ମହେନ୍ଦ୍ରଗିରିର ପ୍ରାକୃତିକ ଜଙ୍ଗଲ ଓ ଝରଣାର ଅବକ୍ଷୟ ପାଇଁ ଚିନ୍ତା ପ୍ରକଟ କଲେ ପରିବେଶବିତ୍ ।

0

ଗଜପତି,୩.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ଐତିହାସିକ ଓ ପରିବେଶୀୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମହେନ୍ଦ୍ରଗିରି ପର୍ବତ ପୂର୍ବରୁ ଯେଉଁଠି ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଥିଲା ବର୍ତ୍ତମାନ ସେଠାରେ କାଜୁ ଚାଷ ଭଳି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଥିବା ନେଇ ଅଭିଯୋଗ ହୋଇଛି। ଭାରତୀୟ ଜଙ୍ଗଲ ଆଇନ, ୧୯୨୭ ଅନୁଯାୟୀ ସଂରକ୍ଷିତ ଜଙ୍ଗଲର ସୁରକ୍ଷା, ପରିଚାଳନା ଓ ବ୍ୟବହାର ସମ୍ପର୍କରେ ଆଇନଗତ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ମହେନ୍ଦ୍ରଗିରି ଅଞ୍ଚଳରେ ଜଙ୍ଗଲ ଜମିର ଏକ ବୃହତ୍ ଅଞ୍ଚଳ କାଜୁ ଜଙ୍ଗଲରେ ପରିଣତ ହୋଇଥିବା ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହେନ୍ଦ୍ରଗିରି ଅଞ୍ଚଳରେ ୫୦ ପ୍ରତିଶତରୁ ଅଧିକ ଜଙ୍ଗଲ ଜମି କାଜୁ ଚାଷରେ ପରିଣତ ହୋଇଥିବା କୁହାଯାଉଛି। ତେବେ ଏହା ହଠାତ୍ ହୋଇନଥିବା ବେଳେ ଦୀର୍ଘ ବର୍ଷ ଧରି ଏଭଳି ପରିବର୍ତ୍ତନ ହୋଇ ଆସୁଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି।ଚଳିତ ବର୍ଷର ଅନିୟମିତ ଓ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମହେନ୍ଦ୍ରଗିରିର ବିଭିନ୍ନ ଝରଣା ଓ ଜଳଧାରାରେ ଜଳସ୍ତର କମିବା ଏବଂ କେତେକ ଜଳସ୍ରୋତ ଅଦୃଶ୍ୟ ହେବା ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରିଛି। ଜଙ୍ଗଲ ଆବରଣ ଓ ଜଳସ୍ରୋତରେ ଏଭଳି ପରିବର୍ତ୍ତନ ଜାରି ରହିଲେ ଏହାର ପ୍ରଭାବ ଆଗାମୀ ଦିନରେ ମହେନ୍ଦ୍ରତନୟା ନଦୀର ଜଳପ୍ରବାହ ଏବଂ ଗଜପତି ଜିଲ୍ଲାର କୃଷିକାର୍ଯ୍ୟ ଉପରେ ପଡ଼ିବାର ଆଶଙ୍କା ରହିଛି।

Leave A Reply

Your email address will not be published.