ଅନୈତିକ ସମ୍ପର୍କ ସହି ପାରିଲା ନାହିଁ ସ୍ତ୍ରୀ, ସ୍ବାମୀଙ୍କୁ ଖଣ୍ଡଖଣ୍ଡ କରି କାଟି କଲା ଏପରି ଅବସ୍ଥା

 ନୂଆଦିଲ୍ଲୀ: ଦିଲ୍ଲୀର ପାଣ୍ଡବ ନଗର କ୍ରାଇମ ବ୍ରାଞ୍ଚ ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ମା’ ଓ ପୁଅ ଦୁହେଁ ମୃତକଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ। ଏହାପରେ ପ୍ରତିଦିନ କେହି ଯେମିତି ନଜାଣିବେ ସେଥିପାଇଁ ମୃତକଙ୍କ ଶରୀରର ଖଣ୍ଡଖଣ୍ଡ ଅଂଶକୁ ନେଇ ଏଣେତେଣେ ଫିଙ୍ଗିବା ଆରମ୍ଭ କରିଥିଲେ।

ଦିଲ୍ଲୀ ପୁଲିସର କହିବାନୁସାରେ, ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ପୁନମ ଓ ତାଙ୍କ ପୁଅ ଦୀପକ ଏଥିରେ ସମ୍ପୃକ୍ତ ଅଛନ୍ତି। ପୁନମ ନିଜ ସ୍ବାମୀଙ୍କୁ ନିଶା ବଟିକା ଖୁଆଇ ଅଚେତ କରି ପକାଇଥିଲେ, ଏହାପରେ ପୁଅ ଦୀପକ ସାହାଯ୍ୟରେ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ଏହାପରେ ମା’ପୁଅ ଦୁହେଁ ଅଞ୍ଜନ ଦାସଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ଲୁଚାଇ ରଖିଥିଲେ। ଏହି ଖଣ୍ଡଖଣ୍ଡ ଶରୀରକୁ ଦୁହେଁ ମଉକା ଦେଖି ଏଣେତେଣେ ଫିଙ୍ଗିବା ଆରମ୍ଭ କରିଥିଲେ।

ଦିଲ୍ଲୀ ପୁଲିସ ମହିଳା ରହୁଥିବା ସ୍ଥାନ ଓ ତାର ଆଖପାଖରେ ଲାଗିଥିବା ସିସିଟିଭ ଫୁଟେଜକୁ ଆଧାର କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହିତ ଅଞ୍ଜନଙ୍କ ମୃତଦେହକୁ ଯେଉଁ ଫ୍ରିଜରେ ରଖାଯାଇଥିଲା, ତାହାକୁ ଜବତ କରାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସକୁ କିଛିମାସ ପୂର୍ବରୁ ପାଣ୍ଡବ ନଗର ଅଞ୍ଚଳରୁ ମଣିଷ ଅଙ୍ଗ ମିଳିଥିଲା। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହାପରେ ପୁଲିସ ଉକ୍ତ ଅଞ୍ଚଳର ଆଖପାଖରେ ଲାଗିଥିଲା ସିସିଟିଭିର ଯାଞ୍ଚ କରିଥିଲା। ଏଥିରେ ଜଣେ ମହିଳା ଓ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ପୁଲିସ ଦେଖିବାକୁ ପାଇଥିଲା। ଏହାପରେ ପୁଲିସ ମହିଳା ଓ ତାଙ୍କ ପୁଅଙ୍କୁ ଧରି ପଚରାଉଚରା କରିଥିଲା। ଏହି ପଚରାଉଚରା ସମୟରେ ଦୁହେଁ ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରିଥିଲେ।

ମୃତକଙ୍କ ସ୍ତ୍ରୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ଅନେକ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ। ସବୁଦିନ ଘରକୁ ଆସି ପାଟିତୁଣ୍ଡ କରିଥାଆନ୍ତି। ଏସବୁ ଆଉ ସହ୍ୟ କରି ନପାରି ମହିଳା ତାଙ୍କ ପୁଅ ସହିତ ମିଶି ଏଭଳି ଘଟଣା ଘଟାଇଛନ୍ତି।

Comments are closed.