ଗଣିକା ଆମ୍ରପଲ୍ଲୀ

ଅର୍ଜୁନୀ ଚରଣ ବେହେରା

ପୂର୍ବ କାଳରେ ବୈଶାଳୀ ଏକ ସମୃଦ୍ଧ ଗଣରାଜ୍ୟ ଥିଲା l ସୁଶାସନରେ ପ୍ରଜା ମାନେ ସୁଖରେ କାଳ କାଟୁଥିଲେ l ବୈଶାଳୀ ନଗର ଉପକଣ୍ଠରେ ଏକ ସୁନ୍ଦର ଆମ୍ରବନ ଥିଲା l ଦିନେ ଏହି ବନମଧ୍ୟରେ କେହି ଜଣେ, ଏକ ସଦ୍ୟ ଜାତ କନ୍ୟା ସନ୍ତାନକୁ ପକାଇ ଦେଇ ଗଲା l ସେହି ଆମ୍ର ବନର ରକ୍ଷକ ଥିଲେ ଅତ୍ୟନ୍ତ ଦୟାଳୁ l ସେ ଅସହାୟ ଶିଶୁଟିକୁ କୋଳେଇ ନେଇ ତା’ର ଲାଳନ ପାଳନ କଲେ l ଆମ୍ରବନରୁ ପାଇଥିବା ହେତୁ ସେ କନ୍ୟାର ନାମ ରଖିଲେ ଆମ୍ରପଲ୍ଲୀ l
ଆମ୍ରବନ ମଧ୍ୟରେ ଚନ୍ଦ୍ରକଳାପରି ବଢ଼ି ଆମ୍ରପଲ୍ଲୀ କ୍ରମେ ପରିଣତ ହେଲେ, ଏକ ଅପରୂପା ସୁନ୍ଦରୀ ଯୁବତୀରେ l ଆମ୍ରପଲ୍ଲୀ ଏପରି ରୂପବତୀ ଥିଲେ ଯେ, ବୈଶାଳୀ ଓ ମଗଧ ରାଜ୍ୟର ବହୁ ସମ୍ଭ୍ରାନ୍ତ ଯୁବକ ତାଙ୍କ ଆଡ଼କୁ ଆକୃଷ୍ଠ ହୋଇ ପଡ଼ୁଥିଲେ l ଏପରିକି ରାଜା ବିମ୍ବିସାର ବି ତାକୁ ଦିନେ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ବୈଶାଳୀ ଓ ମଗଧ ଦୁଇ ରାଜ୍ୟ ମଧ୍ୟରେ ଥାଏ ପ୍ରବଳ ବୈରତା ଓ ଭୀଷଣ ଶତ୍ରୁତା l ଆମ୍ରପଲ୍ଲୀଙ୍କୁ ବିବାହ କରିବ କିଏ? ଦୁଇରାଜ୍ୟ ମଧ୍ୟରେ ଏ ନେଇ ହୁଏ ତ ଏକ ଯୁଦ୍ଧ ହୋଇଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଲା l ଏଣୁ ଏହାର ସମାଧାନ ପାଇଁ ବୈଶାଳୀ ଗଣପରିଷଦର ଏକ ସଭା ବସିଲା l ବହୁ ବିଚାର ବିମର୍ଷ ପରେ,ବୃଦ୍ଧ ପାରିଷଦ ମାନେ ସ୍ଥିର କଲେ, ଆମ୍ରପଲ୍ଲୀ ଯଦି କନ୍ୟା ହୋଇ ରହେ ଏହା ହେବ ବୈଶାଳୀ ପକ୍ଷେ ଘୋର ବିପଦର କାରଣ l ଏଣୁ ସେ ଜଣ ଭୋଗ୍ୟା ନହୋଇ ଗଣ ଭୋଗ୍ୟା ହୋଇ ରହୁ l ସିଦ୍ଧାନ୍ତାନୁସାରେ ଆମ୍ରପଲ୍ଲୀ ହେଲେ, ଗଣ ଭୋଗ୍ୟା ଗଣିକା,ବୈଶାଳୀର ନଗରବଧୂ l ସେହି ଆମ୍ର ବନରେ ରହି ସେ କ୍ରମେ ଅର୍ଥ ବିନିମୟରେ ବହୁ ଧନୀ, ବଣିକ, ରାଜା, ରାଜ କୁମାର ମାନଙ୍କୁ ଅଙ୍ଗ ସୁଖ ଦେଇ ଅମୋଦିତ କଲେ l
