କଲକାତା (୧/୧୦): ଅନ୍ତର୍ଜାତୀୟ ଅନୁବାଦ ଦିବସ ୨୦୨୬ ଅବସରରେ ‘ଭାରତୀୟ ଅନୁବାଦ ସାହିତ୍ୟ’ ପକ୍ଷରୁ ପଞ୍ଜାବ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଅନଲାଇନ୍ ମାଧ୍ୟମରେ ତିନୋଟି ସ୍ୱତନ୍ତ୍ର ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ରାଜ୍ୟର ଯୁବ ଓ ବରିଷ୍ଠ ଅନୁବାଦକମାନେ ଯୋଗଦେଇଥିଲେ। ଅନୁବାଦ ସାହିତ୍ୟର ଆଲୋଚନା, ମତବିନିମୟ ଓ ଅନୁଦିତ କବିତା ପାଠ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକର ବିବିଧ ସାହିତ୍ୟିକ ପରମ୍ପରା ଓ ସମ୍ବେଦନା ଆଧାରିତ ଆଲୋଚନା କରାଯାଇଥିଲା।
ପଞ୍ଜାବ ରାଜ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦକ ଜଗଦୀଶ ରାଇ କୁଲରିଆଁ ମୁଖ୍ୟ ଅତିଥି ଏବଂ ଡ. ପେରେଗୁ ରାମକୃଷ୍ଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଯୁବ ସାହିତ୍ୟିକା ପ୍ରିୟା କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଏହି ଅବସରରେ ପଞ୍ଜାବର ୧୨ ଜଣ ଯୁବ ଅନୁବାଦକ ବିଭିନ୍ନ ଭାଷାର କବିତାର ଅନୁଦିତ କାବ୍ୟପାଠ କରିଥିଲେ। ଯୁବ ଅନୁବାଦକମାନଙ୍କର ଏହି ପ୍ରସ୍ତୁତି ଭାଷାଗତ ବିବିଧତା ସହିତ ଅନୁବାଦର ସୃଜନଶୀଳ ସମ୍ଭାବନାକୁ ମଧ୍ୟ ପରିପୁଷ୍ଟ କରିଥିଲା।
ଉତ୍ତରାଖଣ୍ଡ ରାଜ୍ୟ କାର୍ଯ୍ୟକ୍ରମ ଯୁବ ସାହିତ୍ୟିକ ଅଶୋକ କୁମାରଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ପ୍ରଫେସର ପ୍ରୀତି ଆର୍ଯ୍ୟ ମୁଖ୍ୟ ଅତିଥି ଏବଂ ପ୍ରଫେସର ହରପ୍ରିୟା ପାଠକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଉତ୍ତରାଖଣ୍ଡର ବିଭିନ୍ନ ଲୋକଭାଷା ଆଧାରିତ କବିତାର ପ୍ରାୟ ୨୫ ଜଣ ଯୁବ ଓ ବରିଷ୍ଠ ଅନୁବାଦକ ଅନୂଦିତ କାବ୍ୟପାଠ କରିଥିଲେ। ଲୋକଭାଷାର ସ୍ୱତନ୍ତ୍ର ସାଂସ୍କୃତିକ ଚେତନା ଓ ଲୋକଜୀବନର ସମ୍ବେଦନା ସହିତ ଜଡ଼ିତ ଏହି କାବ୍ୟପାଠ କାର୍ଯ୍ୟକ୍ରମକୁ ବିଶେଷ ସାହିତ୍ୟିକ ସମୃଦ୍ଧି ପ୍ରଦାନ କରିଥିଲା।
ସେହିପରି, ଓଡ଼ିଶା ରାଜ୍ୟ କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶର ବିଶିଷ୍ଟ ଭାରତୀୟ ଅନୁବାଦକ ଦାଭିନ୍ଦର ଧର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଯୁବ ଅନୁବାଦକ ସନ୍ତୋଷ ସାହୁ ଓ ବନ୍ଦନା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ ଜଣ ଯୁବ ଓ ବରିଷ୍ଠ ଅନୁବାଦକ ବିଭିନ୍ନ ଭାଷାର କବିତାର ଅନୂଦିତ କାବ୍ୟପାଠ କରିଥିଲେ।
ତିନୋଟି ରାଜ୍ୟର କାର୍ଯ୍ୟକ୍ରମରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ପ୍ରତିଷ୍ଠାତା-ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପୃଥକ୍ ପୃଥକ୍ ଅଧିବେଶନରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଅନୁବାଦ ଦିବସ ଅବସରରେ ତିନୋଟି ରାଜ୍ୟରେ ଏଭଳି ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସେ ସମସ୍ତ ଅତିଥି, ଅନୁବାଦକ ଓ ସାହିତ୍ୟପ୍ରେମୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ଅନୁବାଦ କେବଳ ଗୋଟିଏ ଭାଷାର ରଚନାକୁ ଅନ୍ୟ ଭାଷାରେ ଉପସ୍ଥାପନ କରିବାର ପ୍ରକ୍ରିୟା ନୁହେଁ; ଏହା ଭାଷା, ସଂସ୍କୃତି ଓ ସମ୍ବେଦନା ମଧ୍ୟରେ ସେତୁ ନିର୍ମାଣ କରୁଥିବା ଏକ ସୃଜନଶୀଳ ମାଧ୍ୟମ।
କାର୍ଯ୍ୟକ୍ରମର ଶେଷରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ବରିଷ୍ଠ ସଦସ୍ୟ ସନାତନ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ଅନଲାଇନ ମାଧ୍ୟମରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ତିନି ରାଜ୍ୟ ସହିତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ନାଗାଲାଣ୍ଡର ଯୁବ ଓ ବରିଷ୍ଠ ଅନୁବାଦକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଆୟୋଜନ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ସାହିତ୍ୟିକ ଭାବବୋଧକୁ ନୂଆ ଶକ୍ତି ପ୍ରଦାନ କରିଥିଲା। ବିଭିନ୍ନ ଭାଷାର କବିତା ଅନୁବାଦ ମାଧ୍ୟମରେ ପରସ୍ପର ନିକଟତର ହେବା ସହ, ଅନୁବାଦ ସାହିତ୍ୟ ଚର୍ଚ୍ଚା, ମତବିନିମୟ କାର୍ଯ୍ୟକ୍ରମ ଆଦି ଅନ୍ତର୍ଜାତୀୟ ଅନୁବାଦ ଦିବସର ମୂଳ ଭାବନା—ଭାଷାଗତ ବିବିଧତା ମଧ୍ୟରେ ସାହିତ୍ୟିକ ଏକତା ଓ ସାଂସ୍କୃତିକ ସଂଳାପ କୁ ସାର୍ଥକ କରିଥିଲା ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.