ଆଗକୁ ଆର୍ଥିକ ମାନ୍ଦା ଅବସ୍ଥା ଆସୁଛି; ଟିଭି, ଫ୍ରିଜ୍‌ ନ କିଣି ଟଙ୍କା ରଖନ୍ତୁ: ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍‌ ବେଜୋସ୍‌ ଗ୍ରାହକ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସତର୍କ କରାଇ ଦେଇଛନ୍ତି।

‘ସିଏନ୍‌ଏନ୍‌’ ସହିତ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି, ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇ ଯାଇଥିବାରୁ ଆଗାମୀ ମାସମାନଙ୍କରେ ଅନାବଶ୍ୟ ଖର୍ଚ୍ଚ ନ କରି ଗ୍ରାହକମାନେ ଟଙ୍କାପଇସା ସଞ୍ଚୟ କରି ରଖନ୍ତୁ। ବିଶେଷକରି, ନୂଆ କାର୍‌ ଏବଂ ଟିଭି ନ କିଣବା ଲାଗି ସେ ଆମେରିକୀୟ ପରିବାରମାନଙ୍କୁ ପରାମର୍ଶ ଦେଇଛନ୍ତି।ସେ କହିଛନ୍ତି, ସାମାନ୍ୟ ସତର୍କତା ଆମକୁ ବଡ଼ ବଡ଼ ଆର୍ଥିକ ସମସ୍ୟାରୁ ବଞ୍ଚାଇବାରେ ସମର୍ଥ ହେବ। ଯଦି ଆପଣ ‘ବିଗ୍‌-ସ୍କ୍ରିନ୍‌ ଟିଭି’ ଖରିଦ କରିବା କଥା ବିଚାର କରୁଛନ୍ତି, ନ କିଣି ରହି ଯାଆନ୍ତୁ। ଟଙ୍କା ରଖି ଦେଖନ୍ତୁ ଆଗକୁ କ’ଣ ହେଉଛି। ନୂଆ ଯାନବାହନ, ରେଫ୍ରିଜେରେଟର୍‌ ଏବଂ ସେ ଧରଣ ସାମଗ୍ରୀ ଖରିଦ କ୍ଷେତ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।

ବର୍ତ୍ତମାନ ଅର୍ଥନୀତିର ପରିସ୍ଥିତି ଭଲ ଥିବା ପରି ଜଣାପଡୁନାହିଁ। ଆର୍ଥିକ ପରିସ୍ଥିତି ମାନ୍ଦାଳିଆ ଧରିଲାଣି। ଅନେକ ସେକ୍ଟର୍‌ରେ ଛଟେଇ ହେଉଥିବା କଥା ଆପଣମାନେ ଜାଣୁଥିବେ ବୋଲି ସେ କହିଛନ୍ତି।

ଉକ୍ତ ସାକ୍ଷାତ୍‌କାରରେ ବେଜୋସ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ଏବଂ ବୃଦ୍ଧି ପାଉଥିବା ସାମାଜିକ ଓ ରାଜନୈତିକ ବିଭାଜନ ମଧ୍ୟରେ ମାନବତାକୁ ଏକତ୍ର କରିପାରୁଥିବା ଜନତାଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ମୋଟ୍‌ ସମ୍ପଦ ୧୨୪ ବିଲିୟନ୍‌ ଡଲାର୍‌ରୁ ବଡ଼ ଅଂଶଟିଏ ଦାନ କରିବେ। କିନ୍ତୁ, କେତେ ପରିମାଣର ସମ୍ପଦ ଦାନ କରିବେ ସେ ବିଷୟରେ ସେ କିଛି କହିନାହାନ୍ତି।

Comments are closed.