ଦୁଇ ଭକ୍ତଙ୍କ ମାନ ରକ୍ଷା

ଅର୍ଜୁନୀ ଚରଣ ବେହେରା

ର୍ତ୍ତ୍ୟରେ ରାଜତ୍ୱ ଏବେ ଦ୍ୱାପର ଯୁଗର l
ରାମେଶ୍ୱରେ ଭ୍ରମୁଥିଲେ ହନୁମାନ ବୀର ll
ତ୍ରେତୟା ରାମ ସେବକ ହନୁ କପିଶ୍ରେଷ୍ଠ l
ଧନୁର୍ଦ୍ଧର ଅର୍ଜୁନଙ୍କ ସଙ୍ଗେ ହେଲା ଭେଟ ll
ଶୁଣ ପାର୍ଥ ତ୍ରେତୟା ଯୁଗରେ ଏହିଠାରେ l
ଆମ୍ଭେ ବନ୍ଧ ବାନ୍ଧି ଥିଲୁ ସାଗର ବକ୍ଷରେ ll
ଲକ୍ଷ ଲକ୍ଷ ଭାଲୁ କପି ପାର ହୋଇଗଲେ l
ପ୍ରଭୁ ଶ୍ରୀରାମ ଲଙ୍କାରେ ରାବଣ ବଧିଲେ ll
ଅର୍ଜୁନ ବୋଲନ୍ତି ବାହାସ୍ଫୋଟ କିଆଁ ମାର l
ସେହି ବନ୍ଧ ବାନ୍ଧିଦେବି ମାରି ମାତ୍ର ଶର ll
ହନୁମାନ ବୋଲେ ଆଚ୍ଛା କଥାଟି ଏମନ୍ତ l
ସେ ବନ୍ଧ ସହିବ କିବା ମୋର ପଦପାତ ll
ତେବେ ଚାଲ ଏବେ ଆମକଥା ପରଖିବା l
ଦ୍ୱନ୍ଦ୍ୱ ଉପୁଜାଇ ଭାଇ କି ଲାଭ ପାଇବା ll
ନିକଟେ ଦେଖିଲେ ଏକ ବଡ଼ ପୁଷ୍କରିଣୀ l
ଶର ଏକ ମାରି ବନ୍ଧ ବାନ୍ଧିଲେ ଫାଲ୍ଗୁନୀ ll
ବିରାଟ ରୁପକୁ ଧରି ହନୁମାନ ଵୀରେ l
ପାଦେକ ଥାପିଲେ ତହୁଁ ବନ୍ଧର ଉପରେ ll
ହନୁମାନ ଭାରେ ବନ୍ଧ ହେଲା ଟଳମଳ l
ଲୋହିତ ବର୍ଣ୍ଣ ଧରିଛି ପୁଷ୍କରିଣୀ ଜଳ ll
ହନୁ ପୁଛେ,ପାର୍ଥ କୁହ ଏହାର ତଦନ୍ତ l
କଳଙ୍କି ଶରରୁ ଛାଡ଼ି ହୋଇଛି ଏମନ୍ତ ll
ପାର୍ଥଙ୍କ ବଖାଣ ହନୁ ମନେ ଗଲାନାହିଁ l
ଜଳରେ ଦେଖନ୍ତିବୁଡ଼ି ତ୍ରିଲୋକର ସାଇଁ ll
କଚ୍ଛପ ରୂପେ ମୁଖରୁ ବହୁଛି ରୁଧିର l
ପୃଷ୍ଠରେ ଧରିଅଛନ୍ତି ଧନୁବନ୍ଧ ଭାର ll
ହନୁମାନ ପଦେପଡ଼ି କହେ କ୍ଷମାକର l
ସ୍ୱରୂପପ୍ରକଟି ପ୍ରଭୁ ହୋଇଲେ ବାହାର ll
ବୋଲନ୍ତି ତ୍ରେତାରେ ମୁହିଁ ଶ୍ରୀରଘୁନନ୍ଦନ l
ଦାସ୍ୟ ପଣେ ବାନ୍ଧିଥିଲ ବୀର ହନୁମାନ ll
ଏବେ ଦ୍ୱାପରରେ ମୁହିଁ କୃଷ୍ଣ ଚକ୍ରଧାରୀ l
ସଖ୍ୟପଣେ ପାର୍ଥ ସଖା ଅଟଇ ମୋହରି ll
ତୁମ୍ଭେଦୁଇ ଅଟ ମୋର ଭକ୍ତାଗ୍ରଣୀ ଶ୍ରେଷ୍ଠ l
କେମନ୍ତେ ସହି ପାରନ୍ତି ଭକ୍ତଙ୍କ ଏ କଷ୍ଟ ll
ମାନରକ୍ଷା ପାଇଁ ମୁଁ ଯେ ଦୁଇ ଭକ୍ତଙ୍କର l
କଚ୍ଛପ ରୂପେ ଧରିଲି ପୃଷ୍ଠେ ବନ୍ଧ ଭାର ll
ଅହଂଭାବ ଭକ୍ତ ଦୁହିଙ୍କରେ ତୁଟି ଗଲା l
ପଦେ ପଶିଲେ ଶରଣ ନକରିଣ ହେଳା ll
ପ୍ରଭୁଙ୍କ ଆଜ୍ଞାରେ ତହୁଁ ମାରୁତି ନନ୍ଦନ l
କପିଧ୍ୱଜ ନନ୍ଦିଘୋଷ କରିଲେ ମଣ୍ଡନ ll
ଯୁଗେ ଯୁଗେ ଭଗବାନ ଭକ୍ତ ଭାବଗ୍ରାହୀ l
ଧେନୁପଛରେ ଥାଆନ୍ତି ବତ୍ସାଟିଏ ହୋଇ ll
ଜୟ ହେ ବିଶ୍ଵ ସମ୍ରାଟ ଅଗତିରେ ଗତି l
ଶ୍ରୀଚରଣେ ଭକ୍ତିଲୋଡ଼େ ମୁହିଁ ମୁଢ଼ମତି ll
ଅର୍ଜୁନୀ
ମୋ -7693091971

Comments are closed.