ସତଲକ୍ଷ୍ମୀପୁରାଣର ଗାଥା ଓ ବାର୍ତ୍ତା

ଅର୍ଜୁନୀ ଚରଣ ବେହେରା

ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ ଏହା ଦେଖି ପରାଶରଙ୍କୁ ପ୍ରଶ୍ନ କରିଛନ୍ତି ଏ ବିଷୟରେ ଜାଣିବା ପାଇଁ l ପରାଶର କହୁଛନ୍ତି :-
ଏକ ଦିନେ ଶୁକଳ ଦଶମୀ ଗୁରୁବାର,
ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ll
ନାରଦ ପୁଣି ପ୍ରଶ୍ନ କରିଛନ୍ତି ଏଭଳି ବ୍ରତକରି ଏହି ମର ଲୋକରେ କେଉଁ ମନୁଷ୍ୟ କେଉଁ ଫଳ ଲାଭ କରି ଥିଲେ l ଆଉ ଲକ୍ଷ୍ମୀ ଦ୍ରୋହ କରି ପୁଣି କିଏ ଦୁଃଖ ପାଇଛି,ଏଭଳି ଯଦି କିଛିକଥା ଥାଏ ତାହା ମୋତେ ବିସ୍ତାରିତ ଭାବେ ବୁଝାଇ ଦିଅନ୍ତୁ l
ମୁନି ପରାଶର କଥା ଆରମ୍ଭ କରିଛନ୍ତି l ସେ ଦିନ ଗୁରୁବାର ଶୁକ୍ଳଦଶମୀ ସୁଦଶା ବ୍ରତ ପଡ଼ିଛି l ଏହା ଲକ୍ଷ୍ମୀଙ୍କ ବାର,ଏଣୁ ମାଆ ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କୁ ନିବେଦନ କରିଛନ୍ତି, ଆପଣ ଆଜ୍ଞା ଦେଲେ ଆଜି ମୋ ବାରରେ ମୁଁ ଟିକିଏ ନଗର ବୁଲିଆସନ୍ତି l
ଶ୍ରୀଜଗନ୍ନାଥଙ୍କ ଆଜ୍ଞାପ୍ରାପ୍ତା ହୋଇ ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ପ୍ରଭାତରୁ ନଗର ପରିକ୍ରମାରେ ବାହାରି ଯାଇଛନ୍ତି l ପ୍ରଭାତରୁ ଯେଉଁ ମାନେ ଶଯ୍ୟା ଛାଡ଼ି ନାହାଁନ୍ତି,ଉଠି ଘର ଦ୍ୱାର ପରିଷ୍କାର କରି ନାହାଁନ୍ତି, ସେମାନଙ୍କୁ ପରିଚ୍ଛନ୍ନତା ବାର୍ତ୍ତା ଶୁଣାଇ ଆଜି ଗୁରୁ ବାର ଲକ୍ଷ୍ମୀପୂଜା କରିବାକୁ କହିଛନ୍ତି l ତା’ ପରେ ସେ ଜଣେ ସାଧବାଣୀ ଘରେ ପହଞ୍ଚି ତାର ପ୍ରଶ୍ନର ଉତ୍ତର ଦେଇ ଶ୍ରୀଲକ୍ଷ୍ମୀ ବ୍ରତ କିପରି ହେବ ତାହା ବୁଝାଇଛନ୍ତି,ମାର୍ଗଶୀର ମାସର ପ୍ରଥମ ଗୁରୁବାର l
