ମୋହନା,୮.୭(ମନୋଜ ପାଢ଼ୀ)-:ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ 79 ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଛି । ସରକାରୀ ନିୟମାବଳୀ ଉଲଂଘନ କରି ସେମାନଙ୍କୁ ଏହି ହୋମ୍ରେ ଅସୁରକ୍ଷିତ ପରିବେଶରେ ରଖାଯାଉଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ସଂସ୍ଥା କତ୍ତୃପକ୍ଷ ତାହାକୁ ଗୁରୁତ୍ବ ଦେଇନଥିଲେ। ଫଳରେ, ଆଜି ମୋହନା ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଚକ୍ରଧର ପାଢୀଙ୍କ ଉପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ ଓ ପୁଲିସର ମିଳିତ ଟିମ୍ ଚଢ଼ଉ କରି ଅନ୍ତେବାସୀଙ୍କୁ ଉଦ୍ଧାର କରିବା ସହ ହୋମ୍କୁ ସିଲ୍ କରିଦିଆଯାଇଛି ।
ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ଆଗରେ ଉପସ୍ଥାପନ କରାଯାଇଛି ଏବଂ ସେମାନେ 71 ଜଣ ଶିଶୁଙ୍କୁ ସେମାନଙ୍କର ପିତାମାତାଙ୍କୁ ହସ୍ତାନ୍ତର କରଛନ୍ତି । ସେମାନଙ୍କ ମଧ୍ୟରୁ 52 ଜଣ ଶିଶୁ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଥିଲାବେଳେ ସମସ୍ତଙ୍କ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ହଷ୍ଟେଲର ବନ୍ଦୋବସ୍ତ କରିଛନ୍ତି । ଅନ୍ୟ ଶିଶୁମାନେ କିପରି ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ମୋହନ ବ୍ଲକ୍ ର ବି.ଇ.ଓ ଏବଂ ସମସ୍ତ ସି.ଆର୍.ସି.ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଚଢ଼ଉରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶାରଳା ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ ରାଇକା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅମିୟ ତ୍ରିପାଠୀ ଏବଂ ସଭ୍ୟ ପ୍ରେମାନନ୍ଦ ବେଉରା ଓ ସଭ୍ୟା ରିତା ଦାସ, ଅଡ଼ବା ଓ ମୋହନା ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀ, ୱାନଷ୍ଟପ ସେଣ୍ଟର ର କେନ୍ଦ୍ର ପରିଚାଳିକା ସୁନିତା ରଥ, ଡ଼େଷ୍ଟାର ହୋମ ଶିଶୁ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ ଶତପଥି ଏବଂ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର ସାମାଜିକ କର୍ମୀ ଅନିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।