ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ, ସାମିଲ୍‌ ହେଲେ ୩ ଟିମ୍‌

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇବା ସହ ବସା କରି ଅଣ୍ତା ଦେଇଛନ୍ତି। ଏହି ଦେଶୀୟ ପକ୍ଷୀଙ୍କ ଗଣନା ଆଜିଠାରୁ ଆରମ୍ଭ ହୋଇଛି। କନିକା ରେଂଜ୍‌ର ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ଓ ମଠଆଡିଆରେ ୩ଟି ଟିମ୍‌ ପକ୍ଷୀ ଗଣନା କରୁଛନ୍ତି। ଏହି ଟିମ କେତୋଟି ଗଛରେ, କେତୋଟି ବସାରେ ଓ କେତେ ବଡ଼ପକ୍ଷୀ ଓ କେତେ ପକ୍ଷୀ ଶାବକ ସେ ନେଇ ଗଣନା କରୁଛନ୍ତି। ଫରେଷ୍ଟର ପ୍ରଶାନ୍ତ ସିଂ, ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟ, ଶ୍ରୀରାମ ମୁର୍ମୁ, ସୁବାସ ମାଝି, ହେମନ୍ତ ପାଣିଗ୍ରାହୀ, ନିରାକାର ବେହେରା ପ୍ରମୁଖ ଏହି ଟିମ୍‌ରେ ସାମିଲ ହୋଇଛନ୍ତି।

ଭିତରକନିକାରେ ଗେଣ୍ତାଳିଆ, ପାଣିକୁଆ, ଅଂଜନା, ରାଣୀବଗ, ମଝିଆବଗ, ଖଇରା, ଅନ୍ଧାରିଆବଗ, କାପରଖାଇ, ସାନବଗ, ଦାବେଂଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ ପକ୍ଷୀ ଭିଡ ଜମାଇଥିଲେ। ଗତବର୍ଷ ମଠଆଡିଆରେ ୬୧,୧୦୭ ପକ୍ଷୀ, ଲକ୍ଷ୍ମୀପ୍ରସାଦଡିଆରେ ୪୧,୩୩୮ ପକ୍ଷୀ, ଦୁର୍ଗାପ୍ରସାଦଡିଆରେ ୬୧୯୪ ପକ୍ଷୀ ଭିଡ ଜମାଇଥିଲେ। ଏ ବର୍ଷ ଦେଶୀୟପକ୍ଷୀଙ୍କ ଭିଡ ଦେଖିବାକୁ ମିଳିଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭିତରକନିକାକୁ ଜୁନ୍ ଶେଷ ଭାଗରୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମା’ପକ୍ଷୀମାନେ ବସାରେ ଅଣ୍ତା ଦେଇ ଛୁଆ ଫୁଟାଇବା ପରେ ଶାବକଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମଭୂମିକୁ ଫେରି ଯାଇଥା’ନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଜଳବାୟୁର ପରିବର୍ତନ ଓ ବିଶ୍ବତାପନର ପ୍ରଭାବ ଯୋଗୁଁ ଭିତରକନିକାର ଜୈବବିବିଧତା ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଥିଲେ। ଗତ ୬ ବର୍ଷ ହେଲା ବଗଗହନଠାରୁ ୩ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି। ୨୦୧୯ ମସିହାରୁ ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଛନ୍ତି।

Comments are closed.