ସେ ଦିନ ଉଷାରୁ ଶେଜ ଛାଡ଼ି ଉଠିବ l ଗୋମୟ ଜଳରେ ଘର ଦ୍ୱାର ଲିପିବ l ଲକ୍ଷ୍ମୀ ଦେବୀ ପାଦ ପଦ୍ମ ପକାଇ ଚିତା ଲେଖିବ l ନୂଆମାଣ ଗୋଟିଏ ଆଣି ଯତ୍ନରେ ରଖିବ,ମାଣକୁ ଝୋଟିଦେଇ ଚିତ୍ରିତ କରିବ l ଖଟୁଲିଟିଏ ଧୋଇ ଧାଇ ଚିତ୍ରିତ କରିବ l ମାଣରେ ନୂଆ ଧାନ ମାପି ଖଟୁଲିରେ କୁଢାଇବ l ନୂଆଧାନରେ ମାଣ ପୁରାକରି ଖଟୁଲିରେ ରଖିବ l ମାଣ ଉପରେ ଧାନ କେଣ୍ଡାର ମେଣ୍ଟା ତିଆରିକରି ରଖିବ, ତିନିଗୋଟି ଗୁଆକୁ ଧୋଇ ଧାଇ ରଖିବ l ମୂଳା, ଆଖୁ, କଦଳୀ ଆଦିରେ ଚୁଳକୁ ସଜାଇବ l ରଙ୍ଗୀନ ଲୁଗା ଦେଇ ମେଣ୍ଟାକୁ ଆବୃତ୍ତ କରି ଧୂପ ଦୀପଦାନରେ ମାଆ ଲକ୍ଷ୍ମୀଙ୍କୁ ଆରାଧନା କରିବ l ତା ପରେ ଭୋଗ ଲଗାଇବ l ପ୍ରଥମରେ ବାଳଧୂପ ତା ପରେ ସଙ୍ଖୁଡି l
ସେ ସାଧବାଣୀକୁ ଲକ୍ଷ୍ମୀ ଏହିପରି ପୂଜା ଵିଧିମାନ ବତାଇଛନ୍ତି l ପରେ ସାଧବାଣୀ ପ୍ରଶ୍ନ କରିବାରେ ଲକ୍ଷ୍ମୀ ପୁନଃ ଗୁରୁବାର ଦିନ କେଉଁ କାର୍ଯ୍ୟ ନିଷିଦ୍ଧ ତାହା ବତାଇଛନ୍ତି l କଥା ମାଧ୍ୟମରେ ଲକ୍ଷ୍ମୀ ବକ୍ର ଶେଯପାରି ଶୋଇବା,ଶାଶୁ ଶଶୁରଙ୍କୁ ନ ମାନିବା, ସଭାରେ ବସି ମିଛ କହିବା, କଥା କହୁ କହୁ ସବୁ ବେଳେ ହସିବା, ଏ ସବୁ ଅନୀତି ବିଷୟରେ କହି ଶେଷରେ ନାରୀଧର୍ମ କିପରି ପାଳନ କରିବ ତାହା ବୁଝାଇଛନ୍ତି l ଏହାପରେ ଲକ୍ଷ୍ମୀ ଯାଇ ପହଞ୍ଚିଛନ୍ତି ଚାଣ୍ଡାଳସାହିରେ ଶ୍ରୀୟାଚଣ୍ଡାଳୁଣୀ ଘରେ l ନଗର ବାହାରେ ତା’ ଘର l ସେ ପ୍ରତିଦିନ ଗୁଣ୍ଡିଚାମନ୍ଦିର ଝାଡ଼ୁ କରେ l ତାର ଶ୍ରୀବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ପ୍ରତି ଅଚଳା ଭକ୍ତି l
ସେଦିନ ଶ୍ରୀୟା ଶୁଦ୍ଧପୂତ ଭାବେ ଲକ୍ଷ୍ମୀପୂଜା ଏବଂ ମାଣବସା ପୂଜାପାଇଁ ସମସ୍ତ ଆୟୋଜନ କରିଛି l ଯୋଗକୁ ସେଦିନ ସୁଦଶା ବ୍ରତଟି ପଡିଛି l ଶ୍ରୀୟା ଆଙ୍କିଥିବା ଝୋଟି ପଦ୍ମ ଫୁଲ ଉପରେ ଯାଇ ଠିଆ ହୋଇଛନ୍ତି ମାଆ ପଦ୍ମାଳୟା l ଶ୍ରୀୟାର ପୂଜାରେ, ଶୁଦ୍ଧପୂତତାରେ ମାଆ ସନ୍ତୁଷ୍ଟହୋଇ ଶ୍ରୀୟାକୁ ବର ଦେଇଛନ୍ତି l ଚଣ୍ଡାଳୁଣୀ ଘର ଧନ ଧାନ୍ୟରେ ପୁରି ଉଠିଛି l
