ସିମୁଳିଆରେ ସଶସ୍ତ୍ର ଡକାୟତି: ବନ୍ଧକ କରି ଲୁଟିନେଲେ ୨୦ ଲକ୍ଷର ସମ୍ପତ୍ତି

ସିମୁଳିଆ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ବନ୍ଧୁକ ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ, ସାଲ ଗ୍ରାମର କରୁଣାକର ଓଝାଙ୍କ ଘରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ୫ରୁ ଅଧିକ ସଶସ୍ତ୍ର ଡକାୟତ ହଠାତ୍ ପଶିଥିଲେ। ସେତେବେଳେ ଘରେ କେବଳ ବୋହୂ, ଶାଶୁ ଓ ଜଣେ ଛୋଟ ପିଲା ଥିଲେ। ଡକାୟତମାନେ ପିଲାଟିର ମୁଣ୍ଡରେ ବନ୍ଧୁକ ଲଗାଇ ପରିବାର ସଦସ୍ୟଙ୍କୁ ଧମକ ଦେଇ ଘରେ ଥିବା ସମସ୍ତ ସୁନା, ରୂପା ଅଳଙ୍କାର ସହ ନଗଦ ୧ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ଶନିବାର ସକାଳେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳକୁ ଆସି ତଦନ୍ତରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।କିଛି ଦିନର ବ୍ୟବଧାନ ପରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି ଓ ଡକାୟତି ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.