ଏମ୍‌ସ ଠିକା କର୍ମଚାରୀଙ୍କ ୫ ଘଣ୍ଟା କାର୍ଯ୍ୟବନ୍ଦ ଆନ୍ଦୋଳନ: ତେଜୁଛି ଏମସ ଠିକା କର୍ମଚାରୀ-ଠିକା ସଂସ୍ଥା ବିବାଦ

ଭୁବନେଶ୍ବର: ଏମ୍‌ସରେ ଠିକା ସଂସ୍ଥା ଏବଂ ଠିକା କର୍ମଚାରୀଙ୍କ ବିବାଦ ଥମିବାର ନାଁ ନେଉ ନାହିଁ। ବରଂ ବର୍ତ୍ତମାନ ମାମଲା ଥାନାରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ମାଡ଼ପିଟ ଓ ଆକ୍ରମଣର ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଏହାକୁ ନେଇ ସକାଳ ୭ଟାରୁ ଏମ୍‌ସରେ ଠିକା କର୍ମଚାରୀମାନେ ୫ ଘଣ୍ଟା ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏମ୍‌ସ ଠିକା ସଂସ୍ଥା ପକ୍ଷରୁ ଠିକା କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କା ମଗାଯାଉଥିବା ନେଇ କିଛି ମାସ ହେଲା ଅଭିଯୋଗ ହୋଇ ଆସୁଛି। ଏପରିକି ଯେଉଁ କର୍ମଚାରୀମାନେ ଟଙ୍କା ଦେଉ ନାହାନ୍ତି ସେମାନଙ୍କୁ ଡ୍ୟୁଟି ମଧ୍ୟ ଦିଆଯାଉନଥିବା କୁହାଯାଉଛି। ଅନ୍ୟପକ୍ଷ ଅନୁସାରେ, ଯେଉଁ କର୍ମଚାରୀ ଠିକ୍‌ ଭାବରେ ଦାୟିତ୍ବ ନିର୍ବାହ କରୁ ନାହାନ୍ତି, ସେମାନଙ୍କୁ ଡ୍ୟୁଟି ଦିଆଯାଉନାହିଁ। ଗତକାଲି ଜଣେ ମହିଳା ଠିକା କର୍ମଚାରୀଙ୍କୁ ଡ୍ୟୁଟି ଦିଆନଯିବା ନେଇ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଠିକା କର୍ମଚାରୀମାନେ ଠିକା ସଂସ୍ଥାର ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମହିଳା ଠିକା କର୍ମଚାରୀଙ୍କୁ ଫାସିଲିଟି ମ୍ୟାନେଜର ଗାଳିଗୁଲଜ କରିବା ନେଇ ଥାନାରେ ଏତଲା ହୋଇଥିଲା। ଶନିବାର ସକାଳେ ୫ ଜଣ ଠିକା କର୍ମଚାରୀଙ୍କୁ ଠିକା ମ୍ୟାନେଜରଙ୍କୁ ମାଡ଼ ମାରିବା ନେଇ ନୋଟିସ ଦିଆଯିବା ସହିତ ସେମାନଙ୍କୁ ଡ୍ୟୁଟି ଦିଆନଯିବାରୁ ସବୁ କର୍ମଚାରୀ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଠିକା ସଂସ୍ଥା ପକ୍ଷରୁ କାହିଁକି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ମଗାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ହୋଇଥିଲା।

Comments are closed.