ମିନିଆପଲିସ ତା ୦୯.୦୭. ରିଖ ; ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ଫର ଓଡ଼ିଆ କଲଚର (ଏସସିଏମଏଫଓସି) ନିକଟରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ ( ଓଏସଏ)ର ମିନେସୋଟା ରାଜ୍ୟ ଅନ୍ତର୍ଗତ ମିନିଆପଲିସ ଠାରେ ଅନୁଷ୍ଠିତ ୫୭ତମ ସମ୍ମିଳନୀ ଅବସରରେ ପିଠା ପ୍ରତିଯୋଗିତାର ଆୟୋଜନ କରିଥିଲା। ଓଡ଼ିଆ ବ୍ୟଞ୍ଜନର ବିବିଧତା ଓ ଉପାଦେୟତାକୁ ଭବ୍ୟ ଢଙ୍ଗରେ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଭାସମ୍ପନ୍ନ ରାନ୍ଧୁଣୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରତିଯୋଗୀମାନେ ବିଭିନ୍ନ କିସମର ସ୍ୱାଦିଷ୍ଟ ପିଠା ଯଥା:- ଚିତଉ, ଏଣ୍ଡୁରି, ଆରିସା, କାକରା, ମଣ୍ଡା, ପୋଡ଼ପିଠା, ରଜ ଆମ୍ବପିଠା ଓ ସପ୍ତପୁରୀ ଆଦି ପ୍ରସ୍ତୁତ କରିଥିଲେ। ଓଡ଼ିଶାର ସମୃଦ୍ଧ ଖାଦ୍ୟ ସମ୍ଭାରକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ନେଇ ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ସେମାନଙ୍କର ଅସାଧାରଣ ରନ୍ଧନ କୌଶଳ, ଅସାମାନ୍ୟ ସୃଜନଶୀଳତା ଏବଂ ଉତ୍ସର୍ଗୀକୃତ ସମର୍ପଣ ଭାବର ନିଦର୍ଶନ ଦେଖାଇ ଏକ ନିଆରା ଦୃଷ୍ଟାନ୍ତ ସର୍ଜନା କରିଥିଲେ। ଏଣ୍ଡୁରି ପିଠା ପ୍ରସ୍ତୁତ କରିଥିବା ବିଜୟଲକ୍ଷ୍ମୀ ସେନାପତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ପୋଡ଼ ପିଠା ବନାଇ ଗୋପା ଗୁରୁ ଦ୍ୱିତୀୟ ସ୍ଥାନ ଏବଂ କାକରା ପିଠା ପ୍ରସ୍ତୁତକାରୀ ସୁନୀତା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖୁବ୍ ଦକ୍ଷତା ସମ୍ପନ୍ନ ତିନିଜଣିଆ ବିଚାରପତି ଯଥା:- ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଫେସର ଡକ୍ଟର ଅନ୍ନପୂର୍ଣ୍ଣା ପାଣ୍ଡେ ଓ ଡକ୍ଟର ନୀତା ମହାନ୍ତି ପ୍ରମୁଖ ବିଜେତାମାନଙ୍କର ଚୟନ କରିଥିଲେ।





୨୦୧୬ ମସିହାରେ ପ୍ରତିଷ୍ଠିତ ଏବଂ ନିଉଜର୍ସିର ଆଲୋକ ମଲ୍ଲିକ ତଥା କାଲିଫର୍ଣ୍ଣିଆର ଦୀପ୍ତି ମଲ୍ଲିକଙ୍କ ଦ୍ୱାରା ପରିଚାଳିତ ‘ଶ୍ରୀ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ଫର ଓଡ଼ିଆ କଲଚର’ ଦୀର୍ଘ ବର୍ଷ ଧରି ଆମେରିକାରେ ଓଡ଼ିଆ ବ୍ୟଞ୍ଜନକୁ ପ୍ରୋତ୍ସାହନ ଦେବା ନେଇ ଖୁବ୍ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଆସୁଛି। ପ୍ରତ୍ୟେକ ଓଡ଼ିଆ ପକ୍ଷରେ ପିଠା କେବଳ ଏକ ଖାଦ୍ୟ ନୁହଁ । ଏହା ଆମର ମହାନ ପରମ୍ପରା, ଭାବପ୍ରବଣତା ଓ ପରିଚିତିର ଏକ ଜୀବନ୍ତ ଓ ଜାଜ୍ଜଲ୍ୟମାନ ଉଦାହରଣ । ପିଠା ପ୍ରତ୍ୟେକ ଓଡ଼ିଆକୁ ଏହାର ବାଲ୍ୟକାଳ , ଜେଜେବାପା, ଜେଜେମାଙ୍କର ରୋଷେଇଶାଳା, ଗାଁର ଘର, ରଜ ପର୍ବ, ମାଣବସା ଗୁରୁବାର, ପ୍ରଥମାଷ୍ଟମୀ ଓ ଅନ୍ୟାନ୍ୟ ପାରିବାରିକ ମହୋତ୍ସବ ସମ୍ପର୍କରେ ଚେତାଇ ଦେଇଥାଏ । ଓଡ଼ିଶାଠାରୁ ସହସ୍ର ମାଇଲ ଦୂରରେ ଆମେରିକାରେ ରହିଲେ ମଧ୍ୟ ପିଠା , ଓଡ଼ିଆ ସମ୍ପ୍ରଦାୟକୁ ଏହାର ଭିଟାମାଟି ସହିତ ସଂଯୋଗ କରିଥାଏ ।




