ଆଶାକର୍ମୀଙ୍କୁ ବାସନ୍ଦ ଅଭିଯୋଗ: ସେବା ଦେବାକୁ ବାରଣ, ଗାଁ ବୈଠକରେ ୫ ହଜାର ଟଙ୍କା ଜରିମାନା; ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ।

0

ଗଜପତି,୮.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ରାୟଗଡ଼ା ଥାନା ଅନ୍ତର୍ଗତ ଜିରଙ୍ଗ ଖ୍ରୀଷ୍ଟିଆନ ସାହିର ଜଣେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଓ ହିନ୍ଦୁ ପରିବାରକୁ ସ୍ୱାସ୍ଥ୍ୟ ସେବା ନ ଦେବାକୁ ବାରଣ କରାଯାଇଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା ଆଶାକର୍ମୀ ଏବଂ ତାଙ୍କ ପରିବାର ନ୍ୟାୟ ପାଇଁ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସ୍‌ପି), ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) ଓ ରାୟଗଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଥାନା ଅନ୍ତର୍ଗତ ଜିରାଙ୍ଗ ଖ୍ରୀଷ୍ଟିଆନ ସାହିର ବାସିନ୍ଦା ସୁନନ୍ଦିନୀ ମିଶଲ ଜେକି ଜଣେ ଆଶାକର୍ମୀ ଭାବେ କାର୍ଯ୍ୟରତ। ସେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ହୋଇଥିବାରୁ ହିନ୍ଦୁ ପରିବାର ସହ ସମ୍ପର୍କ ରଖିବା, କଥାବାର୍ତ୍ତା କରିବା ଏବଂ ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ତାଙ୍କୁ ବାରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଗ୍ରାମ ବୈଠକରେ ତାଙ୍କ ବିରୋଧରେ ୫,୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ଏହା ସହ ଭବିଷ୍ୟତରେ ଏହି ନିଷ୍ପତ୍ତି ଅମାନ୍ୟ କଲେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ୫ ହଜାର ଟଙ୍କା ଜରିମାନା ପଇଠ କଲା ପରେ ମଧ୍ୟ ତାଙ୍କୁ ମଣ୍ଡଳୀରେ ସାମିଲ କରାଯାଇନାହିଁ । ଏନେଇ ସେ ପୂର୍ବରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସୁରକ୍ଷା କିମ୍ବା ପଦକ୍ଷେପ ନିଆଯାଇନଥିବାରୁ ସେ ଓ ତାଙ୍କ ପରିବାର ଏସ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମାଜରେ ଆଦୌ ଗ୍ରହଣୀୟ ନୁହେଁ
ସରକାରୀ ଦାୟିତ୍ୱ ପାଳନ କରି ହିନ୍ଦୁ ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କାରଣରୁ ତାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣାଟି ସାମାଜିକ ସଦ୍ଭାବ, ଧାର୍ମିକ ସହାବସ୍ଥାନ ଏବଂ ସରକାରୀ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ଭଳି ସମ୍ବେଦନଶୀଳ ପ୍ରସଙ୍ଗ ସହ ଜଡ଼ିତ ଥିବାରୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ପୀଡ଼ିତା ଦାବି କରିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ସୂଚନା ଥାଉକି ସେ ଗୋଟିଏ ହିନ୍ଦୁ ପରିବାର ଖ୍ରୀଷ୍ଟିଆନ ସାହି ମଧ୍ୟରେ ରହି ଆସୁଛନ୍ତି ତାଙ୍କ ସହ ସମ୍ପର୍କ ବ ସେବାଦେବା ପାଇଁ ଯୋଗାଯୋଗ କରିବାରୁ ଆଶା କର୍ମୀଙ୍କୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ କାରଣରୁ ସମଜୟକ ବାସନ୍ଦ ଭଳି ଘଟଣା ନଜରକୁ ଆସୁଛି ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.