ଚିଲିକାରେ ମାଛଜାଲରେ ଫସିଗଲେ କେନ୍ଦ୍ର ମତ୍ସ୍ୟଚାଷ ମନ୍ତ୍ରୀ,

ବାଲୁଗାଁ: ମରାଳ ମାଳିନୀ ‘ଚିଲିକା’ର ଜଳରାଶିରେ ରବିବାର ସନ୍ଧ୍ୟାରେ କେନ୍ଦ୍ର ମତ୍ସ୍ୟ, ପଶୁ ଏବଂ ଗୋପାଳନ ମନ୍ତ୍ରୀ ପା‌ର୍ଷୋତ୍ତମ ରୁପାଲା ଫସିଛନ୍ତି। ବାଲୁଗାଁ ନିକଟ ବରକୁଳ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାକୁ ଜଳପଥରେ ଯିବା ସମୟରେ ସେ ବସିଥିବା ଡଙ୍ଗାଟି ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦି ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଡଙ୍ଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଅଟକି ରହିଥିଲା। ଫଳରେ ସେ ସାତପଡ଼ାକୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା।

ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ରୁପାଲା ଆଜି ଦିନିକିଆ ଗଂଜାମ ଓ ଖୋର୍ଦ୍ଧା ଗସ୍ତରେ ଥିଲେ। ‘ସାଗର ପରିକ୍ରମା ପର୍ଯ୍ୟାୟ-୧୧’ର ସମୀକ୍ଷା କରିଥିଲେ। ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦର ପରିସରରେ ଥିବା ମତ୍ସ୍ୟ ଜେଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ସେ ବାଲୁଗାଁରେ ମତ୍ସ୍ୟଜୀବୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହା ପରେ ପତ୍ନୀ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ନିଜର ବ୍ୟକ୍ତିଗତ ସଚିବଙ୍କୁ ନେଇ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସାତପଡ଼ା ଅଭିମୁଖେ ବାହାରିଥିଲେ। ଅଧ ବାଟରେ ମନ୍ତ୍ରୀଙ୍କ ଡଙ୍ଗାଟି ମତ୍ସ୍ୟଜୀବୀଙ୍କ ଜାଲରେ ଫସି ଯାଇଥିଲା। ପରେ ଘଟଣାସ୍ଥଳରେ ଅନ୍ୟ ମତ୍ସ୍ୟଜୀବୀମାନେ ପହଞ୍ଚି ଡଙ୍ଗାକୁ ଉଦ୍ଧାର କରିଥିଲେ। ଶେଷରେ ମନ୍ତ୍ରୀଙ୍କ ଡଙ୍ଗା ପ୍ରାୟ ସାଢ଼େ ୮ଟାରେ ସାତପଡ଼ାରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସାଗର ପରିକ୍ରମା ଉଦ୍ଦେଶ୍ୟରେ ଚିଲିକା ଗସ୍ତ କରି ମତ୍ସ୍ୟଜୀବୀମାନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏଥି ସହିତ ଚିଲିକା ମତ୍ସ୍ୟ ସମ୍ପଦ ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ବାଲୁଗାଁ ଚିଲିକାକୂଳସ୍ଥିତ ନୂତନ ଜେଟି ଠାରେ କେନ୍ଦ୍ରମନ୍ତ୍ରୀ ଚିଲିକାରେ ମତ୍ସ ସମ୍ପଦର ହ୍ରାସ ହେବା ଦିଗରେ କ୍ଷୋଭ ପ୍ରକାଶ କରିଥିଲେ। ଚିଲିକାରେ କାହିଁକି ମତ୍ସ୍ୟଜୀବୀମାନେ ହତାଦର ହୋଇ ପଡିଛନ୍ତି ଓ ମତ୍ସ୍ୟ ସମ୍ପଦ କାହିଁକି ହ୍ରାସ ହେଉଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ସେ କୃଷକମାନଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମସ୍ୟଜୀବୀଙ୍କ ପାଇଁ ଆସୁଥିବା ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ଓ ତାର ଉପଯୋଗ ବିଷୟରେ ପରାମର୍ଶ ଦେଇଥିଲେ। ମସ୍ୟଜୀବୀଙ୍କ କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଦିଗଦର୍ଶନ ଦେଇଥଲେ। ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଶ୍ଵକର୍ମା ଯୋଜନା ଓ କିଶାନ କ୍ରେଡିଟ କାର୍ଡ କିପରି ପାଇବେ ସେ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ,

କେନ୍ଦ୍ରମନ୍ତ୍ରୀ ବାଲୁଗାଁ ନିକଟସ୍ଥ କୋଦପୁରର ମତ୍ସ୍ୟଜୀବୀ କାର୍ତ୍ତିକ ବେହେରାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ଗରିବ ଘରର ଖାଦ୍ୟ ଖାଇ କେନ୍ଦ୍ରମନ୍ତ୍ରୀ ଖୁବ ଆନନ୍ଦିତ ହେବା ସହିତ ଓଡ଼ିଆଙ୍କ ଖାଦ୍ୟକୁ ଖୁବ ପ୍ରଶଂସା କରିଥିଲେ। ପରେ ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ମତ୍ସ୍ୟଜୀବୀ ଗ୍ରାମ ଅଭିମୁଖେ ଯାତ୍ରା କରି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ନେତା ପୃଥୀରାଜ ହରିଚନ୍ଦନ, ଦୁଷ୍ମନ୍ତ ହରିଚନ୍ଦନ, ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠି, ଚିଲିକା ବ୍ଲକ ଅଧଃକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ବାଲୁଗାଁ ମଣ୍ଡଳ ସମ୍ପାଦକ ଅଜୟ କୁମାର ତରାଇ, ରଞ୍ଜିତ ବଡ଼ଜେନା ପ୍ରମୁଖ ଯୋଗଦେଇଥିଲେ।

Comments are closed.