ଦିନେ ଭଗବାନ ବୁଦ୍ଧ ଧର୍ମପ୍ରଚାର କରିବାକୁ ଯାଇ ବୈଶାଳୀରେ ପହଞ୍ଚିଲେ l ସେ ବୈଶାଳୀର ଆମ୍ର ବନରେ ଭ୍ରମଣ କରୁଥିଲା ବେଳେ ତାଙ୍କ ପାଖକୁ ବହୁ ଲୋକ ଆସୁଥାନ୍ତି l ଆମ୍ରପଲ୍ଲୀ ଖବର ପାଇ ଦାସୀ ମାନଙ୍କ ଗହଣରେ ଯାଇ ପହଞ୍ଚିଲା ବୁଦ୍ଧଙ୍କ ଦର୍ଶନ ପାଇଁ l ମାତ୍ର ଭିକ୍ଷୁମାନେ ତାଙ୍କୁ ମନା କରି ଦେଲେ ଯେ ବୁଦ୍ଧଙ୍କ ଦର୍ଶନ ହୋଇ ପାରିବ ନାହିଁ l ଭାଗ୍ୟକୁ ଦୁଃଖିତା ଆମ୍ରପଲ୍ଲୀଙ୍କୁ ଏହାପରେ ଆଉ ଜଣେ ଭିକ୍ଷୁ ନେଇ, ବୁଦ୍ଧଙ୍କ ନିକଟରେ ପହଞ୍ଚାଇ ଦେଲେ l
ଭଗବାନ ବୁଦ୍ଧଙ୍କୁ ପ୍ରଣିପାତ କରି ଆମ୍ରପଲ୍ଲୀ ବୁଦ୍ଧ ଓ ଭିକ୍ଷୁ ସଂଘକୁ ତା ଗୃହରେ ଭୋଜନ କରିବାକୁ ଆମନ୍ତ୍ରଣ କଲା l ବୁଦ୍ଧ ଏହାକୁ ସ୍ୱୀକୃତି ଦେଲେ l ଗଣିକା ଆମ୍ରପଲ୍ଲୀ ଗୃହରେ ବୁଦ୍ଧ ଦେବ ଭୋଜନ କରିବେ,ଏକଥା ଶୁଣି ବୈଶାଳୀର ସମ୍ଭ୍ରାନ୍ତ ମାନେ ଆଶ୍ଚର୍ଯ୍ୟ ହୋଇ ବୁଦ୍ଧଙ୍କୁ ଏଥିରୁ ନିବୃତ ରହିବାକୁ ଅନୁରୋଧ କଲେ l ବୁଦ୍ଧ କହିଲେ,” ମୁଁ ସମସ୍ତଙ୍କ ନିମନ୍ତ୍ରଣ ରକ୍ଷା କରେ l ମୋ ପାଖରେ ଉଚ୍ଚ,ନିଚ୍ଚ, ଆଭିଜାତ୍ୟର କୌଣସି ଭେଦଭାବ ନାହିଁ l ତେଣୁ ମୁଁ ନିଶ୍ଚୟ ଆମ୍ରପଲ୍ଲୀର ନିମନ୍ତ୍ରଣ ରକ୍ଷା କରିବି l ଆପଣମାନେ ଯାଇ ପାରନ୍ତି “l
ପରଦିନ ଭିକ୍ଷୁସଂଘ ସହ ବୁଦ୍ଧଦେବ ଆମ୍ରପଲ୍ଲୀର ଗୃହରେ ପହଞ୍ଚି ତା’ର ଆତିଥେୟତା ଗ୍ରହଣ କରି ତାକୁ ଧର୍ମୋପଦେଶ ଦେଲେ l ବୁଦ୍ଧଙ୍କ ଉପଦେଶ ଶୁଣି ଗଣିକା ଆମ୍ରପଲ୍ଲୀର ହୃଦୟରେ ପରିବର୍ତ୍ତନ ଘଟିଲା l କାଳ ବିଳମ୍ବ ନକରି ବୁଦ୍ଧ ଧର୍ମର ପରମ ଦୀକ୍ଷାମନ୍ତ୍ର “ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଙ୍ଘମ୍ ଶରଣଂ ଗଚ୍ଛାମି” କୁ ବାର ବାର ଉଚ୍ଚରାଣ କରି, ବୁଦ୍ଧଙ୍କ ଚରଣରେ ଶରଣ ଗଲା l ଗଣିକାର ପିଛିଳପଥ ତ୍ୟାଗ କରି,ଭିକ୍ଷୁଣୀ ଭାବେ ସେ ଜୀବନ ଅତିବାହିତ କଲା l ଆମ୍ରବନକୁ ମଧ୍ୟ ସେ ବୁଦ୍ଧଙ୍କୁ ଦାନକରି ଦେଲା l ଆମ୍ରପଲ୍ଲୀଙ୍କ ପୁତ୍ର ଜୀବକ ବୁଦ୍ଧଧର୍ମ ଦୀକ୍ଷାନେଇ ପରବର୍ତ୍ତି କାଳରେ ଜଣେ ବିଖ୍ୟାତ ଚିକିତ୍ସକ ଭାବେ ଭାରତ ବର୍ଷରେ ସୁନାମ ଅର୍ଜନ କଲେ l
