ଆସୁଛି ପାର୍ବଣ ଋତୁ : ଶାନ୍ତିଶୃଙ୍ଖଳା ରକ୍ଷା ନେଇ ପୁଲିସର ପ୍ଲାଗମାର୍ଚ୍ଚ, ଅସାମାଜିକଙ୍କ ଉପରେ କଡା ନଜର

0

ପଟ୍ଟାମୁଣ୍ଡାଇ୧୪/୯ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏକ ସମ୍ବେଦନଶୀଳ ଅଂଚଳ । ଆଗକୁ ପାର୍ବଣ ରୁତୁ ଆସୁଥିବାରୁ, ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ସକ୍ରିୟ ହୋଇ ଉଠିଛି । ଗଣେଶ ପୂଜାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦେଶରେ ପୁଲିସ ସକ୍ରିୟ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ପୁଲିସ ପକ୍ଷରୁ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ଉତ୍ତେଜନା ପୂର୍ଣ୍ଣ ସ୍ଥାନ ମାନଙ୍କରେ ଚଢ଼ାଉ କରିବା ସହିତ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ପୁଲିସର ଏହି କାର୍ଯ୍ୟରେ ଅସାମାଜିକ ଯୁବକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରକାଶଥାଉକି, ପଟ୍ଟାମୁଣ୍ଡାଇ ଅଂଚଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିଥାନ୍ତି I ସାମ୍ପ୍ରଦାୟିକ ସଂପ୍ରୀତିର ସହର ଭାବେ ପଟ୍ଟାମୁଣ୍ଡାଇର ସମଗ୍ର ରାଜ୍ୟରେ ସୁଖ୍ୟାତି ରହିଛି I ମାତ୍ର କିଛି ଅସାମାଜିକ ତତ୍ୱ ପଟ୍ଟାମୁଣ୍ଡାଇ ସହରର ସଦଭାବ ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଅପଚେଷ୍ଟା କରିଆସୁଛନ୍ତି I ନିକଟରେ ମୁସଲିମ ସମ୍ପ୍ରଦାୟର ବିଭିନ୍ନ ପର୍ବ ପର୍ବାଣି ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି I ଆସନ୍ତାକାଲି ବିଗ୍ନବିନାଶକ ବିଦ୍ୟାଦାତା ଗଣେଶ ମହାପ୍ରଭୁଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି I ପଟ୍ଟାମୁଣ୍ଡାଇ ସହର ସମେତ ପୌର ପରିଷଦର ବିଭିନ୍ନ ୱାର୍ଡରେ ଗଣେଶ ପୂଜା ବେଶ ଯାକଜମକରେ ପାଳିତ ହେବାକୁ ଯାଉଛି I ଏପରିକି ଓଡିଶା ବାହାରେ ଥିବା ବିଭିନ୍ନ ରାଜ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପାଳନ କରାଯାଉଥିବା ଗଣେଶ ପୂଜା ଉତ୍ସବ ଓ ମନୋରମ ମୂର୍ତ୍ତିକୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଅଂଚଳରେ ଅନୁରୂପ ଭାବେ ଗଣେଶ ମୂର୍ତ୍ତି ତିଆରି ଓ ପୂଜା ଉତ୍ସବ ପାଳନ କରାଯାଉଛି I ପଟ୍ଟାମୁଣ୍ଡାଇ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ କଲେଜ କ୍ଲବ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ଉତ୍ସବ ପାଳନ କରାଯାଉଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବମୁଖର ହୋଇପଡିଛି I ଗଣେଶ ପୂଜା ଠାରୁ ଓଡ଼ିଆ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ପାର୍ବଣ ଆରମ୍ଭ ହେଉଥିବାରୁ ପାର୍ବଣ ଋତୁ ଆସିଥାଏ I ଆଗାମୀ ପାର୍ବଣ ଋତୁ ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ରଙ୍ଗ ବେରଙ୍ଗରେ ସଜାଇ ହୋଇଛି I ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜନଗହଳି ବଢିବା ସହିତ ସମଗ୍ର ଅଂଚଳ ବିଭିନ୍ନ ପୂଜା ପର୍ବରେ ଉଲ୍ଲସିତ ହୋଇ ଏକ ଭିନ୍ନ ମାହୋଲ ସୃଷ୍ଟି କରିଥାଏ I ଏଭଳି ସ୍ଥିତିରେ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଓ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି I କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ନୂତନ ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଗଣେଶ ପୂଜା ସମେତ ଆଗାମୀ ବିଶ୍ୱକର୍ମା ଓ ଦୂର୍ଗା ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଓ କଡାକଡ଼ି ଭାବେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି I ଏଇ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଆଇ ଆଇ ସି ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ପ୍ଲାଗ ମାର୍ଚ୍ଚ କରିବା ସହିତ ଅସାମାଜିକ ତତ୍ୱ ଉପରେ କଡା ନଜର ରଖିଛନ୍ତି I ଏଥି ସହିତ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଯେକୌଣସି ପରିସ୍ଥିତିରେ କଡାକଡ଼ି ଭାବେ ଆଇନଶୃଙ୍ଖଳା ବଜାୟ ରଖାଯିବ ଓ ଯେକୌଣସି ଆଇନ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି I

Leave A Reply

Your email address will not be published.