କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସୁରକ୍ଷା ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ହଷ୍ଟେଲ ସୁବିଧା, ପାଠପଢ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, କ୍ୟାମ୍ପସରେ ଅନାବନା ଗଛ ଓ ବୁଦା ବଢ଼ିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ହଷ୍ଟେଲ ଆରମ୍ଭ ହୋଇଥିଲେ ସୁଦ୍ଧା କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା ୱାର୍ଡେନ୍ କ୍ୟାମ୍ପସରେ ରହୁନାହାନ୍ତି। କ୍ଲାସରୁମର ସ୍ମାର୍ଟ ବୋର୍ଡଗୁଡ଼ିକ କାମ କରୁନଥିବା ବେଳେ ଡାକ୍ତରୀ ସୁବିଧା ଓ ବିଶ୍ୱବିଦ୍ୟାଳୟ ବସ୍ ସେବା ନଥିବାରୁ ଜରୁରୀ ସମୟରେ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି।
ଏହାଛଡ଼ା ଫିଜିକ୍ସ ଓ କେମିଷ୍ଟ୍ରି ଲାବ୍ ନଥିବାରୁ ପ୍ରାକ୍ଟିକାଲ୍ ପାଇଁ ଛାତ୍ରଛାତ୍ରୀଙ୍କୁ ୧୫ କିଲୋମିଟର ଦୂରରେ ଥିବା ପ୍ରଥମ କ୍ୟାମ୍ପସକୁ ଯିବାକୁ ପଡ଼ୁଛି। ପୂର୍ବରୁ ଅନେକ ଥର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନଥିବା ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପତ୍ର ମିଳିଥିବା କୁଳପତି ସ୍ୱୀକାର କରିଛନ୍ତି। ଖୁବଶୀଘ୍ର ଦ୍ୱିତୀୟ କ୍ୟାମ୍ପସ ପରିଦର୍ଶନ କରି ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
Comments are closed.