ଆମ୍ରପଲ୍ଲୀର ସମର୍ପଣ ପରେ ବୁଦ୍ଧ, ଭିକ୍ଷୁ ମାନଙ୍କୁ ତା’ ବିଷୟରେ ଏକ କାହାଣୀ ଶୁଣାଇଲେ l ବୁଦ୍ଧ କହିଲେ, ପୂର୍ବ ଜନ୍ମରେ ଆମ୍ରପଲ୍ଲୀ ଏକ କପୋତ ପକ୍ଷୀ ଥିଲା l ହଠାତ, ଦିନେ ଯେଉଁ ବନରେ ସେ ସୁଖରେ ବିହାର କରୁଥିଲା ସେଠାରେ ନିଆଁ ଲାଗି ଗଲା l ପଶୁପକ୍ଷୀ ମାନେ ଆର୍ତ୍ତହୋଇ କୋଳାହଳ କରିବାକୁ ଲାଗିଲେ l ଏହା ଦେଖି କପୋତ ପକ୍ଷୀ ପାଖରେ ବହିଯାଉଥିବା ଏକ ନଈରେ ଯାଇ ବୁଡ଼ି ପଡ଼ୁ ଥିଲା l ତାର ଡେଣାରେ ଯେଉଁ ଟିକକ ପାଣି ଲାଗୁଥିଲା ତାକୁ ନେଇ, ସେ ନିଆଁ ଉପରେ ଝାଡ଼ି ଦେଇ ଆସୁଥିଲା l ଏହା ଦେଖି ସ୍ୱର୍ଗରେ ଦେବତା ମାନେ ହସିଲେ ଓ ତାକୁ ପଚାରିଲେ,ଏତିକି ପାଣି ପକାଇ ତୁ ନିଆଁକୁ ଲିଭାଇବୁ କିପରି ? କପୋତୀ କହିଲା, କେହି ତ କିଛି କରୁ ନାହାଁନ୍ତି, ମୋ ଦ୍ୱାରା ଯାହା ସମ୍ଭବ, ତାହା ମୁଁ କରୁଛି l ଦେବତା ମାନେ ଲଜ୍ଜା ଅନୁଭବ କଲେ ଏବଂ ବର୍ଷା କରି ଜଙ୍ଗଲର ନିଆଁ ଲିଭାଇ ଦେଲେ l ସେହି କପୋତୀଟି ଏହି ଜନ୍ମରେ ଆମ୍ରପଲ୍ଲୀ ରୂପେ ଜନ୍ମ ହୋଇଛି l
ଭଗବାନ ବୁଦ୍ଧ ଥିଲେ କରୁଣାବତାର l ତାଙ୍କ କର ସ୍ପର୍ଶରେ ବିପଥଗାମୀ ମନୁଷ୍ୟ ହୃଦୟ ପରିବର୍ତ୍ତନ ହୋଇ ଯାଉଥିଲା l ତାଙ୍କର କରୁଣା କର ସ୍ପର୍ଶରେ ଦୁର୍ଦ୍ଦାନ୍ତ ନରହନ୍ତାଡାକୁ ଅଙ୍ଗୁଳିମାଳ ତାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲା l ଏଣୁ କରୁଣାବତାର ଭଗବାନ ବୁଦ୍ଧଙ୍କ ବିଷୟରେ ଶ୍ରୀମଦ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଛନ୍ତି :-
ପ୍ରବୁଦ୍ଧ ବୁଦ୍ଧ ଅବତାରେ l
ଜ୍ଞାନ ବିସ୍ତାରେ ଏ ସଂସାରେ ll
🙏🙏🙏
ଅର୍ଜୁନୀ
ମୋ -7693091971

Comments are closed.