ବ୍ରଜବାଳାଙ୍କ କାତ୍ୟାୟନୀ ପୂଜନ

ଅର୍ଜୁନୀ ଚରଣ ବେହେରା

ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ କରି ଚଉଦବର୍ଷ ବନବାସରେ ଦଣ୍ଡକବନ ଭିତରେ ଭ୍ରମଣକରୁଥାନ୍ତି l ବନ୍ୟପ୍ରଦେଶରେ ବହୁ ମୁନିଋଷି ନିବାସ କରି ତପସ୍ୟା ରତ ଥାନ୍ତି l ଋଷି ମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନରେ ବିମୋହିତହୋଇ ପଡ଼ିଲେ l ସେମାନେ ବିଚାର କଲେ ଯଦି ବିଧାତା ଆମ୍ଭ ମାନଙ୍କୁ ନାରୀ କରି ଜନ୍ମ କରିଥାନ୍ତେ ଓ ଏ କମନୀୟ ଶୋଭା ପୁରୁଷ, ଆମ୍ଭର ସ୍ବାମୀ ହୋଇ ଥାନ୍ତେ ଆମେ କେଡେ ସୌଭାଗ୍ୟବତୀ ହୋଇ ନ ଥାନ୍ତେ ସତେ ! କି ଲାଭ ଏହି ବ୍ରହ୍ମ ସାଧନା କରି? ଏଭଳି ପୁରୁଷ ପାଇଲେ କୌଣସି ବ୍ରହ୍ମ ପଦବୀର ଆବଶ୍ୟକତା ନାହିଁ l ଇଏତ ଭଗବାନଙ୍କ ଲୀଳା l ବ୍ରହ୍ମ ସାଧନ କରୁଥିବା ମୁନୀ ମାନେ ସ୍ୱୟଂ ବ୍ରହ୍ମଙ୍କୁ ଦେଖି ପ୍ରଲୋଭିତ ନ ହେବେ କିପରି ? ସେମାନେ ଏତେ ମାତ୍ରାରେ ମୋହିତ ହୋଇଯାଇ ଥିଲେ ଯେ ଜଟା ଜୁଟକୁ ବେଣୀ ଭାବରେ ସଜାଇ ଏବଂ ଭିକ୍ଷା ପାତ୍ର ଲାଉ ତୁମ୍ବା ଗୁଡିକୁ ବକ୍ଷୋଜ ଭାବେ ସଜାଇ ପ୍ରଭୁଙ୍କୁ ପ୍ରେମ ନିବେଦନ କରିବାରେ ଲାଗିଲେ l ଏହାକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବର୍ଣ୍ଣନା କରି ବୈଦେହୀଶ ବିଳାସରେ ଲେଖିଛନ୍ତି :-
ବିଧାତା ଆମ୍ଭଙ୍କୁ କରନ୍ତେ ନାରୀ l
ବର ହୁଅନ୍ତେ ଏ କୋଦଣ୍ଡଧାରୀ ll
ବ୍ରହ୍ମ ପଦବୀ ଫଳ ହେବ କିସ l
ବହିବା କି କରି କାମିନୀ ବେଶ ll
ବିଚାରିଣ ପୁଲକିତ ଶରୀରେ l
ବେପଥୁ ଜନ୍ମି ଆଉଜି ବୃକ୍ଷରେ ll
ବିଭ୍ରମ ଉପୁଜି ଗଲା ମାନସ l
ବୋଇଲେ ସଖାଙ୍କୁ ସଖୀଗୋ ଆସ ll
ବହିବା ତୁମ୍ବିକୁ ଉପରେ ରଖି l
ବକ୍ଷୋରୁହ ହେଲା ଭାବରେ ସୁଖୀ l
ବେଣୀ ଏଭାବରେ ଜଟା ଲମ୍ବାଇ l
ବିବିଧ କୁସୁମ ମଣ୍ଡିଲେ ନେଇ ll
ପ୍ରଭୁ ଶ୍ରୀରାମ ମୁନି ମାନଙ୍କର ତାଙ୍କୁ ପାଇବା ପାଇଁ ବ୍ୟାକୁଳତା ଉପଲବ୍ଧିକରି ତାଙ୍କୁ ବର ଦେଇଥିଲେ ତୁମ୍ଭମାନଙ୍କର ଏ ଅଭିଳାଷ ପୂରଣ ହେବ ଦ୍ୱାପର ଯୁଗରେ l ମୁଁ ସେତେବେଳେ ବ୍ରଜପୁରରେ ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହେବି, ତୁମ୍ଭେ ମାନେ ବ୍ରଜାଙ୍ଗନା ରୂପେ ଜନ୍ମ ହେବ, ଏବଂ ରାସ ଲୀଳା ମାଧ୍ୟମରେ ମୋର ସାନ୍ନିଧ୍ୟ ଲାଭ କରିବ l ଏ ଜନ୍ମରେ ତ ମୁଁ ଏକ ପତ୍ନୀ ବ୍ରତରେ ଜାନକୀଙ୍କୁ ମୋର ବଲ୍ଲଭୀ କରିସାରିଛି l ବୈଦେହୀଶ ବିଳାସରେ ଏହା ପୁଣି ବର୍ଣ୍ଣିତ ହୋଇଛି :-
