କଟକର ଚିନ୍ତା ବାଇମୁଣ୍ଡିକି

ଅର୍ଜୁନୀ ଚରଣ ବେହେରା

କଟକ ନଗର ଧବଳ ଟଗର
ଉଠୁଛି ପଡୁ଼ଛି ଖାଲି l
ହଜାର ବରଷ ନଗର ବାଉନ
ବଜାର ତେପନ ଗଳି ll
ଆଗେ ପଢ଼ କ ପଛେ ପଢ଼ କ
ଓଡ଼ିଶା ରାଇଜ ନାକ l
ଜ୍ଞାନୀ ବିଜ୍ଞାନୀଙ୍କ ଅଡ୍ଡାସ୍ଥଳୀ ଭାଇ
ରେଭେନ୍ଶା କଲେଜ ଛକ ll
ଲୋକାରଣ୍ୟ କାଠଯୋଡ଼ି ପଠା ବାଲି
ଚାଲିଛି ବାଲି ଯାତରା l
କଳିଙ୍ଗ ସାଧବେ ବାଲି ଦ୍ବୀପୁ ଆଣି
ବିପଣି ବସିଛି ପରା ll
ଉତ୍କଳର ସେହି ହୃତ ଗଉରବ ଦ୍ରୁତ
ବେଗେ ଗଲା କାହିଁ l
ବାଲିଯାତ୍ରା ଏବେ ପାଳୁଅଛୁ ଆମ୍ଭେ
ସେ ସ୍ମୃତି ମନେ ପକାଇ ll
ଐତିହାସିକ ଏ ନଗରୀ ଆମର
ଦୁର୍ଗ ରାଜେ ବାରବାଟି l
କଟକର ବ୍ୟଥା ଇତିହାସ କଥା
ଛାତି ଯାଉଅଛି ଫାଟି ll
କଟକକୁ ମହାନଦୀ କାଠଯୋଡ଼ି
ଗର୍ଭେ ନେଉଥିଲେ ଟାଣି l
ଗ୍ରାସ କରି ତନୁ କୃଷ ଦିନୁ ଦିନ
କାଳନଦୀ ବଢ଼ି ପାଣି ll
ଉତ୍କଳ ନରେଶ ମର୍କତ କେଶରୀ
ଚିନ୍ତା କଟକର ନାହିଁ l
ଯାଉଥିଲେ ଦିନେ ସୈନ୍ୟଦଳ ସଙ୍ଗେ
ବେଗେ ଅଶ୍ୱ ଝପଟାଇ ll
ବୁଢ଼ାଟିଏ କାହୁଁ ବାହାରି ଆସିଲା
ଅଟକାଇ ଦେଲା ବାଟ l
କହିଲା ରାଜାଙ୍କୁ ତୁମ୍ଭେ ହେ କେଶରୀ
ଗୋଟାଏ ନିଶ୍ଚେ ମର୍କଟ ll
ଥଳୀଟିଏ କାଢ଼ି ଥୋଇଲା ଛାମୁରେ
ନାମ ତାର ବାଇମୁଣ୍ଡି l
କାଠଯୋଡ଼ି ବନ୍ଧ ବାନ୍ଧ ଆହେ ରାଜା
ପ୍ରଜାଙ୍କୁ ଖାଉଛ ତଣ୍ଡି ll
ଜୀବନ ଯାକର ସଞ୍ଚୟ ମୋହର
ଛାମୁରେ କରିଲି ଜମା l
ବାଇମୁଣ୍ଡି ମୁହିଁ ବାଇଆ ଗୋଟିଏ
ପିନ୍ଧିବାକୁ ନାହିଁ ଜାମା ll
କଟକର ଚିନ୍ତା ବାଇମୁଣ୍ଡିକି ସେ
ଇତିହାସେ ହେଲା ଲେଖା l
ବାଲିଯାତ୍ରା ଆମେ ପାଳୁଛୁ କେବଳ
ଲୋକ ଦେଖାଣିଆ ଶିକ୍ଷା ll
ପୂରୁବ ଗୌରବ ପୂରୁବ ଗରବ
ଫେରାଇ ଆଣିବା ଭାଇ l
କାଠଯୋଡ଼ି ବନ୍ଧ ଦୃଢ଼େ ଅଛି ଛିଡ଼ା
ବାଇମୁଣ୍ଡି କିନ୍ତୁ ନାହିଁ ll
ଜୟ ଜୟ ମାଆ ହାଟକ ଗଉରୀ
ଚଣ୍ଡୀ ମାଆ ମହାମାୟୀ l
ଉତ୍କଳେଧିଶ୍ୱରୀ ଉତ୍ଥାନ ପତନ
କେତେ ଯେ ଦେଖିଛୁ ତୁହି ll
କହି ସେହି ଗାଥା ମାଆ ଜଗନ୍ମାତା
ଓଡ଼ିଶା ବାସୀଙ୍କ କାନେ l
ଏତିକି ଗୁହାରୀ ଚେତିକି କହିବୁ
ଉଠିବୁ ତୁ କେତେ ଦିନେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.