ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ମ୍ୟାଚ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲିଗ୍‌ରେ ୪ଟି ଟିମ ମଧ୍ୟରେ କଡ଼ା ଟକ୍କର ହେବ । ଏହି ମ୍ୟାଚ ଗୁଡିକ ସଫଳତା ସହ ଆୟୋଜନ କରିବା ନେଇ ଆଜି ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହିକ୍ରମରେ ଲିଜେଣ୍ଡ ଲିଗ କ୍ରିକେଟ ବା ଏଲଏଲସି କର୍ତ୍ତୃପକ୍ଷ, ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପୁଲିସ କମିଶନର । ଏହି ବୈଠକରେ ଖେଳାଳୀମାନଙ୍କର ଭୁବନେଶ୍ୱରରେ ରହଣି ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମରେ ଖେଳ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଛି । ଏହି ମ୍ୟାଚ ପାଇଁ ୩୪ ହଜାର ଟିକେଟ ବିକ୍ରି ପାଇଁ ଯୋଜନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟିକେଟ ବିକ୍ରି କରାଯିବାକୁ ସ୍ଥିର ହୋଇଛି । ଦର୍ଶକମାନଙ୍କୁ ଅନଲାଇନ୍ in.bookmyshow.com ଜରିଆରେ ଟିକେଟ ପାଇପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଟିକେଟ ପିଛା ଦର ୩୫୦, ୮୫୦ ଓ ୪୮୫୦ ଟଙ୍କା ରଖାଯାଇଛି । ଏହା ଦିନିକିଆ ଓ ଟି-୨୦ ମ୍ୟାଚର ଟିକେଟ ଦର ଠାରୁ ଯଥେଷ୍ଟ କମ୍‌, ଯାହାଦ୍ୱାରା ଦର୍ଶକମାନେ ବାରବାଟୀ ଯିବା ପାଇଁ ଉତ୍ସାହିତ ହୋଇପାରନ୍ତି । ଅନ୍ୟପଟେ ପୂର୍ବରୁ ଯେପରି ଭାବରେ ମ୍ୟାଚ ଗୁଡ଼ିକ ଆୟୋଜନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ଚଳିତ ଥର ମଧ୍ୟ ସେହିଭଳି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି । ଏହି ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ସିଏମସି ମେୟର ସୁବାସ ସିଂହ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତଥିଲେ ।

Comments are closed.