ଧନ୍ୟ ଲୋ ଯଶୋଦା ମାଆ
===============
ଦ୍ଵାପରଯୁଗର କଥା l କୃଷ୍ଣ ବଳରାମ ଅବତାର ଧରି ଧରାଧାମକୁ ଆସିଲେ l କଂସ ଭୟରେ ଗୋକୁଳରେ ଯାଇ ମାଆ ଯଶୋଦାଙ୍କ ଦ୍ଵାରା ପ୍ରତିପାଳିତ ହେଲେ l
ଯଶୋଦା ଓ ନନ୍ଦ ତାଙ୍କ ଜନ୍ମିତ ପିତାମାତା ନଥିଲେ, କିନ୍ତୁ କେତେ ଜନ୍ମର ତପ ଫଳରେ ସେମାନେ ତାଙ୍କୁ ଅପୂର୍ବ ସ୍ନେହ ଡୋରିରେ ବାନ୍ଧି ରଖିଥିଲେ l
ଦ୍ୱାପର ଯୁଗରେ ଭଗବାନଙ୍କ ଏହି ଅବତାର ଉଦ୍ଦିଷ୍ଟ ଥିଲା କଂସ, ଶିଶୁପାଳ, ଜରାସନ୍ଧ ଓ ଦନ୍ତବକ୍ର ଆଦି ଦୁରାଚାରୀ ରାକ୍ଷସ ମାନଙ୍କୁ ସଂହାର କରି ଧରାଭାର ଉଶ୍ୱାସ କରିବା ନିମନ୍ତେ l ଦୁଷ୍ଟ ସଂହାର ଶିଷ୍ଟପାଳନ ଓ ଧର୍ମ ସଂସ୍ଥାପନ ଭଗବାନଙ୍କ ଯୁଗ ଯୁଗର ଲୀଳା l ସନ୍ଥ ତୁଳସୀଙ୍କ ଭାଷାରେ :-
ଜବ ଜବ ହୋଇ ଧରମ କି ହାନି l
ବଢ଼ଇ ଅସୁର ଅଧମ ଅଭିମାନୀ ll
ତଵ ତଵ ପ୍ରଭୁ ଧରି ବିବିଧ ଶରୀରା l
ହରହିଁ କୃପାନିଧି ସଜ୍ଜନ ପୀରା ll
ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ମା’ ଯଶୋଦାଙ୍କ ସହ ବାରବର୍ଷ ବୟସପର୍ଯ୍ୟନ୍ତ ବାଲ୍ୟ ଲୀଳାଖେଳା କରି କର୍ତ୍ତବ୍ୟ ଆହ୍ବାନରେ ଗୋପପୁର ଛାଡ଼ି ମଥୁରା ଯାତ୍ରା କଲେ, ଦୁରାଚାରୀ କଂସର ନିଧନ ନିମନ୍ତେ l କଂସ ମଲା, ମଥୁରାରେ ରାଜା ହେଲେ ଉଗ୍ରସେନ l ତା ପରେ, ଶ୍ରୀକୃଷ୍ଣଙ୍କ ଉପରେ ଆରମ୍ଭ ହୋଇଗଲା ଜରାସନ୍ଧର ଆକ୍ରମଣ l ଆଉ ବେଳ କାହିଁ ଯେ ସେ ଗୋକୁଳକୁ ଫେରିବେ l ସେବେ ଠୁଁ ସେ ଆଉ ମାଆ ଯଶୋଦାଙ୍କ କୋଳକୁ ଫେରିପାରି ନଥିଲେ l କୃଷ୍ଣଙ୍କ ବିୟୋଗରେ ମାଆ କାନ୍ଦିକାନ୍ଦି ଭୂମିରେ ଲୋଟିଲେ l ଆମ ପ୍ରାଚୀନ କବି ମାର୍କଣ୍ଡଦାସଙ୍କ ଭାଷାରେ ମାଆ ଯଶୋଦାଙ୍କ କରୁଣ କ୍ରନ୍ଦନ :-
କୋଇଲିଲୋ କେଶବ ଯେ ମଥୁରାକୁ ଗଲା l
କାହାବୋଲେ ଗଲା ପୁତ୍ର ବାହୁଡ଼ି ନୋହିଲା ll
ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ଓ ମଥୁରା ଲୀଳା ସରିଲା l ଜରାସନ୍ଧ ଅତ୍ୟାଚାରରେ ଅତିଷ୍ଠହୋଇ ସେ ମଥୁରା ପରିତ୍ୟାଗକରି ଯାଇ ସାଗର ପରିବେଷ୍ଟିତ ଦ୍ୱାରିକା ନଗରୀ ନିର୍ମାଣ କରି ରହିଲେ l ସେଠାରେ ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରଵିନ୍ଦା, ଭଦ୍ରା ନାଗ୍ନଜିତ, ଲକ୍ଷ୍ମଣା, ଆଦି ଅଷ୍ଟ ପାଟବଂଶୀ ମାନଙ୍କୁ ବିବାହ କରି, ପୁତ୍ର ପୌତ୍ରାଦିଙ୍କ ସହ ଐଶ୍ୱର୍ଯ୍ୟମୟୀ ଦ୍ୱାରାବତୀ ପୁରୀରେ ନିବାସ କଲେ l ଇତ୍ୟବସରେ ମହାଭାରତଯୁଦ୍ଧ ହେଲା l ସେଥିରେ ସହାୟତାକରି ସେ ଯୁଧିଷ୍ଠିରଙ୍କୁ ହସ୍ତିନା ସିଂହାସନରେ ବସାଇଲେ l ପ୍ରଭୁଙ୍କର ଏହି ଅବତାରର ଉଦ୍ଦେଶ୍ୟ ମୋଟାମୋଟି ଭାବେ ସମାପ୍ତ ହେଲା l
ଇଆଡ଼େ ନନ୍ଦ, ଯଶୋଦା ମଧ୍ୟ ଉତ୍ତର ବାର୍ଦ୍ଧକ୍ୟରେ ଉପନୀତ ହୋଇ ସାରିଥାନ୍ତି l ଦିନେ ଯଶୋଦାଙ୍କର ମନେପଡ଼ିଲା କଳାମାଣିକ କହ୍ନେଇକଥା l ସେ ଯାଇ ଦ୍ୱାରକାରେ ପହଞ୍ଚିଲେ l ସେଠି ଯାଇ ସେ ଦେଖିଲେ, ମହା ଐଶ୍ୱର୍ଯ୍ୟ ବିମଣ୍ଡିତ ପ୍ରୌଢ଼ଶ୍ରୀକୃଷ୍ଣକୁ l ଆଖିରେ ନାଚୁଥାଏ, ତାଙ୍କର ସେ ନଟ ଖଟ ବେଣୁଧର ରୂପ l ଶ୍ରୀକୃଷ୍ଣଙ୍କୁ ଦେଖି ମାତାଙ୍କର ସେହି ମନୋହର ବାଳ ଗୋପାଳ ରୂପ ଦେଖିବାକୁ ଭାରି ମନ ହେଲା l ସେ କୃଷ୍ଣଙ୍କୁ କହିଲେ କାହ୍ନୁରେ ! ଆଖିରେ ମୋର ତୋର ସେହି ମନୋହର ରୂପ ନାଚୁଛି l ଟିକିଏ ତୋ ସେହି ଭୁବନମୋହନ ରୂପ ମୋତେ ଦେଖା ବାବା l ମୋର ଚର୍ମ ଚକ୍ଷୁ ପବିତ୍ର ହୋଇ ଯାଉ l ପ୍ରଭୁ ମାୟା ରଚନା କଲେ, ସେ ତୁରନ୍ତ ନଟଖଟିଆ ବାଳଗୋପାଳ ରୂପ ଧାରଣକଲେ l ବାଳକ ଶ୍ରୀକୃଷ୍ଣ ମାଆଙ୍କ କୋଳରେ ବସିଥାନ୍ତି, ସ୍ନେହକାଙ୍ଗାଳୁଣି ମାଆ ତାଙ୍କୁ ନାନାଦ୍ରବ୍ୟ ଖୁଆଇଦେଉଥାନ୍ତି l ଏହିସମୟରେ ଦେବର୍ଷି ନାରଦ ଆସି ପହଞ୍ଚିଲେ l କୃଷ୍ଣଙ୍କୁ ପଚାରିଲେ ପ୍ରଭୋ ! ଇଏ ପୁଣି ଆପଣଙ୍କର କେଉଁ ଲୀଳା ? ପ୍ରଭୁ ଦେବର୍ଷିଙ୍କୁ ତୁରନ୍ତ ଗୋପ ପୁରକୁ ଯିବା ପାଇଁ ନିର୍ଦ୍ଧେଶ ଦେଲେ l ସେ ଗୋପରେ ପହଞ୍ଚି ଦେଖିଲେ କୃଷ୍ଣ ଓ ବଳରାମ ମାଆ ଯଶୋଦାଙ୍କ କୋଳରେ ବସି ନାନାଦି ସୁମିଷ୍ଟ ଦ୍ରବ୍ୟ ଭୋଜନ କରୁଛନ୍ତି l
