ଲଣ୍ଡନ, ତା ୧୭.୦୯. ରିଖ;ବିଶ୍ୱର ସାଂସ୍କୃତିକ ରାଜଧାନୀ ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁ.କେ. (ଏସଜେଏସୟୁକେ) ଏବଂ ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ (ଓସୁକ) ଆଦି ସଂଗଠନ ଆୟୋଜନ କରିଥିଲେ। ସମ୍ମିଳନୀରେ ଶତାଧିକ ଅଗ୍ରଣୀ ଆଧ୍ୟାତ୍ମିକ ଗୁରୁ, ବିଶିଷ୍ଟ ସମ୍ପ୍ରଦାୟ ନେତୃମଣ୍ଡଳୀ ଏବଂ ପ୍ରଶାସନିକ ପଦାଧିକାରୀ ମାନେ ଯୋଗ ଦେଇଥିଲେ।ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୯ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଆଧ୍ୟାତ୍ମିକ ଉଚ୍ଛ୍ବାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଲଣ୍ଡନର ନେହରୁ ସେଣ୍ଟରରେ ଆୟୋଜିତ ଏହି ଭବ୍ୟ ସମାରୋହକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
ବୈଦିକ ମନ୍ତ୍ର ପାଠ ମଧ୍ୟରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉଦ୍ଘାଟନ ସମୟରେ ପ୍ରେମ ସାହୁଙ୍କ ଦ୍ୱାରା ଖୁବ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ସ୍ୱାମୀ ଶିବାନନ୍ଦଙ୍କ ଜୀବନ ଓ ଦର୍ଶନ ଉପରେ ଏକ ଆକର୍ଷଣୀୟ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। ବୈଠକକୁ ସମ୍ବୋଧନ କରି ବରେଣ୍ୟ ବକ୍ତା ମାନେ ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅଶାନ୍ତି ପର୍ଯ୍ୟାୟରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ନିଃସ୍ୱାର୍ଥ ସେବା,ଚୀରନ୍ତନ ପ୍ରେମ , ଆଧ୍ୟାତ୍ମିକ ସାଧନା, ସାର୍ବଜନୀନ ଭ୍ରାତୃତ୍ୱ, ପାରସ୍ପରିକ ବୁଝାମଣା ଓ ବିଶ୍ୱ ଶାନ୍ତି ସମ୍ପର୍କିତ ଉପଦେଶ ଗୁଡ଼ିକର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼ ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଓ ବ୍ରହ୍ମ ବିଦ୍ୟାର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମ ନିଷ୍ଠାନନ୍ଦ ସରସ୍ୱତୀ ଏବଂ ଇଂଲଣ୍ଡରେ ଅବସ୍ଥାପିତ ମରିସସ ଗଣରାଜ୍ୟର ଡେପୁଟି ହାଇ କମିଶନର ମହାମାନ୍ୟ ଶ୍ରୀ କେଭିନ୍ ପାୟେଣ୍ଡୀ ମିଳିତ ଭାବେ ଉନ୍ମୋଚନ କରିଥିଲେ। ପୁସ୍ତକଟିରେ ଡିଭାଇନ ଲାଇଫ ସୋସାଇଟିର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦଙ୍କର ମୌଳିକ ଉପଦେଶ ଯଥା:-ସେବା କର, ପ୍ରେମ କର, ଦାନ କର, ଶୁଦ୍ଧତା ରଖ, ଧ୍ୟାନ କର ଏବଂ ଉତ୍ସର୍ଗୀକୃତ ସେବା, ଭକ୍ତି ଓ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ କରି ମୋକ୍ଷ ପ୍ରାପ୍ତି କରିବା ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଵ୍ୟାଖ୍ୟାନ ସନ୍ନିବେଶିତ କରାଯାଇଛି। ବହିରେ ବ୍ୟକ୍ତିଗତ ଦାୟିତ୍ୱବତ୍ତା ଠାରୁ ଆରମ୍ଭ କରି ଶାନ୍ତି ଓ ସଦ୍ଭାବ ପୂର୍ଣ୍ଣ ବିଶ୍ୱ ଗଠନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ପୁସ୍ତକଟି