ନୟାଗଡ଼ : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତସ୍ଥ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଚାରୀ ରାମରତନ ଦାସ ପ୍ରଥମେ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ। ଅନୁଷ୍ଠାନର ସକ୍ରିୟ ସଦସ୍ୟା ଶ୍ରୀମତୀ ଝିଲ୍ଲୀ ବେହେରା ଅଗ୍ନି ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା ଶ୍ରୀରାମକୃଷ୍ଣ କଥାମୃତ ଓ ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତା ପାଠ କରିଥିଲେ।


ଆଶ୍ରମର ସହସମ୍ପାଦକ ଅଧ୍ୟାପକ ସର୍ବେଶ୍ୱର ସାହୁ ୨୦୨୫-୨୬ ବର୍ଷର ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଏହା ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରିବା ପରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨୦ ଲକ୍ଷ ଟଙ୍କାର ଆୟବ୍ୟୟ ଅଟକଳ କରାଯାଇଥିଲା। ଆଶ୍ରମର ନିର୍ମାଣାଧୀନ ସାର୍ବଜନୀନ ରାମକୃଷ୍ଣ ମନ୍ଦିର, ସାଧୁ ଓ ଅତିଥି ସେବା, ଉତ୍ସବ ପାଳନ, ରିଲିଫ କାର୍ଯ୍ୟ, ମେଡିକାଲ ସେବା, ଅସହାୟଙ୍କୁ ସାହାଯ୍ୟ, ମେଧାବୀ ବିଦ୍ୟାର୍ଥୀ ଛାତ୍ରବୃତ୍ତି ପ୍ରଭୃତି କାର୍ଯ୍ୟକ୍ରମ ନିମନ୍ତେ ଚଳିତ ବର୍ଷ ବାର୍ଷିକ ସଭ୍ୟ ଚାନ୍ଦା ସଂଗ୍ରହ, ମନ୍ଦିର ନିର୍ମାଣ ନିମନ୍ତେ ସ୍ୱତନ୍ତ୍ର ଦାନ ସଂଗ୍ରହ, ସରକାରୀ ସହାୟତା, ଦାତବ୍ୟ ଅନୁଷ୍ଠାନ ମାନଙ୍କରୁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଗଲା।
ସରକାରଙ୍କ ନିୟମ ଅନୁଯାୟୀ ଶ୍ରୀରାମକୃଷ୍ଣ ସେବାଶ୍ରମର ପୁନଶ୍ଚ ଆଇ ଜି ଆର ପଞ୍ଜିକରଣ ପାଇଁ ୧୦୦ ଟଙ୍କିଆ ସଭ୍ୟ ଚାନ୍ଦା ଆଦାୟ ସହିତ ଆଶ୍ରମର କାର୍ଯ୍ୟକାରୀ କମିଟି ସଭ୍ୟ ଓ ସାଧାରଣ ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରେ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରି ନିଷ୍ପତ୍ତି ଲିପିବଦ୍ଧ କରିବା ସହିତ ଦସ୍ତଖତ ସଂଗ୍ରହ କରାଯାଇଥିଲା।
ଏହି ଆଲୋଚନାରେ ପୂର୍ବତନ ସଭାପତି ବାସୁଦେବ ମହାପାତ୍ର, ପ୍ରମୋଦ କୁମାର ପ୍ରତାପସିଂହ, ଲକ୍ଷ୍ମୀଧର ଖଟାଇ, ରାଜକିଶୋର ଛୁଆଳସିଂହ, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ପଦ୍ମଚରଣ ବିଶ୍ୱାଳ, ନଳିନୀ ସାହୁ, ଆର୍ତ୍ତବନ୍ଧୁ ଛୋଟରାୟ, ନିର୍ଭୟ କୁମାର ସାମନ୍ତରାୟ, ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ ପ୍ରମୁଖ ସଦସ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଶ୍ରମରେ ଉତ୍ସବ ପାଳନ ନିମନ୍ତେ ପ୍ରତିଷ୍ଠାତା-ସମ୍ପାଦକ ସ୍ୱାମୀ ଭଗବତାନନ୍ଦ ପୁରୀଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ କମିଟି ଓ ତତସହିତ ଏକ ୭ ଜଣିଆ ଉନ୍ନତିମୂଳକ କମିଟି ଗଠନ କରାଯାଇଛି। ସର୍ବଶେଷରେ ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.