ବ୍ରାହ୍ମଣୀ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ: ମଦନପୁର କଟ୍ ପ୍ରସ୍ତାବ ଶୀତଳ ଭଣ୍ଡାରରେ-ଜନମଞ୍ଚ

ପଟ୍ଟାମୁଣ୍ଡାଇ ୨୯/୮:  ବ୍ରାହ୍ମଣୀ ନଦୀରେ ବନ୍ୟା ପରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକ ଉବୁଟୁବୁ ହେବା ସହିତ ଧୋୟାଞ୍ଚଳର ନାହିଁ ନଥିବା କ୍ଷୟକ୍ଷତି ଘଟିଛି I ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଜଳବନ୍ଦୀ ହେବା ଫଳରେ ଜନଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି Iବନ୍ୟା ଜଳରେ ହଜାର ହଜାର ଏକର ଚାଷ ବୁଡି ରହିଛି ବ୍ୟାପକ ଧାନ ଫସଲ ସହ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଯାଇଛି। ଯାହାଫଳରେ ଚାଷୀମାନଙ୍କ ଆର୍ଥୀକ ମେରୁଦଣ୍ଡ ଦୋହଲି ଯାଇଛି । ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନନେବା ଅଂଚଳବାସୀଙ୍କୁ ବ୍ୟଥିତ କରିଛି I ଅନ୍ୟ ପକ୍ଷରେ ବନ୍ୟା ସମସ୍ୟାର ସମାଧାନ ପାଇଁ ବହୁ ବର୍ଷ ପୂର୍ବରୁ ପରିକଳ୍ପିତ ମଦନପୁର କଟ ସରକାରୀ ପ୍ରକଳ୍ପ ଏବେ ଶୀତଳ ଭଣ୍ଡାର ରେ ପଡିରହିଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଗଣ ସଂଗଠନ ଜନମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛିI ଏହି ଉପଲକ୍ଷେ ଜନମଞ୍ଚ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀ ଅରବିନ୍ଦ ସେବା ଶ୍ରମ ସ୍କୁଲ ଠାରେ ଗତକାଲି ଗୁରୁବାର ଜନମଂଚର ବରିଷ୍ଠ ସଦସ୍ୟ ଗୋକୁଳ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜନମଞ୍ଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଭାଷଣ ଦେଇ କହିଥିଲେ ଯେ, ବନ୍ୟା ଆସିଲେ କେବଳ ରିଲିଫ୍ ବାଣ୍ଟି ଦେଇ ସରକାର ଓ ପ୍ରଶାସନର ନିଜର ଦାୟିତ୍ୱ ସାରି ଦେଉଛନ୍ତି I ବନ୍ୟା ସମସ୍ୟା ସମାଧାନ ପାଇଁ ୧୯୬୨ ମସିହାରେ ପରିକଳ୍ପିତ ମଦନପୁର କଟ୍ ପ୍ରକଳ୍ପକୁ ଏବେ ବର୍ଷ ବର୍ଷ ଧରି ଶୀତଳ ଭଣ୍ଡାର ରେ ପଡି ରହିଛି I କିନ୍ତୁ ବନ୍ୟା ର ତାଣ୍ଡବରେ ଲୋକମାନେ ଅସ୍ତ ବ୍ୟସ୍ତ I ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ବ୍ରାହ୍ମଣୀ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ଜଳନିଷ୍କାସନ ପଥ ଓ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ I୧୯୬୨ ମସିହାରେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡ଼ିକର ବନ୍ୟା ଦାଉରୁ ପଟ୍ଟାମୁଣ୍ଡାଇ ଆଳି ରାଜନଗର ଧୋୟାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ମଦନପୁର କଟ୍ ପ୍ରକଳ୍ପ ପରିକଳ୍ପନା କରାଯାଇ କାର୍ଯ୍ୟାରମ୍ଭ କରା ଯାଇଥିଲା। ମାତ୍ର ପରବର୍ତୀ ସମୟରେ ରାଜନୈତିକ ପ୍ରଶାସନିକ ମହଲରେ ଆନ୍ତରିକତାର ଅଭାବ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଟି ଅଧାରୁ ବନ୍ଦ ହୋଇଗଲା I ଯାହାଫଳରେ ଦୀର୍ଘ ୪୦ ବର୍ଷ ହେବ ପଟ୍ଟାମୁଣ୍ଡାଇ ଆଳି ରାଜନଗର ଅଂଚଳର ଲୋକମାନଙ୍କ ବନ୍ୟା ଦୁର୍ଦ୍ଦଶା ହ୍ରାସ ପାଇବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ବନ୍ୟାରେ ହଜାର ହଜାର ପରିବାର ଜଳବନ୍ଦୀ ହୋଇ ଯମ ଯନ୍ତ୍ରଣା ଭୋଗ କରିବା ସାର ହେଉଛି I
ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ, ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି, ଏବଂ ବଲୁରିଆ ସହିତ ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଂଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ୧୧ଟି ୱାର୍ଡ ବନ୍ୟା ପ୍ଲାବିତ ହେବାରୁ ଲୋକମାନେ ଗୃହବନ୍ଦୀ ହୋଇପଡିଛନ୍ତି । ବହୁ ଚାଷଜମିର ଫସଲ ହାନି ଘଟିଛି ହୋଇଯାଇଛି । ଏହା ଛଡା ଭେଡା ଅଞ୍ଚଳ ଲୋକମାନେ ମଧ୍ୟ ନଦୀବନ୍ଧ ଘଳିଆ ଏବଂ ଘାଇ ସୃଷ୍ଟି ହେବା ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେହିପରି ଆଳି ବ୍ଲକର ନରେନ୍ଦ୍ରପୁର, ପତ୍ର ପୁର ଏବଂ ରାଜନଗର ବ୍ଲକର ବନ୍ଧପଡା, ଓସ୍ତିଆ, ବେଲପାଳ ପଂଚାୟତ ଏବେ ବି ବିଚ୍ଛିନ୍ନ ରହିଛି । ଏହି ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ନେଇ ସରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ଧୋୟାଞ୍ଚଳ ଲୋକମାନଙ୍କ ମଧ୍ୟରେ ପ୍ରକାଶ ପାଇଥିବା ତୀବ୍ର ଅସନ୍ତୋଷକୁ ନେଇ ଜନମଞ୍ଚ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଓ ପ୍ରଶାସନ ବନ୍ୟା ବିପନ୍ନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ ଓ କ୍ଷତିପୂରଣ ଯୋଗାଇ ଦେବା ସହ ଶୀତଳ ଭଣ୍ଡାରରେ ପଡି ରହି ଥିବା ବହୁ ଚର୍ଚିତ ମଦନପୁର କଟ୍ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ଜନମଞ୍ଚ ବରିଷ୍ଠ ସଦସ୍ୟ ରବିନ୍ଦ୍ର ପରିଡା ପ୍ରଦୀପ ସାମନ୍ତରାୟ ସର୍ବେଶ୍ୱର ସେଠୀ ଗୌରହରି ସେଠୀ,ଯଦୁନାଥ ନାୟକ, ସରୋଜ ବିଶ୍ୱାଳ କୃପା ସିନ୍ଧୁ ସାମଲ,ବେଲାଳସେନ ପରିଡା,ସରୋଜ ନାୟକ, ଶଶିଭୁଷଣ କୁଣ୍ଡ,ଶରତ ବିଶ୍ୱାଳ ପ୍ରମୋଦ ଦାସ, ମନୋଜ ମୁଦୁଲି, ପ୍ରମୁଖ ଭାଗ ନେଇ ବନ୍ୟା ସମସ୍ୟାର ସ୍ଥାୟୀ ସାମାଧାନ ପାଇଁ ମଦନପୁର କଟ କାର୍ଯ୍ୟ କାରୀ ଦାବୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା I

Comments are closed.