ଗିରଫ ହେଲେ ହାଇସ୍କୁଲର ସଭାପତି

କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ‌ମଙ୍ଗଳବାର ଦିନ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲ ଭିତରକୁ ପଶି କିଛି ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗାଳି କରିଥିଲେ। ଏହି କାରଣରୁ ୪ ଜଣ ଛାତ୍ରୀ ଭୟଭୀତ ହୋଇ ଶୌଚାଳୟ ଭିତରକୁ ପଶି ଯାଇଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ବନଛୋର ଛାତ୍ରୀମାନଙ୍କୁ ବାହାର ପାର୍ଶ୍ବରୁ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରୀମାନେ କାନ୍ଦି କାନ୍ଦି ତାଙ୍କୁ ଖୋଲିବାକୁ କହିବାରୁ ପ୍ରାୟ ୩୦ ମିନିଟ ପରେ ତାଲା ଖୋଲିଥିଲେ। ଏନେଇ ୪ ଛାତ୍ରୀ ଏବଂ ତାଙ୍କ ଅବିଭାବକ ବିଳମ୍ବିତ ରାତି କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଗ୍ରହଣ କରି ସଭାପତିକୁ ଗିରଫ କରିଛି। ଏହି ଘଟଣା ପ୍ରଘଟ ହେବା ସହ ଥାନାରେ ଏତଲା ପରେ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲ ପହଂଚି ଘଟଣା ସଂପର୍କରେ ଅବଗତ ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରୁଛି। ତେବେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହି ପାରିବେ ନାହିଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ପୁଲିସ ଏସଡିପିଓଙ୍କୁ ପଚାରିବାରୁ ପୋକ୍ସୋ ଆକ୍ଟରେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯିବ। ଛାତ୍ରୀମାନେ କୌଣସି ଭୟ କରିବାର ନାହିଁ। ଆମେ ସ୍କୁଲ ଯାଇ ସେମାନଙ୍କୁ ସଚେତନ କରିବୁ। ତେବେ ସ୍କୁଲ ପରିଚାଳନା ସଭାପତିଙ୍କ ଏଭଳି କାଣ୍ଡ ଯୋଗୁ ବିଭିନ୍ନ ମହଲର ନିନ୍ଦା କରାଯାଉଛି। ତାଙ୍କୁ କଠୋର ଦଣ୍ଡ ମିଳୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Comments are closed.