ଏହି ପୌରାଣିକ ଉପାଖ୍ୟାନର ସ୍ମାରକୀ ସ୍ୱରୂପେ,
ପ୍ରଚଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ l
ଅନ୍ୟ ପୌରାଣିକ କିମ୍ବଦନ୍ତୀରୁ ଜଣାଯାଏ, ଦ୍ଵାପର
ଯୁଗରେ, ରକ୍ମିଣୀ ଯେତେବେଳେ ତାଙ୍କ ପିତ୍ରାଳୟ ଗମନ କରୁଥିଲେ, ସେତେବେଳେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କ ନାନା ବ୍ୟଞ୍ଜନ ପ୍ରସ୍ତୁତକରି ଖୁଆଇଦେଉ ଥିଲେ l ଏଇଥିରୁ ସୃଷ୍ଟି ହୋଇଛି, ମାତାଙ୍କ ବାତ୍ସଲ୍ୟ ସେବା ରୂପକ ପହିଲି ଭୋଗ l ପୁଣି ଲୋକ ବିଶ୍ୱାସ ,
ରହିଛି ଧନୁମାସଟି ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟରେ କଟାଇ ଥାନ୍ତି ଓ ଶ୍ରୀମନ୍ଦିରରୁ ଅନ୍ତର ହୋଇ ଯାନ୍ତି l ଏହା ଉତ୍କଳୀୟ ପରମ୍ପରା, ପୌଷ ମାସରେ ବୋହୁ ବାପ ଘରକୁ ଯିବାର ପରିଚାୟକ l
ପହିଲିଭୋଗରେ ବିରି ଓ ଗହମ ଚୂନାରେ ଘୃତପାଗ ହୋଇ ବହୁବିଧ ସ୍ବତନ୍ତ୍ର ପିଠାସବୁ ପ୍ରସ୍ତୁତକରି ମାଆ ଯଶୋଦା ପୁଅ କୃଷ୍ଣଙ୍କୁ ଖୁଆଉ ଥିଲେ l ସେଥିପାଇଁ ବଡ଼ିଭୋରରୁ ମହାପ୍ରଭୁଙ୍କ ପାଖରେ ପରମ୍ପରା କ୍ରମେ ଏହି ପହିଲିଭୋଗ ହୋଇଥାଏ l ଏହି ଭୋଗ ମାଆ ଯଶୋଦାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପ୍ରତି, ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ l
ପହିଲିଭୋଗ ବିଷୟରେ ମାଦଳାପାଞ୍ଜି, ବାମଦେବ ସଂହିତା, ସ୍କନ୍ଧ ପୁରାଣ, ନୀଳାଦ୍ରୀ ମହୋଦୟ ଆଦି ଗ୍ରନ୍ଥମାନଙ୍କରେ କୌଣସି ବିବରଣୀ ନଥିବାରୁ ଏହା କେବେଠାରୁ ପ୍ରଚଳିତହୋଇଛି, ସଠିକଭାବେ କହି ହୁଏନାହିଁ l ଅନୁମାନ କରାଯାଏ ଯେ ଏହା ଖ୍ରୀଷ୍ଟିୟ ଷୋଡଶ ଶତାବ୍ଦୀରୁ ଆରମ୍ଭ ହୋଇଛି ବୋଲି l