ବଲ୍ଲଭୀ ତୁମ୍ଭେ ହୋଇବ ଦ୍ଵାପରେ l
ବ୍ରଜେ ରହିବୁ ଆମ୍ଭେ କଂସ ଡରେ ll
ବୃନ୍ଦାବନରେ ହେବ ରାସ କେଳି l
ବଲ୍ଲଭୀ ଏକା ଏ ଦେହେ ମୈଥିଳି ll
ତ୍ରେତୟା ଯୁଗର ଏହି ଦଣ୍ଡକ ବନ ନିବାସୀ ମୁନୀ ମାନେ ଦ୍ୱାପରରେ ଗୋପୀ ରୂପରେ ବ୍ରଜପୁରରେ ଜନ୍ମ ଲାଭ କରିଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ ପାଇଁ ସର୍ବଦା ବ୍ୟାକୁଳ ରହୁଥିଲେ l
ଶ୍ରୀକୃଷ୍ଣ ମଧ୍ୟ ତ୍ରେତୟାର ତାଙ୍କର ସେହି ପ୍ରତିଜ୍ଞା ପାଇଁ ମୋହନ ବଂଶୀନାଦରେ ଏବଂ ଚିତ୍ତାକର୍ଷକ ବାଳ କ୍ରୀଡା ମାଧ୍ୟମରେ ଗୋପୀ ମାନଙ୍କ ମନକୁ କିଣି ନେଇଥିଲେ l
ଶ୍ରୀମଦ ଭାଗବତ ମହାପୁରାଣର କଥା l ଏକଦା ଗୋପିମାନେ ଶ୍ରୀକୃଷ୍ଣଙ୍କୁ କିପରି ପତିଭାବେ ଲାଭ କରିବେ ଏ କଥା ବିଚାର କରି ଯାଇ ଗର୍ଗମୁନୀଙ୍କୁ ପଚାରିଲେ l ଗର୍ଗମୁନୀ ଗୋପୀକାଙ୍କ ମନୋଭାବ ଜାଣି ଶ୍ରୀକୃଷ୍ଣଙ୍କୁ ସଚେତନ କରାଇଦେଲେ l ବ୍ରଜ ନାରୀମାନଙ୍କ ଏ ସଂକଳ୍ପ ଶୁଣି ଗୋପି ବୃନ୍ଦାବତୀ ଦିନେ ଯାଇ ସେମାନଙ୍କ ପାଖରେ ପହଞ୍ଚି କହିଲେ ତୁମେମାନେ ଯଦି ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଚାହୁଁଛ ତେବେ ମାଆ କାତ୍ୟାୟନୀଙ୍କ ପୂଜା କର,ମାଆ ତୁମର ଅଭୀଷ୍ଟ ନିଶ୍ଚୟ ପୂର୍ଣ୍ଣକରିବେ l ଏମିତି ବୃନ୍ଦାବନରେ ଶରତ ଯାଇ ହେମନ୍ତ ଋତୁ ଉପସ୍ଥିତ ହେଲା l ଗୋପୀ ମାନେ ବୃନ୍ଦାଙ୍କ ସେହି କଥାକୁ ଘାରି ହେଉ ଥାନ୍ତି l ଵୃନ୍ଦା ଦେବୀଙ୍କ କଥା ଅନୁସାରେ ଗୋପୀମାନେ ଦିନେ ଯମୁନା ତୀରରେ ଏକତ୍ରିତ ହୋଇ ଵୃନ୍ଦା କହିଥିବା ଵିଧି ଅନୁସାରେ ମା’ କାତ୍ୟାୟନୀଙ୍କ ପୂଜାର ଆୟୋଜନ କଲେ l
ହେମନ୍ତ ଋତୁ ଦେଖି ବନେ l
କଳ୍ପିଲେ ଗଉରୀ ପୂଜନେ ll
ସେମାନେ ଯମୁନା ତୀରରେ ମାଆଙ୍କର ଗୋଟିଏ ବାଲୁକା ବିଗ୍ରହ ଗଢ଼ି ପୂଜାକଲେ ଏବଂ ଏକମାସ କାଳ ନିଷ୍ଠାରେ ବ୍ରତ ରଖିଲେ lମା’ କାତ୍ୟାୟନୀଙ୍କୁ ଗୋପୀମାନେ ପ୍ରାର୍ଥନା କଲେ – ସଂସ୍କୃତ ଶ୍ରୀମଦ ଭାଗବତ ଅନୁସାରେ :-
କାତ୍ୟାୟନୀ ମହାମାୟେ
ମହାଯୋଗୀନ୍ୟଧୀଶ୍ୱରୀ l
ନନ୍ଦଗୋପ ସୂତମ୍ ଦେବ
