ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

0

ଭୁବନେଶ୍ବର : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଭିଆଇପି ଗସ୍ତ ସମୟରେ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ହେଲିପ୍ୟାଡ୍, ମଞ୍ଚ ବ୍ୟବସ୍ଥା, ଜନସମାଗମ ନିୟନ୍ତ୍ରଣ ଏବଂ ବିଭିନ୍ନ ପ୍ରୋଟୋକଲ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷପୂର୍ତ୍ତି ଉତ୍ସବକୁ ବିଶେଷ ଢଙ୍ଗରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଯାଉଛି। ଏହା ରାଜ୍ୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ବୋଲି ସରକାରୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଜୁନ୍ ୧୯ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ପରଦିନ ଅର୍ଥାତ୍ ଜୁନ୍ ୨୦ ତାରିଖରେ ତାଙ୍କ ଜନ୍ମଦିବସ ପାଳନ ସହ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷପୂର୍ତ୍ତି ଉତ୍ସବ ଆୟୋଜିତ ହେବ। ସେହି ଦିନ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଏହି ଗସ୍ତ ଅବସରରେ ରାଜ୍ୟର ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯିବ। ଭିତ୍ତିଭୂମି, ଯୋଗାଯୋଗ, ଶିଳ୍ପ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ପ୍ରକଳ୍ପ ଲୋକାର୍ପିତ ହେବାର ସମ୍ଭାବନା ରହିଛି।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ଏହି ଗସ୍ତ ରାଜ୍ୟର ବିକାଶ ଯାତ୍ରାରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.