ଧବଳମୁଖୀରେ ଧଳା ବସ୍ତ୍ର ପିନ୍ଧିବେ ମା’ ସମଲେଶ୍ବରୀଙ୍କ ପୂଜକ

ସମ୍ବଲପୁର: ଗତ ଦୁଇ ବର୍ଷ ଭଳି ଏଥର ବି ମହାଳୟା ଦିନ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅବସରରେ ମନ୍ଦିରର ପୂଜକ ଗଣ ଶ୍ବେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ବରୀ ନିଜେ ଶ୍ବେତ ଶୁଭ୍ର ରୂପ ଧାରଣ କରୁଥିବାରୁ ତାଙ୍କୁ ଧଳା ବସ୍ତ୍ର ଓ ଫୁଲରେ ସଜାଉଥିବା ଓ ପୂଜା କରୁଥିବା ସେବକମାନେ ବି ଧଳା ଧୋତି, ଗାମୁଛା ପିନ୍ଧିବେ। ଏଥି ପାଇଁ ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ତରଫରୁ ସମସ୍ତ ପୂଜକଙ୍କୁ ଧଳା ଧୋତି, ଗାମୁଛା ବ୍ୟବସ୍ଥା କରାଯାଇଛି। ସାଧାରଣତଃ ବର୍ଷ ସାରା ନାଲି, ଗେରୁଆ ବା ହଳଦିଆ ବସ୍ତ୍ର ପିନ୍ଧୁଥିବା ମା’ ସମଲେଶ୍ବରୀଙ୍କ ପୂଜକ ଗଣ ମା’ଙ୍କ ଧବଳମୁଖୀ ବେଶ ଅବସର​ରେ ଧଳା ବସ୍ତ୍ର ପିନ୍ଧିବାକୁ ସମସ୍ତେ ସ୍ବାଗତ କରିଛନ୍ତି।

ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ‌ରାଜ୍ୟ ତଥା ରାଜ୍ୟ ବାହାରେ ମା’ଙ୍କ ମହିମା ସହ ପୂଜାବିଧି, ପର୍ବପର୍ବାଣିର ପ୍ରଚାର ପାଇଁ କାର୍ଯ୍ୟ କରୁଛି। ସମିତି ପକ୍ଷରୁ ୪ଟି ରାଜ୍ୟରେ ଥିବା ମା’ ସମଲେଶ୍ବରୀଙ୍କ ୩୦୦ରୁ ଅଧିକ ମନ୍ଦିରର ତାଲିକା କରାଯାଇ ସେଠାକୁ ଯାଇ ମୂଳ ପୀଠ ସହ ସଂପର୍କ ଯୋଡ଼ିବା କାର୍ଯ୍ୟ ଜାରି ରହିଛି। ଓଡ଼ିଶା ବ୍ୟତୀତ ଛତିଶଗଡ଼ର ବିଭିନ୍ନ ସହର ଓ ଗାଁରେ ମା’ ସମଲେଶ୍ବରୀଙ୍କ ବହୁ ମନ୍ଦିର ରହିଛି। ଏହା ବ୍ୟତୀତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବି ଅନେକ ସ୍ଥାନରେ ମା’ ପୂଜା ପାଉଛନ୍ତି। ମା’ଙ୍କ ମହିମା ସୁଦୂରପ୍ରସାରୀ ହୋଇଥିବା ବେଳେ ଏହାକୁ ସର୍ବଜନବିଦିତ କରିବା ପାଇଁ ଅଧିକରୁ ଅଧିକ ଲୋକ ସମିତି ସହ ଯୋଡ଼ି ହେବାକୁ ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ତରଫରୁ ଆହ୍ବାନ ଦିଆଯାଇଛି।

Comments are closed.