ଜିଲ୍ଲାସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ମୋହନା,୨୫.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହନାଗା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢୀ, ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ। ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା, ସ୍ଥାନୀୟ ପ୍ରସଙ୍ଗ ଓ ଅଭିଯୋଗକୁ ସିଧାସଳଖ ଶୁଣିବା ଏବଂ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ତୁରନ୍ତ ତାହାର ସମାଧାନ କରିବା ସହ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଏବଂ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ଏଭଳି ଜନଶୁଣାଣି ଶିବିରମାନ ଅନୁଷ୍ଠିତ ହେଉଛି। ଏହି ଶିବିରରେ ମୋଟ ୯୦ ଗୋଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୨୪ ଗୋଟି ଆସିଥିବା ବେଳେ ଗୋଷ୍ଠୀଗତ ଅଭିଯୋଗ ୬୬ ଗୋଟି ଦରଜ ହୋଇଥିଲା।ଉକ୍ତ ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ବିଭିଜିରାମଜୀ, ଗୃହ ନିର୍ମାଣ, ରାସନ କାର୍ଡ, ଶିକ୍ଷା, ଜଳସେଚନ, ରାସ୍ତା, ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗମାନ ଆସିଥିଲା।ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋହନା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରଞ୍ଜୀବ ଶବର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

Comments are closed.