କନ୍ଧମାଳ : କନ୍ଧମାଳ ଜିଲାରେ ଗତ ୫ଦିନ ହେଲା ଜଙ୍ଗଲ ଜଳୁଛି। ନିଆଁ ଆୟତ୍ତକୁ ଆସୁନାହିଁ। ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।ଭାରତ ବନ ବିଭାଗ ୱେବସାଇଟ୍ ଜଙ୍ଗଲରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛି। କନ୍ଧମାଳ ଜିଲାର ଘୁମୁସର ଉଦୟଗିରିର ଜଙ୍ଗଲ ଜଳି ଯାଇଛି। ନିଆଁର କରାଳ ରୂପ ଫଳରେ ଏହି ଜଙ୍ଗଲରେ ଥିବା କିଛି ବନ୍ୟପ୍ରାଣୀ ପ୍ରାଣ ବିକଳରେ ନିକଟ ଜଙ୍ଗଲକୁ ପଳାୟନ କରିଥିବା ବେଳେ କିଛି ଜୀବଜନ୍ତୁଙ୍କ ଅକାଳ ମୃତ୍ୟୁ ହେଉଛି। ଏଥିସହିତ ବାଲିଗୁଡ଼ା, ଫିରିଙ୍ଗିଆ ଏବଂ ଦାରିଙ୍ଗବାଡ଼ି ବ୍ଲକର ୯ରୁ ଅଧିକ ବିଟ୍ରେ ଜଙ୍ଗଲ ଜଳୁଛି। ମାଇଲ୍ ମାଇଲ୍ ଦୂର ଜଙ୍ଗଲ ଜଳି ପାଉଁଶ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଯାଇଛି।
ଗଛ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ, ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମ ସତ୍ତ୍ବେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ଅସାଧୁ ଲୋକ ଜାଣିଶୁଣି ରାସ୍ତାକଡରେ ଥିବା ସବୁଜ ସୁନ୍ଦର ଜଙ୍ଗଲକୁ ନିଆଁ ଲଗାଇ ନଷ୍ଟ କରୁଛନ୍ତି। ଆଉ କିଛି ଲୋକ କାଠ, ଅଙ୍ଗାର ସହ ବନ୍ୟଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି।
Comments are closed.