କାଳିଆପାଣି: ସଚେତନତା ଅଭାବରୁ ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନଜାତି ସଂପ୍ରଦାୟ ଅପପୁଷ୍ଟି, ଖାଦ୍ୟାଭାବ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଲୋକଙ୍କୁ ସଚେତନ କରାଯିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ କହୁଛନ୍ତି। ତେଣୁ ଶିକ୍ଷା ହେଉଛି ଏମାନଙ୍କ ବିକାଶର ପ୍ରଥମ ପାହାଚ। ଶିଶୁ ଶିକ୍ଷିତ ହୋଇଗଲେ ସଂପୃକ୍ତ ସମାଜରେ ସଚେତନତା ଓ ସଂସ୍କାର ଆସିବ। ତେବେ ୭ ବର୍ଷ ଧରି ସରକାରଙ୍କ ଫୋକସ୍ରେ ଥିବା ନଗଡ଼ା ଓ ନିକଟବର୍ତ୍ତୀ ଅଞ୍ଚଳର ୨ଟି ଯାକ ପ୍ରାଥମିକ ବିଦ୍ୟାଳୟ ସ୍ଥିତି ଦୟନୀୟ। ନଗଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଗୁହିଆଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁଆଙ୍ଗ ଶିଶୁଙ୍କ ପାଇଁ ମଧ୍ୟାହ୍ନଭୋଜନ ମୁଖ୍ୟ ଓ ପାଠପଢ଼ା ଗୌଣ ହୋଇ ରହିଛି। ତୁମୁଣି ଗାଁରେ ଗଛମୂଳେ ପାଠପଢ଼ା ଚାଲିଥିବାରୁ ମେଘ ଉଠେଇଲେ ସ୍କୁଲ୍ ବନ୍ଦ। କେନ୍ଦ୍ରୀୟ ବଜେଟ୍ରେ ଆଦିମ ଜନଜାତି କଲ୍ୟାଣ ପାଇଁ ହଜାର ହଜାର କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ସତ୍ତ୍ବେ ଜିଲ୍ଲାର ଜୁଆଙ୍ଗ ସମାଜ ଏଥିରୁ ଭାଗ ନ ପାଇବା ଚିନ୍ତାର ପ୍ରସଙ୍ଗ। ୨୦୧୬-୧୭ ଶିକ୍ଷାବର୍ଷରେ ନଗଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୨୦୧୭ ଏପ୍ରିଲରେ ଗୁହିଆଶାଳ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା। ୨୦୧୭ ଅକ୍ଟୋବର ୨୬ ତାରିଖରେ ତତ୍କାଳୀନ ଉନ୍ନୟନ କମିସନର ଆର୍. ବାଲକ୍ରିଷ୍ଣନ୍ ନଗଡ଼ା ଗସ୍ତରେ ଆସି ସ୍କୁଲଗୃହ ଉଦ୍ଘାଟନ କରିଥିଲେ। ୨୦୨୨ ମସିହାରେ ଉଭୟ ସ୍କୁଲକୁ ଉଚ୍ଚ ପ୍ରାଥମିକ ସ୍କୁଲ ମାନ୍ୟତା ଦିଆଯାଇ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ସୃଷ୍ଟି କରାଗଲା। ସେହିପରି ତୁମୁଣି ଶିଶୁଙ୍କ ନାମ ପାହାଡ଼ ତଳ ଦେଓଗାଁ ଉଚ୍ଚ ପ୍ରାଥମିକ ସ୍କୁଲ କିମ୍ବା ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ଲେଖାଯାଉଥିଲେ ମଧ୍ୟ ଅଣଆନୁଷ୍ଠାନିକ ଶିକ୍ଷା ମାଧ୍ୟମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତୁମୁଣି ସ୍କୁଲ ଚଳାଇ ଆସୁଛନ୍ତି। ୨୦୧୭ ମସିହାରେ ଏଠାରେ ଝାଟିମାଟି ଓ ଟିଣଛପରରେ ନିର୍ମିତ ଘରେ ସକାଳ ୮ରୁ ୧୦ ଅଙ୍ଗନବାଡ଼ି କେନ୍ଦ୍ର ଓ ୧୦ରୁ ୩ଟା ପର୍ଯ୍ୟନ୍ତ ସ୍କୁଲ ଚାଲୁଥିଲା। ୨୦୧୯ ମାର୍ଚ୍ଚ ଫନି ବାତ୍ୟାରେ ଏହି ଘର ସଂପୂର୍ଣ୍ଣ ମାଟିରେ ମିଶିଗଲା। ସେଦିନରୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୁମୁଣି ଗାଁରେ ଶିଶୁମାନେ କୋଠଘର ସମ୍ମୁଖ ପଣସ ଗଛମୂଳେ ଜରିପାଲ ପକାଇ ପାଠ ପଢ଼ୁଛନ୍ତି। ମେଘ ଉଠାଇବା ମାତ୍ରେ ସ୍କୁଲ ବନ୍ଦ ରହିବା ଏଠି ଏକ ସ୍ବାଭାବିକ ପ୍ରକ୍ରିୟା। ଏହି କାରଣରୁ ଅଢ଼େଇ ମାସ ଧରି ଏଠାରେ ସ୍କୁଲ ବନ୍ଦ ରହିଛି। ପାଠପଢ଼ା ବିନା ଆମ ପିଲାଏ ମୂର୍ଖ ହୋଇଗଲେଣି ବୋଲି କହନ୍ତି ତୁମୁଣିର ଟାଙ୍ଗରା ପ୍ରଧାନ। ସେହିପରି ନଗଡ଼ା ସ୍କୁଲରେ ଏବେ ୫୮ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୨ଟି ଶ୍ରେଣୀକକ୍ଷ ଥିବାରୁ ପ୍ରଥମରୁ ତୃତୀୟ ଗୋଟିଏ ଓ ଚତୁର୍ଥରୁ ଅଷ୍ଟମ ପିଲାଏ ଅନ୍ୟ ଏକ କୋଠରିରେ ଏକାଠି ବସୁଛନ୍ତି। ଦେଢ଼ବର୍ଷ ତଳୁ ନଗଡ଼ାରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମିତ ହୋଇଥିଲେ ମଧ୍ୟ ଏହା ଏଯାବତ୍ ଠିକାଦାରଙ୍କ କବ୍ଜାରେ ରହିଛି। ଗୁହିଆଶାଳ ସ୍କୁଲର ସମସ୍ତ ୮ଟି ଯାକ ଶ୍ରେଣୀର ୩୫ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରିରେ ବସିବାକୁ ବାଧ୍ୟ ହେଉଛନ୍ତି। ସେହିପରି କଅଁସ ପଞ୍ଚାୟତ ଟିକରପଡ଼ା ପ୍ରାଥମିକ ସ୍କୁଲର ଅବସ୍ଥା ମଧ୍ୟ ତଦ୍ରୂପ। ଏଯାବତ୍ ଜିଲ୍ଲାର କୌଣସି ଜୁଆଙ୍ଗ ଶିଶୁ ମେଧା ତାଲିକାଭୁକ୍ତ ନାହାନ୍ତି। ସମସ୍ତ ୪ଟି ଯାକ ଜୁଆଙ୍ଗ ବହୁଳ ଗାଁରେ ଶିକ୍ଷା ଭିତ୍ତିଭୂମିରେ ଖଇଚା ଥିବା ସ୍ପଷ୍ଟ ହୋଇଛି। ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା କହିଛନ୍ତି, ଜନଜାତି ବହୁଳ ଇଲାକାରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯିବ।
Comments are closed.