ହଡପ କରିନେଲେ ଫନି ବାତ୍ୟା ସହାୟତା : ନସ୍କରପୁର ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ଭିଜିଲାନ୍ସ ଟିମର ତଦନ୍ତ

ବାଲେଶ୍ଵର :  ୨୧/୯  ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ନସ୍କରପୁର ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅନୁଦାନ ଅର୍ଥରାଶି ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ବୁଧବାର ଅପରାହ୍ନରେ ଜିଲ୍ଲା ଭିଜିଲାନ୍ସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଗତ ୨୦୧୯-୨୦ ମସିହା ଫନି ବାତ୍ୟାରେ ନସ୍କରପୁର ପ୍ରାଥମିକ ବିଦ୍ୟାଳୟରେ ବହୁ କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି ପାଇଁ ସରକାରଙ୍କ ପକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଅର୍ଥ ରାଶି ଯୋଗାଇ ଦିଆଯାଇଥିଲା। ମାତ୍ର ଉକ୍ତ ଅନୁଦାନ ଅର୍ଥରାଶିରେ ବିଦ୍ୟାଳୟରେ କୌଣସି କାର୍ଯ୍ୟ ନ କରି ପୂର୍ବରୁ ମୋ ସ୍କୁଲ ଅଭିଯାନରେ ହୋଇଥିବା କାର୍ଯ୍ୟ ଗୁଡ଼ିକୁ ଦର୍ଶାଇ ସରପଞ୍ଚ ଅଶୋକ ସାସମଲ,ବ୍ଲକ କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟ ଏବଂ ପୂର୍ବତନ ସହକାରୀ ଶିକ୍ଷକ ସଂଜୀବ କୁମାର ଜେନା ଚଞ୍ଚକତା ବିଲ କରିବା ସହିତ ବ୍ୟାଙ୍କ ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ତଥା ପଞ୍ଚାୟତ ବାସୀଙ୍କ ପକ୍ଷରୁ ବାଲେଶ୍ଵର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ୨୦ ଜୁଲାଇ ୨୦୨୨ ରେ ଅଭିଯୋଗ ହୋଇଥିଲା।

ପୂର୍ବରୁ ଏହି ବିଦ୍ୟାଳୟରେ ମୋଟ ସ୍କୁଲ ଅଭିଯାନ ଯୋଜନାରେ ୫ ଲକ୍ଷ ୫୦ ହଜାର ଟଙ୍କାର ନିର୍ମାଣ କାର୍ଯ୍ୟ ହୋଇଥିଲା। ତେବେ ଫନି ସହାୟତା ଅର୍ଥ ରାଶିରେ କୈାଣସି କାର୍ଯ୍ୟ ହୋଇନଥିଲା। ମାତ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ପରେ ନବ ନିର୍ବାଚିତ ସରପଞ୍ଚ ଅଶୋକ ସାସମଲ ଏବଂ କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟ ମିଳିତ ଭାବେ ବିଦ୍ୟାଳୟର ପୁରୁଣା କାର୍ଯ୍ୟକୁ ଫନି ସହାୟତା ଅର୍ଥରେ କାର୍ଯ୍ୟ ହୋଇଥିବା ଦର୍ଶାଇ ସମୁଦାୟ ଅର୍ଥ ହଡପ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ବାଲେଶ୍ଵର ଭିଜିଲାନ୍ସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଇନିସପେକ୍ଟର ଉଲ୍ଲୂପି ବେହେରା ସଦଳବଳେ ନସ୍କରପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ନଥିପତ୍ର ଯାଞ୍ଚ କରିଥିଲେ । ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରାଣୀ ଚାନ୍ଦ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିଲିମା ସାହୁଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା ବେଳେ ବିଦ୍ୟାଳୟରେ କେବଳ ଦେଢ଼ ଲକ୍ଷ ଟଙ୍କା ନୁହେଁ ମୋ ସ୍କୁଲ ଅଭିଯାନରେ ମିଳିଥିବା ଅର୍ଥରାଶି ୫ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ୟାଦେଶରେ ମଧ୍ୟ ଅର୍ଥ ହଡପ ହୋଇଥିବା ନେଇ ତଦନ୍ତ ବେଳେ ଭିଜିଲାନ୍ସ ଟିମ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି ।

ଫନି ବାତ୍ୟା ଅନୁଦାନ ଅର୍ଥରାଶିରେ ବିଦ୍ୟାଳୟରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ନଥିବା ବେଳେ ବର୍ତ୍ତମାନ ଉକ୍ତ ଅନୁଦାନ ଟଙ୍କା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସାହୁଙ୍କ ପାଖରେ ଅଛି ବୋଲି ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦ ପ୍ରକାଶ କରିଛନ୍ତି। ତେବେ ଏହି ତଦନ୍ତର ଫଳାଫଳ ସମ୍ପର୍କରେ ଭିଜିଲାନ୍ସ ଅଧିକାରିଣୀ କୈାଣସି ସୂଚନା ଦେଇନଥିବା ବେଳେ ରିପୋର୍ଟ ପ୍ରସ୍ତୁତି ପରେ ଏହି ଅର୍ଥ ହଡପ ଘଟଣାର ଅସଲ ଗୁମର ଖୋଲିବ ବୋଲି କୁହାଯାଇଛି। ଏହି ତଦନ୍ତ ବେଳେ ପଞ୍ଚାୟତବାସୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ରାଧାଗୋବିନ୍ଦ ପାତ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାରସ୍ୱତ ସାଧକ ସନ୍ତୋଷ କୁମାର ପାତ୍ର,ଯତୀନ୍ଦ୍ର ନାଥ ପାତ୍ର,ଅନନ୍ତ ବଲ୍ଲଭ ସାହୁ,ଦୀନକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.