ଦୋଛକିରେ ବିହାର – ରାଜନୈତିକ ଛକାପଞ୍ଝା ମଧ୍ୟରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା

ଡେସ୍କ: ପାଟଣାରେ ପାର୍ଟି କାର୍ଯ୍ୟାଳୟରେ ବିହାର ବିଜେପି ରାଜ୍ୟ କୋର କମିଟି ବୈଠକ ଆରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ, ପୂର୍ବତନ ରାଜ୍ୟ ବିଜେପି ମୁଖ୍ୟ ମଙ୍ଗଲ ପାଣ୍ଡେ, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଏବଂ ଅନ୍ୟ ନେତାମାନେ ବିହାରର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବେ। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଓ ସାଂସଦମାନଙ୍କର ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପାଟଣାରେ ରାଷ୍ଟ୍ରିୟ ଜନତା ଦଳ ବିଧାୟକଙ୍କ ବୈଠକ ଚାଲିଛି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଏହି ସଭାରେ ଅଧ୍ୟକ୍ଷତା କରୁଛନ୍ତି।

 

ଶାସକ ମେଣ୍ଟରେ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ବିହାରରେ ପ୍ରମୁଖ ରାଜନୈତିକ ଦଳ ବିଜେପି, ଆରଜେଡି ଏବଂ ଜେଡି(ୟୁ) ମଧ୍ୟରେ ତନାଘନା ଆଲୋଚନା ଚାଲିଛି। ଯାହା ଅନୁମାନ କରାଯାଉଛି କି ଦୁଇ ଦିନ ମଧ୍ୟରେ ବିହାରରେ ଆରଜେଡି-ଜେଡି(ୟୁ)ର ମିଳିତ ସରକାରର ପତନ ହୋଇପାରେ ଏବଂ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ। ବିଜେପି ନେତାମାନେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଦଳ ପୁଣିଥରେ ଗୋଟିଏ ପ୍ଲାଟଫର୍ମରେ ଜେଡି(ୟୁ) ସହିତ ରହି ପାରନ୍ତି। ବିଜେପି, ଜେଡି(ୟୁ) ଏବଂ ଆରଜେଡି ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଦୃଷ୍ଟିରେ ରଖି ବିକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ଆରଜେଡି ଏବଂ ଜେଡି(ୟୁ)ର ସହଯୋଗୀ କଂଗ୍ରେସ କହିଛି ଯେ ପରିସ୍ଥିତି ଉପରେ ଦଳ ତୀକ୍ଷ୍ଣ ନଜର ରଖିଛି ଏବଂ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ସଂଖ୍ୟା ଆବଶ୍ୟକ। ବର୍ତ୍ତମାନ, ମହାମେଣ୍ଟ ସରକାରଙ୍କର ୧୬୦ ସଦସ୍ୟଙ୍କ ସମର୍ଥନ ରହିଛି ଯେଉଁଥିରେ ଆରଜେଡିର ୭୯, ଜେଡି(ୟୁ)ର ୪୫ ଏବଂ କଂଗ୍ରେସର ୧୯ ଜଣ ସଦସ୍ୟ ଅଛନ୍ତି। ବାମପନ୍ଥୀ ଦଳର ୧୬ ବିଧାୟକ ଏବଂ ଜଣେ ସ୍ୱାଧୀନ ସଦସ୍ୟ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି। ବିଜେପିର ୭୮ ସଦସ୍ୟ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ଧର୍ମନିରପେକ୍ଷ)ର ୦୪ ସଦସ୍ୟ ଏନଡିଏର ଅଂଶ ଅଟନ୍ତି।

Comments are closed.