![]()

ଏଥରର ପିଠା ପ୍ରତିଯୋଗିତାକୁ ପ୍ରାୟୋଜନ କରି ଏସସିଏମଏଫଓସି ଓଡ଼ିଶାର ଏହି ଅନନ୍ୟ ବ୍ୟଞ୍ଜନ ପରମ୍ପରାକୁ ଆନ୍ତର୍ଜାତିକ ସ୍ତରରେ ସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏସସିଏମଏଫଓସି ତରଫରୁ ଏକ ବିଜ୍ଞପ୍ତିରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଦିଆଯିବା ସହିତ ଅଂଶଗ୍ରହଣକାରୀ, ସ୍ବେଚ୍ଛାସେବୀ, ବିଚାରପତି, ପ୍ରାୟୋଜକ ଏବଂ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ଯୋଗଦାନ ପାଇଁ କୃତଜ୍ଞତା ଅର୍ପଣ କରାଯାଇଛି। ବିଶେଷ କରି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଫାଉଣ୍ଡେସନ , ମିନେସୋଟାର ସୁଦକ୍ଷ ଓଡ଼ିଆ ସଙ୍ଗଠକ ଚିନ୍ମୟୀ ପଣ୍ଡା, ଗୀତାଞ୍ଜଳି ଦାସ, ପୂର୍ଣ୍ଣିମା ଚୌଧୁରୀ ଏବଂ ମାନସ ଚୌଧୁରୀଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଅର୍ପଣ କରିଛି।ଆମେ ଯେତେବେଳେ ପିଠାର ପରମ୍ପରାକୁ ସୁରକ୍ଷିତ ଏବଂ ସଂରକ୍ଷିତ କରିବା ପାଇଁ ଉଦ୍ୟମ କରୁଛୁ, ତା’ ଫଳରେ ଓଡ଼ିଶାର ଗପ, ପର୍ବପର୍ବାଣୀ, ପାରିବାରିକ ପରମ୍ପରା ଏବଂ ଆମର ନିଜସ୍ୱ ବିଶେଷତାର ମହନୀୟତାକୁ ମଧ୍ୟ ପରୋକ୍ଷରେ ପ୍ରତିପାଦିତ କରୁଛୁ। ପ୍ରତ୍ୟେକ ପିଠା ଓଡ଼ିଶାର ପ୍ରକୃତ ଓ ନିଆରା ସ୍ୱାଦର ସ୍ୱାକ୍ଷର ବହନ କରୁଥାଏ। ଏଣୁ ଆମର ଭବିଷ୍ୟତ ପୀଢ଼ି ଏହି ପରମ୍ପରାକୁ ବଜାୟ ରଖିବା ଓ ଏହାର ବର୍ଦ୍ଧନ କରିବା ନିହାତି ଜରୁରୀ। ଫାଉଣ୍ଡେସନ ଏହି କାଳଜୟୀ ପାରମ୍ପରିକ ବ୍ୟଞ୍ଜନ ପରମ୍ପରା ଓ ଐତିହ୍ୟକୁ ଭବିଷ୍ୟତ ପୀଢ଼ିକୁ ହସ୍ତାନ୍ତର କରିବା ନେଇ ଏହାର ପ୍ରତିବଦ୍ଧତାରେ ଦୃଢ଼ ପରିକର ଥିବା କୁହାଯାଇଛି।




ଏସଏମଏଫଓସି ତରଫରୁ ଓସା ସମ୍ମିଳନୀକୁ ସମ୍ବୋଧନ କରି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅନ୍ନପୂର୍ଣ୍ଣା ପାଣ୍ଡେ, ଓଡ଼ିଆ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ଫାଉଣ୍ଡେସନ ପ୍ରତିଜ୍ଞାବଦ୍ଧ ବୋଲି କହିଥିଲେ। ସାରା ବିଶ୍ୱର ଓଡ଼ିଆ ଯୁବ ସମ୍ପ୍ରଦାୟକୁ ନିଜର ମୂଳଭିତ୍ତି ସହିତ ଯୋଡ଼ି ରହିବାକୁ ନିବେଦନ କରି ଡକ୍ଟର ପାଣ୍ଡେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଇତିହାସ, ଐତିହ୍ୟ, ଭାଷା, ସାହିତ୍ୟ ଏବଂ ଗୁଣବତ୍ତାକୁ ସୁରକ୍ଷିତ ରଖାଯିବା ଦିଗରେ ଜୋର ଦେଇଥିଲେ। ପିଠା ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ କେବଳ ଏକ ଖାଦ୍ୟ ପ୍ରତିଯୋଗିତା ହୋଇନପାରେ। ଏହା ପ୍ରକୃତ ପକ୍ଷେ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କ ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଇ ଡକ୍ଟର ପାଣ୍ଡେ ଏହାଦ୍ୱାରା ଓଡ଼ିଶାର ଅନନ୍ୟ ଐତିହ୍ୟ ପୃଥିବୀର ବିଭିନ୍ନ ମହାଦେଶରେ ପହଞ୍ଚିବା ସହ ପୀଢ଼ି ପରେ ପୀଢ଼ି ଆମ ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରିବାରେ ସହାୟକ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।