ଗ୍ରୀଷ୍ମ କାଳରେ ଶୀତଳ ଉପଚାର ନିମନ୍ତେ ଚନ୍ଦନ ଯାତ୍ରା କରିବା l ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନ କରି ଜ୍ବରରେ ପଡ଼ିବା l ଦଶ ମୂଳ ଖାଇ ଆରୋଗ୍ୟ ହେବା ପରେ, ଚିତ୍ତ ବିନୋଦନ ପାଇଁ ରଥରେ ଚଢ଼ି ଜନ୍ମସ୍ଥାନ ଆଡ଼େ ବୁଲିଯିବା l ଋତୁ ଅନୁକୂଳ ବେଶ ଧାରଣ କରିବା, ପହିଲି ଭୋଗ ଏସବୁ ମହାପ୍ରଭୁଙ୍କ ଅତୀବ ରସମୟ ଅନନ୍ୟ ମାନବୀୟ ଲୀଳା l ଜାନି ଯାତ୍ରା ବେଶ ଓ ବିଭିନ୍ନ ଲୀଳା ମାଧ୍ୟମରେ ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମକୁ ବର୍ଷ ତମାମ ଉତ୍ସବ ମୁଖର କରି ରଖିଥାନ୍ତି l ଏଣୁ କୁହାଯାଏ :-
ବଡ଼ ଦେଉଳରେ ଲାଗିଛି ନାଟ l
ନିଇତି ପୁନିଅଁ ନିଇତି ହାଟ ll
ଭାରତ ବର୍ଷର ଚାରି ଧାମ, ବଦ୍ରୀନାଥ, ରାମେଶ୍ୱର, ଶ୍ରୀକ୍ଷେତ୍ର ଓ ଦ୍ୱାରିକାଧାମରେ ମହାପ୍ରଭୁ ଯଥାକ୍ରମେ ତପସ୍ୟା ସ୍ନାନ ଭୋଜନ ଓ ଶୟନ କରିଥାନ୍ତି l ଏଣୁ ମହାପ୍ରଭୁଙ୍କ ଭୋଜନଧାମ ଭାବେ ଶ୍ରୀକ୍ଷେତ୍ର ପ୍ରସିଦ୍ଧ l ତାଙ୍କ ଲୀଳା ରସମୟ l ସେହି ରସରେ ଥରେ ମାତ୍ର ଅବଗାହନକଲେ ମଣିଷକୁ ଦିବ୍ୟାନନ୍ଦ ପ୍ରାପ୍ତି ହୋଇ ଥାଏ l କେବେ ସେ ରସରୁ ଚ୍ୟୁତ ହେଉ ନ ଥିବାରୁ ମହାପ୍ରଭୁଙ୍କ ନାମ ଅଚ୍ୟୁତ l ଶ୍ରୀମଦ ଭାଗବତରେ ଏଣୁ କୁହାଗଲା,’ଯାହାର ନାହିଁ ରସଚ୍ୟୁତ, ଅଚ୍ୟୁତ ନାମ ତେଣୁ ଖ୍ୟାତ’ l
ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଦ୍ୱାପର ଯୁଗରେ ସେହି ପ୍ରେମମୟଠାକୁର ଏବଂ ବାତ୍ସଲ୍ୟମୟୀ ମାଆ ଯଶୋମତିଙ୍କ ପ୍ରେମର ନିଦର୍ଶନ ମାତ୍ର l
ଧନ୍ୟ ଲୋ ଯଶୋଦା ମାଆ !
ଯୁଗେ ଯୁଗେ ତୋର କାଳିଆ ଛୁଆଲୋ,
ସ୍ନେହମୟୀ ତୁ ମୋ ମାଆ l
! ଜୟ ମାଆ ଯଶୋମତି !
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.