ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ

ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ ହରିଚନ୍ଦନ, ଶ୍ରୀ ବିଶ୍ବାଳଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧିରେ ଭୂଷିତ କରିଛନ୍ତି। ଉତ୍କୃଷ୍ଟ ପ୍ରଶାସନିକ ସେବା ଏବଂ ମାନବ ସମାଜର ମଙ୍ଗଳ ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଶ୍ରୀ ବିଶ୍ବାଳଙ୍କୁ ଏହି ମହତପୂର୍ଣ୍ଣ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ଶ୍ରୀ ବିଶ୍ଵାଳ ଏନ.ଟି.ପି.ସି, ଏମ.ସି.ଏଲ୍ ଆଦି ବହୁ ରାଷ୍ଟ୍ରୀୟ କମ୍ପାନୀର ବିତ୍ତ ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଉଚ୍ଚ ପଦପଦବୀରେ ରହି ନିଜର ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏକାଧାରରେ ଜଣେ ପ୍ରଶାସକ, ଅର୍ଥ ବିଶାରଦ, ଆଇନ ପରାମର୍ଶଦାତା, ଆଶୁ କବି, ଚିତ୍ରକାର ଏବଂ ସମାଜସେବୀ ଶ୍ରୀ ବିଶ୍ବାଳ, ଜାତୀୟ ଓ ରାଜ୍ୟ ସ୍ତରର ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡିତ ରହି ଆସିଛନ୍ତି।

ଜୟଦେବ ଭବନ ଠାରେ ମା, ମାଟି ଓ ମାନବାଧିକାର ଶୀର୍ଷକ ଏହି ସମାବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଦେଖାଯାଇଥିଲା। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନର ସଭାପତି ଡଃ ଅଭିନ୍ନ ହୋତାଙ୍କର ପୁରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଭବ୍ୟ ସମାରୋହରେ ସମ୍ମାନିତ ଅତିଥି ଭାବରେ ଦୁବାଇସ୍ଥିତ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟର କୁଳପତି ଡଃ ଫାରୁକ୍ ଅବଦ୍ଦଲ, ପ୍ରଖ୍ୟାତ ପରିବେଶବିତ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନର ଉପସଭାପତି ଡଃ ଦେବବ୍ରତ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ।

Comments are closed.