ପତ ମେଁ କୁରୁତେ ନମଃ ll
ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଶ୍ରୀମଦ ଭାଗବତର ଦଶମ ସ୍କନ୍ଧରେ ପ୍ରକାଶ କଲେ :-
ହେ କାତ୍ୟାୟନୀ ମହାମାୟୀ l
ପରମ ଯୋଗେଶ୍ୱରୀ ତୁହି ll
ଭୋ ମାତ ଶଙ୍କର ଯୁବତୀ l
ନନ୍ଦ କୁମରେ ଦିଅ ପତି ll
ଆନ ବରଣେ କାର୍ଯ୍ୟ ନାହିଁ l
ପ୍ରସନ୍ନ ହୁଅ ମାତ ତୁହି ll
ଷୋଳ ଶହସ୍ର ଗୋପନାରୀ l
ବର ଇଛିଲେ ନରହରି ll
ମାଆ କାତ୍ୟାୟନୀ ଷୋଳ ଶହସ୍ର ଗୋପନାରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟାହୋଇ ତାଙ୍କୁ ଇପ୍ସିତ ବରଦାନ ଦେଇଥିଲେ ଏବଂ ଗୋପୀମାନେ ରାସ କ୍ରୀଡ଼ାରେ ଗୋପୀନାଥଙ୍କ ସାନ୍ନିଧ୍ୟ ଲାଭ କରିଥିଲେ l
କାତ୍ୟାୟନ ଋଷିଙ୍କ କଠିନ ତପସ୍ୟାରେ ପ୍ରସନ୍ନ ହୋଇ ଆଦିଶକ୍ତି ତାଙ୍କ ଘରେ କନ୍ୟା ଭାବେ ଜନ୍ମ ନେଇ କାତ୍ୟାୟନୀ ନାମରେ ପରିଚିତ l ମା’ଙ୍କର ଚାରି ଭୂଜରେ ପଦ୍ମ,ଖଣ୍ଡା,ସ୍ବସ୍ତିକ ଓ ଆଶୀର୍ବାଦର ମୁଦ୍ରା l ସେ ସିଂହ ବାହିନୀ l ମାଆ ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ l ଦ୍ୱାପରର ସେହି ମାଆ ଏବେ ମଧ୍ୟ ବୃନ୍ଦାବନରେ ପୂଜିତା l ବିଶ୍ୱାସ କରା ଯାଏ ମାଆଙ୍କ ପୂଜନରେ ଅବିବାହିତା କନ୍ୟା ମାନଙ୍କୁ ମନୋବାଂଛିତ ଉପଯୁକ୍ତ ବର ପ୍ରାପ୍ତି ହୋଇଥାଏ l ଏଣୁ ବୃନ୍ଦାବନରେ ମାଆଙ୍କ ପୂଜନ ପାଇଁ ସାରା ବର୍ଷ ଗହଳି ଲାଗି ରହିଥାଏ l
ସେହି ଶ୍ରୀମଦ ଭାଗବତମହାପୁରାଣର ଆଖ୍ୟାନ, ବିଦର୍ଭ ରାଜ କୁମାରୀ ଦେବୀ ରୁକ୍ମିଣୀ ମାଆଙ୍କୁ ପୂଜା କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପତିରୂପେ ପାଇ ଥିଲେ ଏବଂ ଶିଶୁପାଳ ଅପମାନିତ ହୋଇ ବିବାହ ବେଦୀରୁ ବାହୁଡ଼ି ଯାଇଥିଲେ l ରାମାୟଣର କଥା ଅନୁଯାୟୀ ମାଆ ଜାନକୀ ଗୌରୀ ପୂଜନ କରି ପ୍ରଭୁ ଶ୍ରୀରାମଙ୍କୁ ସ୍ବାମୀରୂପେ ଲାଭ କରିଥିଲେ l
ଗୋସ୍ୱାମୀ ତୁଳସୀ ଦାସ ରାମଚରିତ ମାନସରେ ଲେଖିଛନ୍ତି :-
ମଜ୍ଜନୁ କରି ସର ସଖିହ୍ନ୍ନ ସମେତା l
ଗଇ ମୁଦିତ ମନ ଗୌରୀ ନିକେତା ll
ପୂଜା କୀହ୍ନି ଅଧିକ ଅନୁରାଗା l
ନିଜ ଅନୁରୂପା ଶୁଭଗ ବରୁ ମାଗା ll
ଜୟ ମାଆ କାତ୍ୟାୟନୀ l ଯୁଗେ ଯୁଗେ ତୁ ବର
ପ୍ରଦାୟିନୀ ମାଆ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.