ଢେଙ୍କାନାଳ: ଗତ ଶୁକ୍ରବାର ଦିନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୌରାତ୍ମା ଭିନ୍ନ ମୋଡ ନେଇଛି। ସର୍ବସାଧାରଣଙ୍କ ସମ୍ମୁଖରେ ମନ୍ତ୍ରୀ ବ୍ଲକ ଅଧିକାରୀମାନଙ୍କୁ ଗାଳି କରିବା ସହ ଧମକ ଦେବା ଘଟଣା ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛି। ସେଦିନ ଗାଳିଖାଇଥିବା ଦୁଇ ଅଧିକାରୀଙ୍କ ସହିତ ବ୍ଲକର ଅନ୍ୟ କର୍ମଚାରୀ ମିଳିତ ଭାବେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।
ଏହି ଅଭିଯୋଗରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ତଦନ୍ତ କରାଯାଇଥିଲା। ଏଥିରେ ଦଳୀୟ କର୍ମିମାନେ କେତେକଙ୍କ ଆବାସ ଯୋଜନାକୁ ଠିକ୍ ବୋଲି ଲେଖିବା ପାଇଁ ଚାପ ପ୍ରୟୋଗ କରିଥିଲେ। ତାହା ଆମେ ନ ଶୁଣିବାରୁ ସେମାନେ ଅନ୍ୟ ସ୍ଥାନରେ କାହିଁକି ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଥିଲେ। ଏପରି ମନ୍ତ୍ରୀ ସମସ୍ତଙ୍କ ଆଗରେ ଗାଳି କରିବା ସହିତ ଆମେ ଲାଞ୍ଚ ନେଉଛୁ ବୋଲି କହିଥିଲେ। ଏପରିକି ବଦଳି କରିଦେବେ ବୋଲି ଧମକ ଦେଇଥିଲେ।
ଏପରି ପରିସ୍ଥିତିରେ ଗ୍ରାମ ପଞ୍ଚାୟତରେ କାମ କରିବାକୁ ଭୟ ଲାଗୁଛି ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାର ତଦନ୍ତ କରାନ୍ତୁ ବୋଲି PEO ଏବଂ ADEO ସଂଘ ତରଫରୁ ଦାବୀ କରିଯାଇଛି।
ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତିରେ ଢେଙ୍କାନାଳର କାଇମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତ କରାଯାଇଥିଲା। ଏହି ସମୟରେ ମନ୍ତ୍ରୀ ଉତକ୍ଷିପ୍ତ ହୋଇ ସେଠାରେ ଉପସ୍ଥିତ ଥିବା ବିଡିଓ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗାଳି କରିବା ସହିତ ବଦଳି କରିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।