ଏନ୍‌ଡିଏରେ ଫାଟ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଚିରାଗ

ନୂଆଦିଲ୍ଲୀ: ଦଳିତକୁ ମିଳୁଥିବା ସଂରକ୍ଷଣକୁ ନେଇ ଏନ୍‌ଡିଏରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କେନ୍ଦ୍ର କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନରାମ ମାଞ୍ଝିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ଚିରାଗ ପାଶୱାନ ବିହାର ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ସୁମନଙ୍କୁ ମଧ୍ୟ ନିଜ ପଦ ଛାଡ଼ିବାକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶନିବାର କହିଛନ୍ତି ଯେ ଜିତନରାମ ଦଳିତ ସଂରକ୍ଷଣରେ ସବ-କ୍ୟାଟେଗୋରାଇଜେସନ (ଉପ-ବର୍ଗୀକରଣ) କଥା କହୁଛନ୍ତି, ଏପରି ସ୍ଥିତିରେ ସେ ଏବଂ ତାଙ୍କ ପୁଅ ସବୁଠାରୁ ପ୍ରଥମେ ମନ୍ତ୍ରିପଦ ଛାଡ଼ିବା ଉଚିତ।
ଶନିବାର ସାମ୍ୱାଦିକମାନଙ୍କ ସହ ଆଲୋଚନା ସମୟରେ ଚିରାଗ ପାଶୱାନ କହିଛନ୍ତି ଅନୁସୂଚିତ ବର୍ଗର ସମସ୍ତ ଜାତି ଏକାଠି ଛିଡ଼ା ହୋଇଛନ୍ତି, ସେଥିପାଇଁ ସେମାନେ ଶକ୍ତିଶାଳୀ ଅଛନ୍ତି। ଯଦି ସେମାନଙ୍କର ଏକତା ନ ରହେ, ତେବେ ସଂରକ୍ଷଣ ଶେଷ ହୋଇଯିବ। ସେ ଆହୁରି କହିଛନ୍ତି ତାଙ୍କ ଦଳ ଦଳିତ ସଂରକ୍ଷଣରେ ସବ-କୋଟା ସପକ୍ଷରେ ଆଦୌ ନାହିଁ। ଚିରାଗ ପାଶୱାନ ଏହାକୁ ସମ୍ୱିଧାନର ଅବମାନନା ବୋଲି ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ସମ୍ୱିଧାନରେ ଦଳିତମାନଙ୍କୁ ବହୁତ ଭାବିଚିନ୍ତି ସଂରକ୍ଷଣ ଦିଆଯାଇଛି, ଏହା ସମାଜ ଏବଂ ଅଛୁଆଁଭାବ ଆଧାରରେ ଦିଆଯାଇଛି, ସେଥିରେ କୌଣସିଠାରେ ବି ଆର୍ଥିକ ସ୍ଥିତିକୁ ସଂରକ୍ଷଣର ଆଧାର ବୋଲି କୁହାଯାଇ ନାହିଁ।
ଚିରାଗ ପାଶୱାନ କେନ୍ଦ୍ରମନ୍ତ୍ରୀ ଜିତନରାମଙ୍କୁ କଡ଼ା ଜବାବ ଦେଇ କହିଛନ୍ତି ଯଦି ସେ ଚାହୁଁଛନ୍ତି ଯେ ସଂରକ୍ଷଣରେ ସବ-କ୍ୟାଟେଗୋରୀ (ଉପ-ବର୍ଗ) ହେବା ଉଚିତ, ତେବେ ପ୍ରଥମେ ସେ ମନ୍ତ୍ରୀ ପଦ ଛାଡ଼ନ୍ତୁ ଏବଂ ବିହାର ସରକାରରେ ମନ୍ତ୍ରୀ ଥିବା ତାଙ୍କ ପୁଅ ସନ୍ତୋଷ ସୁମନ ମଧ୍ୟ ଇସ୍ତଫା ଦିଅନ୍ତୁ। ସେ କହିଛନ୍ତି ବାପ-ପୁଅ ଯଦି ସମ୍ୱିଧାନ ବଦଳାଇବାକୁ ଚାହୁଁଛନ୍ତି, ତେବେ ଇସ୍ତଫା ଦେବା ପରେ ସଂରକ୍ଷଣ ପ୍ରସଙ୍ଗରେ ଗୃହକୁ ଆସି ଆଲୋଚନା କରନ୍ତୁ। ସୂଚନାଥାଉ କି ଶୁକ୍ରବାର ସନ୍ତୋଷ ସୁମନ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା ପ୍ରସଙ୍ଗ ଉଠାଇଥିଲେ।

Comments are closed.