାଜ୍ୟପାଳଙ୍କ ସହ ହେମନ୍ତଙ୍କ ଆଲୋଚନା ସମୟରେ ମଧ୍ୟ ବାହାରେ ଉପସ୍ଥିତ ଥିଲା ଇଡି ଟିମ୍ । ତାଙ୍କୁ ଇଡି ଗିରଫ କରିବା ନେଇ ପୂର୍ବାନୁମାନ କରାଯାଉଥିଲା । କାରଣ ପ୍ରାୟ ୬ ଘଣ୍ଟାର ପଚରାଉଚରାରେ ପ୍ରାୟ ୪୦ ପ୍ରଶ୍ନ ହେମନ୍ତଙ୍କୁ କରାଯାଇଥିଲା । କିନ୍ତୁ ହେମନ୍ତଙ୍କ ଉତ୍ତରରେ ପ୍ରାୟ ସନ୍ତୁଷ୍ଟ ନଥିଲା ଇଡି । ତେବେ ସେ ଇସ୍ତଫା ଦେବା ପରେ ତାଙ୍କୁ ଗିରଫ କରିଛି ଇଡି ।

Comments are closed.