ବାଲେଶ୍ଵର,୨/୮(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଜନନେତା ସ୍ୱର୍ଗତଃ ଅରୁଣ ଦେ କେବଳ ଜଣେ ନେତା ନଥିଲେ ସିଏ ଗୋଟିଏ ଚଳନ୍ତି ଅନୁଷ୍ଠାନ ଥିଲେ। ସାଧାରଣ ମେହନତୀ ମଣିଷଙ୍କ ଠାରୁ ଆରମ୍ଭ କରି ସମାଜର ସବୁସ୍ତରର ଲୋକଙ୍କର ସେ ଥିଲେ ସାହା ଭରଷା। ସେ ପ୍ରକୃତ ଅର୍ଥରେ ଥିଲେ ଲୋକଙ୍କର ନେତା। ସେ ଏଭଳି ଜଣେ ଦୁଃସାହସିକ ନେତା ଥିଲେ ଯିଏ ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ସାହସର ସହିତ ପ୍ରଶ୍ନ ପଚାରି ପାରୁଥିଲେ ଏବଂ ସମାଧାନର ବାଟ ମଧ୍ୟ ବାହାର କରୁଥିଲେ ବୋଲି ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ-୨ ଠାରେ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସ୍ଵର୍ଗତ ଦେଙ୍କ ୫ମ ଶ୍ରାଦ୍ଧବାର୍ଷିକୀରେ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅରୁଣ ଦେ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ରଂଜନ ବାଗ ଅଧ୍ଯକ୍ଷତା କରି ସ୍ୱର୍ଗତ ଦେଙ୍କ ଜୀବନଚର୍ଯ୍ୟା ଓ ସଂଗ୍ରାମୀ ମନୋଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସ୍ୱର୍ଗତଃ ଦେଙ୍କ ତୈଳଚିତ୍ରରେ ସାମୂହିକ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ପ୍ରଦୀପ୍ତ ପଣ୍ଡା, ବାଲେଶ୍ଵର ପ୍ରାକ୍ତନ ବିଧାୟକ ସ୍ୱରୂପ ଦାସ, ପୂର୍ବତନ ନଗରପାଳ ତପନ ଚକ୍ରବର୍ତ୍ତୀ, ଉପନଗରପାଳ କୈଳାଶ ସେଠୀ, ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସଂଜୟ କୁମାର ଦାସ, ସଂଗ୍ରାମ କୁମାର ଦାସ, ପ୍ରାକ୍ତନ ଉପ ନଗରପାଳ ମନୋଜ କୁମାର ରାଉତ, ପେଟ୍ରୋଲ ପମ୍ପ ମାଲିକ ସଂଘର ସମ୍ପାଦକ ପ୍ରଦୀପ ଦାସ, ବରିଷ୍ଠ ଆଇନଜୀନୀ ପୁରୁଷୋତ୍ତମ ବିଶ୍ଵାଳ, ଓକିଲ ସଂଘର ସଭାପତି ମନୋଜ କୁମାର ନାୟକ, ଅରୁଣ ଜେନା, ରେମୁଣା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଗୋପିନାଥ ସେନାପତି, ନୀଳଗିରି ବ୍ଲକ ଅଧ୍ଯକ୍ଷା ଶୁଭଲକ୍ଷ୍ମୀ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇ ସ୍ୱର୍ଗତଃ ଅରୁଣ ଦେଙ୍କ ସ୍ମୃତିଚାରଣ କରିବା ସଂଗେ ସଂଗେ ତାଙ୍କ ଭଳି ସାହସିକତାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଆଜି ପୂର୍ବାହ୍ନରେ ସ୍ୱର୍ଗତଃ ଦେଙ୍କ ମଲ୍ଲିକାଶପୁରସ୍ଥିତ ବାସଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ ପିତା ଗଡ଼ଜାତ ଆନ୍ଦୋଳନର ନେତା ସ୍ୱର୍ଗତଃ ଗୋଲକନାଥ ଦେଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଓଟି ରୋଡ଼ ପାର୍ଶ୍ଵରେ ଥୁବା ଦେଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରି ସ୍ୱର୍ଗତଃ ଦେଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇଥିଲେ।
ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ପରିଷଦର ଉପସଭାପତି ବିନୋଦ ଜୀ, କୋଷାଧ୍ଯକ୍ଷ ଅଭିଜିତ ଦାସ, ଗୋବିନ୍ଦ ରାଠୀ, ସମାଜସେବୀ ଯଶୋଦା ନନ୍ଦନ ଆଶ୍, ଭୋଳାନାଥ ବେହେରା, ତ୍ରିଲୋଚନ ବାରିକ, ମଧୁସୂଦନ ମହାପାତ୍ର, ଛାତ୍ରନେତା ବିଭୁଦତ୍ତ ପରିଡ଼ା, ସୌଭାଗ୍ୟ ଖୁଣ୍ଟିଆ ପ୍ରମୁଖ ସୁଚାରୁରୂପେ ପରିଚାଳନାରେ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଦେଶପ୍ରିୟ ଦାଶ, ବରିଷ୍ଠ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ବରିଷ୍ଠ ଗାଳ୍ପିକ ଅଞ୍ଜନ ଋନ୍ଦ, ଯୁବ ଗାଳ୍ପିକ ସଂଜୟ ପଣ୍ଡା, ‘ସମାଜ’ର ବରିଷ୍ଠ ସହ-ସମ୍ପାଦକ କୁଳମଣି ବାରିକ, କନକ ଟିଭି ସାମ୍ବାଦିକା ସୁମନା ପରିଡ଼ା, ଶ୍ରମିକ ନେତା ନିରଞ୍ଜନ ରାଉତ, ନିରଞ୍ଜନ ବେହେରା, ସଫଳ ଉଦ୍ୟୋଗୀ ଚିରାଗ ଚୌହାନ୍, ଯୁକ୍ତ ୨ର ଛାତ୍ରୀ ସୁଶ୍ରୀ ଅନନ୍ୟା ପ୍ରଧାନ, ମୋହିତ ପଟ୍ଟନାୟକ, ଶୁଭମ ନାୟକ ଏବଂ ବାଲେଶ୍ଵରର ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ପ୍ରଫୁଲ୍ଲ ଆଶ୍ଚର୍ଯ୍ୟଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପର୍ବକୁ ବରିଷ୍ଠ କବି ଶ୍ରୀଦେବ ପରିଚାଳନା କରିଥିଲେ। ଶେଷରେ ପୂର୍ବତନ କାଉନସିଲର ବିଶ୍ଵଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।