ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କଲା ପୁଲିସ

ଭୁବନେଶ୍ବର: ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡ଼ଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି।

ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଏଟିଏମ ଭିତରେ ପଶିବା ସହିତ ଏଟିଏମ ମେସିନର ତଳ ଭାଗକୁ ବାଡେଇ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେଠାରେ ଲାଗିଥିବା ସିକ୍ଯୁରିଟି ଏଲାର୍ମ ସିଷ୍ଟମ ମାଧ୍ୟମରେ କଣ୍ଟ୍ରୋଲ ରୁମକୁ ଏକ ମେସେଜ ଯାଇଥିଲା ଏବଂ ସେଠାରୁ ସେମାନେ ବାଲିଅନ୍ତା ଥାନାକୁ ଯୋଗାଯୋଗ କରିଥିଲେ । କଣ୍ଟ୍ରୋଲ ରୁମରୁ ସୂଚନା ପାଇବା ପରେ କନଷ୍ଟେବଳ ସବିତ କୁମାର ଭୋଳଙ୍କ ତତ୍ବାବଧାନରେ ପିସିଆର-୬ର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଏଥିସହିତ ରାତ୍ରିକାଳୀନ ପାଟ୍ରୋଲିଂ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାଫଳରେ ଏକ ବଡ଼ ଧରଣର ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରାଯାଇ ପାରିଥିଲା। ବାଲିଅନ୍ତା ଥାନା ଇନ୍ସପେକଟର ଓ ଅନ୍ଯାନ୍ଯ ଅଧିକାରୀ ସହିତ ପିଓପିଡି ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଏଟିଏମ ଭିତରେ ଲାଗିଥିବା ସିସି ଟିଭି ଏବଂ ଏହାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି।

Comments are closed.