ଆଦିବାସୀଙ୍କ ନିଆରା ଜାନ୍ତାଳ ପର୍ବ

ନୂଆ ଫସଲ ଅମଳ ପରେ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ଆମର ବହୁ ପ୍ରାଚୀନ କାଳରୁ ଚାଲି ଆସିଛି । ବିଶେଷ କରି ଆଦିବାସୀ ସମାଜରେ ବେଶ ଭକ୍ତି ଓ ଆନନ୍ଦ ସହ ଏଭଳି ଅନେକ ପର୍ବ ପାଳନର ନଜିର ରହିଛି । ଏଭଳି ଏକ ପର୍ବ ହେଉଛି ମୟୂରଭଞ୍ଜ ଜିଲ୍ଲା ଜାମଦା କଇଁପୁର ଗାଁରେ ପାଳନ କରଯାଉଥିବା ଜାନ୍ତାଳ ପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଏକାଦଶୀରେ ଆରମ୍ଭ ହେଉଥିବା ଏହି ପର୍ବ ଦେଖିବାକୁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ବଣ ଜଙ୍ଗଲ ଘେରା ପାହାଡ ମଝିରେ ମନୋରମ ପ୍ରାକୃତିକ ପରିବେଷ୍ଟନୀରେ ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଗାଁରେ ଅଛି ପ୍ରସିଦ୍ଧ ଶୈବପୀଠ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଏକାଦଶୀ ଠାରୁ ତିନି ଦିନ ଧରି ଚଳଚଞ୍ଚଳ ହୋଇଉଠେ ବାବା ଶ୍ରୀନରସିଂହ ଠାକୁରଙ୍କ ପୀଠ । ଆଦିବାସୀମାନଙ୍କ ଏହା ପବିତ୍ର ଧର୍ମସ୍ଥଳୀ । ନୂଆ ଅମଳ ପରେ ଇଷ୍ଟ ଦେବଙ୍କ ନିକଟରେ ଅର୍ପଣ ସହ ଆରମ୍ଭ ହୋଇଥାଏ ଜାନ୍ତାଳ ପର୍ବ । ଭକ୍ତି ଓ ଭାବରେ ଭରପୂର ଏହି ଉତ୍ସବ । ପ୍ରଥମ ଦିନ ଦେହୁରୀ ବା ପୂଜକଙ୍କ ଦ୍ୱାରା କେବଳ ପୁରୁଷ ମାନେ ପୂଜା କରିଥିବାବେଳେ ଦିତୀୟ ଦିନ ଉଭୟ ପୁରୁଷ ଓ ମହିଳା ମାନେ ପୂଜା କରନ୍ତି ।

ନରସିଂହ ଠାକୁରଙ୍କୁ ଆସ୍ଥା ଓ ବିଶ୍ୱାସର ଦେବତା ବୋଲି ମାନୁଥିବାରୁ ଏଠାରେ ମାନସିକଧାରୀଙ୍କ ଭିଡ ଲାଗିଥାଏ। ନରସିଂହ ଠାକୁରଙ୍କ ସାନିଧ୍ୟ ପାଇଁ କମ କଷ୍ଟ କରିବାକୁ ପଡିନଥାଏ । ଶ୍ରଦ୍ଧାଳୁମାନଙ୍କ ପାଇଁ ଆଦିବାସୀ ମାନଙ୍କ ଏହି ପୂଜାସ୍ଥଳୀରେ ଏବେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ବର୍ତ୍ତମାନ ଭକ୍ତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗତ କିଛି ବର୍ଷ ଧରି ଓଡିଶା ସମେତ ଝାରଖଣ୍ଡ, ଓ ପଶ୍ଚିମବଙ୍ଗରୁ ବି ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments are closed.