ରୁନ୍ଧି ଦେଲା ଆମୋନିଆ ଗ୍ୟାସ, ନେଇଗଲା ୫ ଓଡ଼ିଆ ଯୁବତୀଙ୍କ ଜୀବନ

ରାଜ୍ୟ ସରକାରଙ୍କ ପକ୍ଷରୁ ଚେନ୍ନାଇ ଯାଇଥିବା ୩ ଜଣିଆ ଟିମ୍ ସେଠାକାର ସରକାରଙ୍କ ସହ ସମନ୍ବୟ ରକ୍ଷା କରି ମୃତଦେହ ଫେରାଇଆଣିବାକୁ ଉଦ୍ୟମ କରୁଛନ୍ତି।

0

ଭୁବନେଶ୍ୱର :କାହାର ବୟସ ୧୯ ତ କାହାକୁ ୨୨। କିଏ ଏବର୍ଷ ବାହା ହୋଇଥିଲା ତ କାହା ପାଇଁ ଖୋଜା ଚାଲିଥିଲା ବର। ପରିବାର ପୋଷିବାକୁ କେନ୍ଦୁଝର ତେଲକୋଇରୁ ଧାଇଁ ଯାଇଥିଲେ ତାମିଲନାଡୁ। ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ହେଲେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଚାଲିଯାଇଛି ୫ ଓଡ଼ିଆଙ୍କ ଜୀବନ।

ତାମିଲନାଡୁ ତିରିଭଲ୍ଲୁର ଜିଲ୍ଲା ପେରିୟାପାଲିଆମର ଏହି ସିଫୁଡ୍ ଫ୍ୟାକ୍ଟ୍ରି। ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ ପ୍ଲାଣ୍ଟରୁ ଲିକ୍ ହୋଇଥିଲା ଆମୋନିଆ ଗ୍ୟାସ୍। ଚାହୁଁ ଚାହୁଁ ପୂରା ପରିବେଶ ହୋଇଯାଇଥିଲା ଧୂଆଁମୟ। ଆଉ ତାରି ଭିତରେ ଛଟପଟ ହେଉଥିଲେ ଶ୍ରମିକ। ପରେ ନିଶ୍ୱାସ ନେଇ ନପାରି ସେଠାରେ ହିଁ ଚେତା ହରାଇଥିଲେ। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କରି ମେଡିକାଲ୍ ନେଇଥିଲେ ବି ଏଯାଏଁ ଆଖି ବୁଜି ସାରିଲେଣି ୭ ଜଣ। ଆହୁରି ୬୦ରୁ ଅଧିକ ବଂଚିବାକୁ ସଂଘର୍ଷ କରୁଛନ୍ତି। ବଡ଼ କଥା ହେଉଛି ଯେ, ଗ୍ୟାସ ଟ୍ରାଜେଡିରେ ମୃତକଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ।

ଜିମାଣି ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଏବଂ ଫୁଲମଣି ଜୁଆଙ୍ଗ। ସମସ୍ତଙ୍କ ଘର କେନ୍ଦୁଝର ଜିଲ୍ଲାରେ। ୫ ଜଣ ଯାକ ଜୁଆଙ୍ଗ ଯୁବତୀ, ବୟସ ୧୯ରୁ ୨୨ ଭିତରେ। ପେଟପାଟଣା ପାଇଁ କାମ କରିବାକୁ ଚେନ୍ନାଇ ଯାଇଥିଲେ ଏମାନେ। ହେଲେ ଏବେ ସେମାନଙ୍କ ମୃତଦେହ ଗାଁକୁ ଫେରିବ। (କନ୍ଦାକଟା ଭିଜୁଆଲ) କାହାର ପୁଅ-ଝିଅ ତ କାହାର ନବ ବିବାହିତ ପୁଅ-ବୋହୂ। କିଏ ଜାଣିଥିଲା ଯେଉଁ ପରିବାର ପୋଷିବାକୁ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ, ସେହି ପରିବାରଠାରୁ ହିଁ ଦୂରେଇଯିବେ। ଏମିତି ଜୀବନ ନେଇଯିବ ଆମୋନିଆ ଗ୍ୟାସ। ଜିଲ୍ଲାର ତେଲକୋଇ ବ୍ଲକ୍ ତାଳପଦା ପଂଚାୟତର ରଙ୍ଗମାଟିଆ ଓ ଟାଙ୍ଗୀରି ଗାଁରେ ୫ ଯୁବତୀଙ୍କ ଜୀବନ ଯାଇଥିବା ବେଳେ ଆହୁରି ଅନେକ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆଜି ଗାଁରେ ପହଞ୍ଚି ମୃତଦେହ କିଭଳି ପରିବାର ପାଖରେ ପହଁଚିବ ଏବଂ ଆହତଙ୍କ ଚିକିତ୍ସା ବାବଦରେ ସୂଚନା ଦେଇଥିଲେ।

ଘଟଣା ପରେ ତୁରନ୍ତ ଆକ୍ସନ ମୋଡ୍ କୁ ଆସିଛନ୍ତି ରାଜ୍ୟ ସରକାର। ମୃତ ଶ୍ରମିକଙ୍କ ପୋଷ୍ଟମର୍ଟମ, ଓଡ଼ିଶାକୁ ଡେଡବଡି ସ୍ଥାନାନ୍ତର ସହ ଆହତଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ ସେନେଇ ସହଯୋଗ କରିବାକୁ ଚେନ୍ନାଇକୁ ୩ ଜଣିଆ ଟିମ୍ ପଠାଇଥିଲେ। ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲାଙ୍କ ନେତୃତ୍ବରେ ଏହି ଟିମ୍ ଚେନ୍ନାଇରେ ପହଁଚି କାମରେ ଲାଗିଯାଇଛି। ଟିମ୍ ସଦସ୍ୟ ସେଠାକାର ସରକାରୀ ମେଡିକାଲ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାମ ସମ୍ପାଦନ କରୁଛନ୍ତି।

ମୃତଦେହ ଓଡ଼ିଶା ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ସେହିପରି ଟିମ୍ ସଦସ୍ୟ ତିରୁଭାଲ୍ଲୁରରେ ଚିକିତ୍ସାଧୀନ ଶ୍ରମିକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା ଜାରି ରଖିଛନ୍ତି। ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ଏକ କମ୍ୟୁନିଟି ହଲ୍ ରେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିିଛନ୍ତି। ଅଘଟଣରେ ଶ୍ରମିକଙ୍କ ଜୀବନ ଚାଲିଯିବା ପରେ ଏବେ ମୃତଦେହ କିଭଳି ପରିବାର ପାଖରେ ପହଁଚିବ ତାକୁ ଅପେକ୍ଷା।

Leave A Reply

Your email address will not be published.