ଜଗନ୍ନାଥ ଧାମ, ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି। ଏଥିରେ ୟୁରୋପୀୟ ଯୋଗ ଫେଡରେସନ, ଆମେରିକାର ମିଆମି, ଫ୍ଲୋରିଡାସ୍ଥିତ ଯୋଗ ରିସର୍ଚ୍ ଫାଉଣ୍ଡେସନର ସ୍ୱାମୀ ଜ୍ୟୋତିର୍ମୟାନନ୍ଦ, ଉତ୍ତରକାଶୀର ଶିବାନନ୍ଦ ସେବା ସମିତିର ସ୍ୱାମୀ ପ୍ରେମାନନ୍ଦ ଏବଂ ଜର୍ମାନୀର ଯୋଗ ବିଦ୍ୟା ମୁଖ୍ୟାଳୟର ଶୁଭେଚ୍ଛା ବାର୍ତ୍ତା ମାନ ମଧ୍ୟ ସ୍ଥାନ ପାଇଛି । ଏହି କାର୍ଯ୍ୟକ୍ରମ ‘ଚିଦାନନ୍ଦ ଦଶକ ୨୦୧୬–୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ’ ର ଅଂଶ ବିଶେଷ ଥିଲା।

ସମାବେଶରେ ଉଦବୋଧନ ଦେଇ ଲେଖକ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଯୋଗ କେବଳ ଶାରୀରିକ ଅଭ୍ୟାସ ବା ଆସନ ମଧ୍ୟରେ ସୀମିତ ନରହି ଦୈନଦିନ ଜୀବନର ଅଂଶ ହେବା ଉପରେ ଜୋର ଦେଇଥିଲେ। ଏହା ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ସ୍ୱାମୀଜୀ ଦର୍ଶାଇଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଯୋଗର ଚାରି ମାର୍ଗ ଯଥା:- ଞାନ ଯୋଗ, ରାଜ ଯୋଗ, ଭକ୍ତି ଯୋଗ ଓ କର୍ମ ଯୋଗ ସହିତ ସଂଯୋଗ ସ୍ଥାପନ କରିବାର ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ଶାନ୍ତି ପ୍ରଥମେ ବ୍ୟକ୍ତି ଭିତରେ, ତା’ପରେ ପରିବାର ମଧ୍ୟରେ ଏବଂ ସବା ଶେଷରେ ସାରା ବିଶ୍ୱକୁ ବ୍ୟାପ୍ତ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସ୍ୱାମୀଜୀ ତାଙ୍କର ଅନୁଗାମୀ ଓ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଉପଦେଶାବଳୀକୁ ବ୍ୟକ୍ତିଗତ ଅଭ୍ୟାସରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏସଜେଏସୟୁକେର ଟ୍ରଷ୍ଟି ଏବଂ ଓସୁକର ସମ୍ପାଦକ ସୁକାନ୍ତ ସାହୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ସେ ୨୧ ଜୁନ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଇ ସମଗ୍ର ବିଶ୍ୱକୁ ଏକତ୍ର କରିପାରିଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସାଉଥ୍ ହଲ୍ ସ୍ଥିତ ଶ୍ରୀ ରାମ ମନ୍ଦିରର ଟ୍ରଷ୍ଟି ଜୟ ଶର୍ମା ଅଖଣ୍ଡ ବିଶ୍ୱାସ ଓ ନିରନ୍ତର ସାଧନା ଆଧାରରେ ଭକ୍ତି ଯୋଗର ରୂପାନ୍ତରକାରୀକରଣ ଶକ୍ତି ଉପରେ ଆଲୋକପାତ କରିଥିଲେ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୟୁ.କେ. ସ୍ଥିତ ରାମକୃଷ୍ଣ ବେଦାନ୍ତ ସେଣ୍ଟରର ଦାୟିତ୍ୱାଧୀନ ମନ୍ତ୍ରୀ ସ୍ୱାମୀ ସର୍ବସ୍ଥାନନ୍ଦ, ପାର୍ବତୀ ଚୈତନ୍ୟ, ଡଃ ସହଦେବ ସ୍ୱାଇଁ, ଅନୁରାଧା ପାଣ୍ଡେ, ଡଃ ପ୍ରକାଶ ଦେ , ଅନୀତା ମିଶ୍ର, ପାର୍ଥ ପଣ୍ଡା, ସୁନୀତା ଗୁପ୍ତା, ନିତ୍ୟାନନ୍ଦ ପଟ୍ଟନାୟକ ଏବଂ ଶୁଭକାନ୍ତ ଦାସ ପ୍ରମୁଖ ଅନ୍ୟତମ ଥିଲେ।
ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇ କମିଶନ, ଲଣ୍ଡନସ୍ଥିତ ମରିସସ ହାଇ କମିଶନ ଏବଂ ନେହରୁ ସେଣ୍ଟର ଏହି କାର୍ଯ୍ୟକ୍ରମର ପ୍ରୟୋଜକ ଥିଲେ।