ଚାରି ବର୍ଷ ପରେ ବାହାରକୁ ଆସିଲା ସତ: ସ୍ବାମୀଙ୍କୁ ହତ୍ୟା କରି ପ୍ରେମିକ ଘ‌ରେ ପୋତିଥିଲା ମହିଳା

ଗାଜିଆବାଦ୍‌: ପ୍ରେମ ପାଇଁ ହତ୍ୟା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ପ୍ରେମିକ ସହ ମିଶି ସ୍ବାମୀର ହତ୍ୟା ବି ଅଧିକାଂଶ ମହିଳାଙ୍କ ପାଇଁ ଏକ ପିଲା ଖେଳ ପାଲଟିଛି। ନିକଟରେ ଗାଜିଆବାଦ୍‌ ପୁଲିସ୍‌ ସେପରି ଏକ ଘଟଣାର ତଦନ୍ତ କରିଛି। ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରି  ଘର ଭିତରେ ଗାତ ଖୋଳି ଚଳଚ୍ଚିତ୍ର ଶୈଳୀରେ ପୋତି ଦେଇଥିଲା।

ଘଟଣାଟି ହେଉଛି ୨୦୧୮ ମସିହାର। ପୁଲିସ୍‌ ସେହି ଘଟଣାର ତଦନ୍ତ କରି ନିକଟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍‌ ଉକ୍ତ ମାମଲାର ତଦନ୍ତ କରି ଜାଣିବାକୁ ପାଇଛି ଯେ ମହିଳା ଜଣକ ନିଜର ଜଣେ ପଡ଼ୋଶୀଙ୍କ ସହ ପରକୀୟା ପ୍ରୀତି ରଖିବା ସହ ସେହି ପଡ଼ୋଶୀ ସହ ମିଶି ସ୍ବାମୀର ହତ୍ୟା କରିଛି। ମହିଳା ଓ ତା ପ୍ରେମିକ ମିଶି ଏହି ହତ୍ୟାକାଣ୍ଡ ରଚିବା ପରେ ମୃତ ବ୍ୟକ୍ତିଙ୍କ ଶରୀରକୁ ପ୍ରେମିକଙ୍କ ଘର ଭିତରେ ପୋତି ଦେଇଥିଲେ।

ପୀଡ଼ିତ ଜଣକ ହେଉଛନ୍ତି ସିକ୍‌ରୋଡ୍‌ ଗ୍ରାମର ଚନ୍ଦ୍ରବୀର। ଚନ୍ଦ୍ରବୀରଙ୍କ ପତ୍ନୀ ସବିତାର ବିବାହ ପୂର୍ବରୁ ଯୁବକ ଅରୁଣଙ୍କ ସହ ପ୍ରେମ ସଂପର୍କ ଥିଲା। ବିବାହ ପରେ ବି ସେ ପ୍ରେମ ସଂପର୍କ ଅତୁଟ ରହିଥିଲା। ଚନ୍ଦ୍ରବୀର ପତ୍ନୀ ସବିତାକୁ ଅରୁଣ ସହ ଅନେକ ଥର ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ। ସେହି କାରଣରୁ ସେ ପତ୍ନୀକୁ ବାଡ଼ାବାଡ଼ି ବି କରୁଥିଲେ। ଯେଉଁ କାରଣରୁ ସବିତା ଚନ୍ଦ୍ରବୀରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।

Comments are closed.