ତା ପରେ ଲକ୍ଷ୍ମୀ ଫେରି ଆସିଛନ୍ତି ଶ୍ରୀ ମନ୍ଦିରକୁ l ଦୁଆରେ ପହଞ୍ଚି ଦେଖିଲେ ଜଗାବଳିଆ ଦୁଇଭାଈ ବସିଛନ୍ତି l ତାଙ୍କୁ ଲକ୍ଷ୍ମୀ କହିଲେ ବାଟ ଛାଡ଼ନ୍ତୁ ମୁଁ ଶ୍ରୀ ମନ୍ଦିର ଗଲେ ତୁମ ନିମନ୍ତେ ମଣୋହି ତିଆରି କରିବି l କିନ୍ତୁ ଲକ୍ଷ୍ମୀ ଚଣ୍ଡାଳ ସାହି ଯାଇ ଅପବିତ୍ର ହୋଇଛନ୍ତି ! କିପରି ମନ୍ଦିରକୁ ପ୍ରବେଶ କରିବେ !! ଏହି କଥାକୁ ଅଡ଼ିବସିଛନ୍ତି ଦୁଇଭାଈ l ଜଗନ୍ନାଥେ ଲକ୍ଷ୍ମୀଙ୍କୁ କହିଲେ, ତୁମେ ଚାଣ୍ଡାଳ ସାହିକୁ କିମ୍ପାଇଁ ଯାଇଥିଲ l ତୁମେ ଚାଣ୍ଡାଳ ଘରେ ପୂଜା ଘେନିଛ l ସେଠାକୁ ଯାଇ, ତୁମେ ଅପବିତ୍ର ହୋଇଛ l ଏହା ବଡ଼ଭାଇ ଜାଣିଛନ୍ତି l ତାଙ୍କର ନିର୍ଦ୍ଦେଶରେ ତୁମକୁ ମନ୍ଦିର ପ୍ରବେଶ ମନା l ମୁଁ ଦେଖିଥିଲେ କୌଣସି ମତେ ଏହାକୁ ଘୋଡ଼ାଇ ଦେଇ ଥାନ୍ତି l କିନ୍ତୁ ବଡ଼ ଭାଇ ସ୍ୱୟଂ ଏହାକୁ ଦେଖିଛନ୍ତି l
ଲକ୍ଷ୍ମୀ ଯେତେ ଯାହା ବୁଝାଇଲେ ମଧ୍ୟ ବଡ଼ଠାକୁର ଓ ଜଗନ୍ନାଥେ ବୁଝି ନାହାଁନ୍ତି l ଶେଷକୁ ଲକ୍ଷ୍ମୀ ବାଧ୍ୟ ହୋଇ ସେଠାରୁ ପ୍ରସ୍ଥାନ କରିଛନ୍ତି l ଗଲାବେଳେ ଦୁଇ ଭାଇଙ୍କୁ ଅଭିଶାପ ଦେଇ ଯାଇଛନ୍ତି :-
ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ l
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ll
ବାରବର୍ଷ ଯାଏ ତୁମ୍ଭେ ମାନେ ଦରିଦ୍ର ହୋଇ ବାର ଦ୍ୱାର ଭିକ୍ଷୁକଭାବେ ବୁଲିବ l ତୁମ୍ଭଙ୍କୁ କେଉଁଠାରେ ଅନ୍ନ, ବସ୍ତ୍ର, ଜଳ ମିଳିବ ନାହିଁ l ଆଉ ଚଣ୍ଡାଳୁଣୀ କହି ମୋତେ ଶ୍ରୀମନ୍ଦିରରୁ ବହାର କରି ଦେଉଛ, ଦେଖିବ ସେହି ଦିନ ଆସିବ l ହେ ପ୍ରଭୁ କାଳୀୟ ଗଞ୍ଜନ ! ଏହି ଚଣ୍ଡାଳୁଣୀ ହସ୍ତରୁ ତୁମେ ଭୋଜନ କରିବ l
ଲକ୍ଷ୍ମୀ ଯାଇ ସାଗର କୂଳରେ ବିଶ୍ଵକର୍ମାଙ୍କ ନିର୍ମିତ ନବରରେ ନିବାସ କରିଛନ୍ତି ଓ ବେତାଳ ମାନଙ୍କ ଦ୍ୱାରା ଶ୍ରୀ ମନ୍ଦିରର ସମସ୍ତ ସମ୍ପଦକୁ ହରଣ କରି ଆଣିଛନ୍ତି l ବଳଭଦ୍ର ଓ ଜଗନ୍ନାଥ ତା ପରେ ଭିକ ମାଗି ବୁଲିଛନ୍ତି l ଲକ୍ଷ୍ମୀଛଡ଼ା ହୋଇଥିବାରୁ କେଉଁ ଠାରେ ଭିକ୍ଷା ମିଳିନାହିଁ l ଲକ୍ଷ୍ମୀଛଡ଼ା