ବାଲେଶ୍ୱର ରେଳ ଷ୍ଟେସନରେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ପାଇଁ ସିପିଆର୍ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ

0
ବାଲେଶ୍ୱର, ଜୁଲାଇ ୨୮ (କୃଷ୍ଣ କୁମାର ମହାନ୍ତି): ରେଳବାଇ ନେଟୱର୍କରେ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ସୁରକ୍ଷା ସଂସ୍କୃତିକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅଧୀନ ନଂ-୨୨ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡ୍ ପକ୍ଷରୁ ବାଲେଶ୍ୱର ରେଳ ଷ୍ଟେସନରେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା, ସିପିଆର୍ (CPR) ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ଏକ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ କର୍ମଚାରୀଙ୍କୁ ଜୀବନ ରକ୍ଷାକାରୀ କୌଶଳ ଓ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ସମ୍ପର୍କରେ ଦକ୍ଷ କରାଇବା, ଯାହାଦ୍ୱାରା ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ସେମାନେ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି ଓ ବିପର୍ଯ୍ୟୟକୁ ଦକ୍ଷତାର ସହ ସମ୍ଭାଳି ପାରିବେ।
ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡର ପ୍ରମାଣିତ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଏବଂ ଅଭିଜ୍ଞ ସ୍ୱେଚ୍ଛାସେବୀମାନେ ତାତ୍ତ୍ୱିକ ଓ ବ୍ୟବହାରିକ ଉଭୟ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଅଂଶଗ୍ରହଣକାରୀମାନେ ସିପିଆର୍, ବେସିକ୍ ଲାଇଫ୍ ସପୋର୍ଟ (BLS), ଅଟୋମେଟେଡ୍ ଏକ୍ସଟର୍ନାଲ୍ ଡିଫିବ୍ରିଲେଟର୍ (AED) ବ୍ୟବହାର, ରକ୍ତସ୍ରାବ ଓ ଶକ୍ ପରିଚାଳନା, ହାଡ଼ ଭାଙ୍ଗିବା ସ୍ଥିତିରେ ପ୍ରାଥମିକ ଚିକିତ୍ସା, ସୁରକ୍ଷିତ ଭାବେ ଆହତଙ୍କୁ ସ୍ଥାନାନ୍ତରଣ, ଅଗ୍ନି ନିରାପତ୍ତା, ଉଦ୍ଧାର ଓ ନିର୍ଗମନ ପ୍ରକ୍ରିୟା ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ସମ୍ପର୍କରେ ବିସ୍ତୃତ ତାଲିମ ପାଇଥିଲେ।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ସିପିଆର୍‌ର ସଜୀବ ପ୍ରଦର୍ଶନ। ପ୍ରଶିକ୍ଷାର୍ଥୀମାନେ ସିପିଆର୍ ମାନିକିନ୍ ଉପରେ ଛାତି ଚାପ ପ୍ରୟୋଗ ଓ ଜରୁରୀ ପ୍ରତିକ୍ରିୟା କୌଶଳର ବ୍ୟବହାରିକ ଅଭ୍ୟାସ କରିଥିଲେ। ଏହା ସେମାନଙ୍କୁ ଜରୁରୀ ସମୟରେ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାରେ ସହାୟକ ହୋଇଥିଲା।
ପ୍ରଶିକ୍ଷକମାନେ ଜରୁରୀ ପରିସ୍ଥିତିରେ ସତର୍କ ରହିବା, ଦ୍ରୁତ ଓ ପ୍ରଭାବଶାଳୀ ଯୋଗାଯୋଗ କରିବା, ନିଜ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ସହାୟତା କରିବା ଏବଂ ନିରନ୍ତର ଶିକ୍ଷା ଓ ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡର ସଦସ୍ୟମାନେ କହିଥିଲେ ଯେ, ସମୟୋପଯୋଗୀ ପ୍ରଥମିକ ଚିକିତ୍ସା ଏବଂ ତୁରନ୍ତ ସିପିଆର୍ ପ୍ରଦାନ ଅନେକ କ୍ଷେତ୍ରରେ ଜୀବନ ରକ୍ଷା କରିପାରେ। ଏଭଳି ପ୍ରଶିକ୍ଷଣ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କୁ ଯାତ୍ରୀ ଓ ସହକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବାରେ ଅଧିକ ସକ୍ଷମ କରିଥାଏ।
ଖଡ଼ଗପୁର ଡିଭିଜନ ପକ୍ଷରୁ ଭବିଷ୍ୟତରେ ମଧ୍ୟ ଏଭଳି କ୍ଷମତା ବିକାଶ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଇ ରେଳବାଇର ଜରୁରୀକାଳୀନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରାଯିବ ବୋଲି ଜଣାପଡ଼ିଛି।
Leave A Reply

Your email address will not be published.