ଜଗନ୍ନାଥ ଓ ବଳରାମଙ୍କୁ ଲୋକେ ଦୂର ଦୂର ମାର ମାର କହି ତଡ଼ି ଘଉଡ଼େଇ ଦେଇଛନ୍ତି l ଏପରିକି ମିଳି ଥିବା ଭିକ୍ଷା ମଧ୍ୟ ତାଙ୍କୁ ପ୍ରାପ୍ତ ନ ହୋଇ ପବନରେ ଉଡ଼ି ଯାଇଛି l ଶେଷରେ ଯାଇ ସେମାନେ ମା’ଲକ୍ଷ୍ମୀଙ୍କ ଦୁଆରେ ଭିକ୍ଷା ମାଗିଛନ୍ତି l ତାଙ୍କ ହାତରନ୍ଧା ଖାଇ ତାଙ୍କୁ କ୍ଷମା ମାଗି ପୁନଶ୍ଚ ଶ୍ରୀ ମନ୍ଦିରକୁ ଫେରାଇ ଆଣିଛନ୍ତି l
ଏହା ହିଁ ଲକ୍ଷ୍ମୀ ପୁରାଣର କଥାବସ୍ତୁ l ଏହି କଥାକୁ ନେଇ କେତେ କାବ୍ୟ, କବିତା, ନାଟକ,ଚଳଚ୍ଚିତ୍ର, ଦୂରଦର୍ଶନ ସିରିଏଲ ପ୍ରସ୍ତୁତ ହୋଇଛି l ଏଥିପାଇଁ ବୋଧହୁଏ ବଳରାମଦାସ କୃତ ଏ କ୍ଷୁଦ୍ର ପୁସ୍ତିକାଟି ଏକ ମହା ପୁରାଣ ଭାବରେ ଖ୍ୟାତି ଲାଭ କରିଛି l ଏହାର ଖ୍ୟାତି ଦିନେ ପଡୋଶୀ ପଶ୍ଚିମ ବଙ୍ଗରେ ବ୍ୟାପ୍ତଥିଲା l ପଶ୍ଚିମବଙ୍ଗର କବି ଦେବକୀନନ୍ଦନ ତାଙ୍କ ବୈଷ୍ଣବ ବନ୍ଦନା ଗ୍ରନ୍ଥରେ ଲେଖିଛନ୍ତି :-
ବନ୍ଦେ ଉଡ଼ିଆ ବଳରାମ ଦାସ ମହାଶୟ l
ଜଗନ୍ନାଥ ବଳରାମ ଯା’ର ବଶ ହୟ ll
ଏହି କ୍ଷୁଦ୍ର ପୁସ୍ତିକାଟିର ଲୋକପ୍ରିୟତାକୁ ବିଚାରକୁ ନେଲେ ବୁଝାଯାଏ ପ୍ରକୃତ ପକ୍ଷେ ଏହା ଏକ ମହା ପୁରାଣ l ଲକ୍ଷ୍ମୀପୂରାଣ ମାଧ୍ୟମରେ କବି ବଳରାମ ସମାଜକୁ କେତେ ଯେ ବାର୍ତ୍ତା ଦେଇଛନ୍ତି ତାହାର ତୁଳନା ନାହିଁ l ନାରୀର ସ୍ୱାଧୀନତା ଓ ମର୍ଯ୍ୟାଦା ପ୍ରତିଷ୍ଠାପାଇଁ ଏହାମଧ୍ୟରେ ବାର୍ତ୍ତା ଅଛି, ମହାପ୍ରଭୁ
ଜଗନ୍ନାଥ ଯେବେ ମୋତେ ନଖୋଜିବେ, ତେବେ
ନାରୀଙ୍କୁ ପୁରୁଷ ମାନେ ଆଉ ଲୋଡ଼ିବେ ନାହିଁ l
ମୋତେ ଘେନି ପ୍ରଭୁ ଯେବେ ଘର ନ କରିବେ l ତେବେ ଏ କଳି ଯୁଗରେ ନାରୀଙ୍କୁ ଆଉ ପୁରୁଷ ଖୋଜିବେ ନାହିଁ l
ଲକ୍ଷ୍ମୀ ଶ୍ରୀମନ୍ଦିର ଫେରିବା ପୂର୍ବରୁ ସର୍ତ୍ତ ରଖିଛନ୍ତି ଓ ପ୍ରଭୁ ତାହା ଗ୍ରହଣ କରିଛନ୍ତି l ସର୍ତ୍ତ ମାଧ୍ୟମରେ ଜାତି ପ୍ରଥା ବିରୁଦ୍ଧରେ ବାର୍ତ୍ତା ଦିଆଯାଇଛି :-
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ l
ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ll
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁ ଥିବେ ହସ୍ତ l
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ll
ଲକ୍ଷ୍ମୀପୁରାଣରେ ରହିଛି ସ୍ୱଚ୍ଛତାଅଭିଯାନ ବାର୍ତ୍ତା l ନାରୀ ଜାଗରଣ ଓ ମହିଳା ସଶକ୍ତି କରଣ, ଜାତି ପ୍ରଥା ଓ ଅସ୍ପୃଶ୍ୟତା ନିବାରଣ, ଖାଦ୍ୟ ସୁରକ୍ଷା ଓ ପାରିବାରିକ ମୂଲ୍ୟ ବୋଧର ବାର୍ତ୍ତା l ଏକ ସୁନ୍ଦର ସ୍ଵଚ୍ଛ ପରିବେଶ ସୃଷ୍ଟି କରିବା ନିମନ୍ତେ ଗୁରୁ ବାର ମାଣବସାବ୍ରତର ସୃଷ୍ଟି,ଯାହା ଉତ୍କଳ ଭୂମିର ଏକ ଅନନ୍ୟ ପରମ୍ପରା l ନାରୀର ସ୍ବାଧୀକାର,କର୍ତ୍ତବ୍ୟ ପାଇଁ ଏହା ଏକ ସୁଦୂର ପ୍ରସାରୀ ବାର୍ତ୍ତା ଦେଇଛି l ଏବେ ମାର୍ଗଶୀରମାସ ପ୍ରତିଗୁରୁବାର ଅବସରରେ ମାଣବସା ଗୁରୁବାର ଭାବେ ମାଆ ଲକ୍ଷ୍ମୀଙ୍କ ପୁକା ହେଉଛି l ଇତ୍ୟବସରେ ମାଆ ଲକ୍ଷ୍ମୀଙ୍କୁ ପ୍ରାର୍ଥନା, ସେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ସକଳ ଐଶ୍ୱର୍ଯ୍ୟ ପ୍ରଦାନ କରି ଜଗତ ବାସୀଙ୍କର କଲ୍ୟାଣ କରନ୍ତୁ,ସଭିଙ୍କ ଅବିଦ୍ୟା ନାଶ କରନ୍ତୁ,ଦୁଃଖ ହରଣ କରନ୍ତୁ !
କମଳେ କମଳାୠଢ଼େ
ଶକ୍ତି ପ୍ରଦାୟିନୀ ଦେବୀ l
ତ୍ରୈଲୋକ୍ୟପାଳିନୀ ଦେବୀ
ସତତଂ ତାଂ ନମାମ୍ୟହମ୍ ll
ବିଦେହୀ ଦେବୀ କଲ୍ୟାଣ
କଳୁଷମ୍ ଜନମଙ୍ଗଳମ୍ l
ମମାଭୀଷ୍ଟମ୍ ପ୍ରଦଂ ଭୃତ୍ୱା
ବାଞ୍ଛତାଥ୍ୟଂ ଚ ଦେହିମେ ll
ଓଁ ଶ୍ରୀ ମହାଲକ୍ଷ୍ମୀ ନମସ୍ତୁତେ !
———–
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ – 76930 91971ତଂ ତାଂ ନମାମ୍ୟହମ୍ ll
ବିଦେହୀ ଦେବୀ କଲ୍ୟାଣ
କଳୁଷମ୍ ଜନମଙ୍ଗଳମ୍ l
ମମାଭୀଷ୍ଟମ୍ ପ୍ରଦଂ ଭୃତ୍ୱା
ବାଞ୍ଛତାଥ୍ୟଂ ଚ ଦେହିମେ ll
ଓଁ ଶ୍ରୀ
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ – 76930 91971

Comments are closed.