ଚୋରି ମାମଲାରେ ଅଭିଯୁକ୍ତ ଗିରଫ,୨ ମୋବାଇଲ ଫୋନ୍ ଓ ଚୋରି ମୋଟର ସାଇକେଲ ଉଦ୍ଧାର

ଗଜପତି,୧୨.୯(ମନୋଜ ପାଢ଼ୀ) :– ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଞ୍ଜୟ ଗାନ୍ଧୀ କଲୋନୀର ଚିନ୍ତାଲା କଲ୍ୟାଣ (୨୫) ପିତା- ଚିନ୍ତାଲା ହେମନ୍ତ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହି ଚୋରି ଘଟଣାରେ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ.- ୩୭୩/ତା-୧୦.୦୯.୨୦୨୬ରେ ଦଫା ୩୩୧(୪)/୩୦୫(ଏ) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ ହୋଇଥିଲା।ପୋଲିସର ସୂଚନା ଅନୁଯାୟୀ, କାବିଟି ସାହିର ଭି. ଦାମରନାଥ @ ଭି. ଧର୍ମାନନ୍ଦ (୧୯)ଙ୍କ ଲିଖିତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ଗତ ତା-୦୭/୦୮.୦୯.୨୦୨୬ରିଖ ରାତି ପ୍ରାୟ ୨ଟା ସମୟରେ ଅଭିଯୋଗକାରୀ ଘରେ ଶୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ପଛପଟ କବାଟ ହୁକ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ।ଅଭିଯୋଗକାରୀ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଅଭିଯୁକ୍ତ ତାଙ୍କୁ ଠେଲି ଦେଇ ଶୋଇବା ସ୍ଥାନ ନିକଟରେ ଥିବା ମୋବାଇଲ ଫୋନ୍ ନେଇ ଫେରାର ହୋଇ ଯାଇଥିଲେ।ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ସେହି ରାତିରେ ଅଭିଯୁକ୍ତ ଖଞ୍ଜା ସାହିର ସୁକାନ୍ତ ବରାଡ଼ଙ୍କ ଘରର ଗ୍ରିଲ୍ କାଟି ଘର ଭିତରକୁ ପଶି ଆଉ ଏକ ମୋବାଇଲ ଫୋନ୍ ଚୋରି କରିଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ଉଭୟ ମୋବାଇଲ ଫୋନ୍ ଉଦ୍ଧାର କରି ଜବତ କରିଛି।ଏହା ସହିତ ତଦନ୍ତ ସମୟରେ ଅଭିଯୁକ୍ତ ତା- ୩୧.୦୮.୨୦୨୬ରିଖ ରାତିରେ ବଡ଼ ବ୍ରାହ୍ମଣ ସାହିର ହୋମଗାର୍ଡ ସୁଜିତ କୁମାର ମହାପାତ୍ରଙ୍କ ଏକ ସବୁଜ ରଙ୍ଗର ହିରୋ ମୋଟର ସାଇକେଲ ଚୋରି କରିଥିବା ମଧ୍ୟ ଜଣାପଡ଼ିଛି। ପୋଲିସ ଉକ୍ତ ଚୋରି ମୋଟର ସାଇକେଲକୁ ମଧ୍ୟ ଉଦ୍ଧାର କରି ଜବତ କରିଛି।ପୋଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ବହୁବାର ଚୋରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।ପାରଳାଖେମୁଣ୍ଡି ଥାନା କେସ୍ ନଂ. ୧୯୪, ତା. ୦୭.୦୮.୨୦୨୫, ଦଫା ୩୦୯(୬) ବି ଏନ ଏସ, ଜି.ଆର୍. କେସ୍ ନଂ. ୪୦୨/୨୦୨୫ ଏବଂ କେସ୍ ନଂ. ୧୨୮, ତା. ୦୧.୦୫.୨୦୨୬, ଦଫା ୩୦୩(୨) ବି ଏନ ଏସ, ଜି.ଆର୍. କେସ୍ ନଂ. ୨୬୩/୨୦୨୬ରେ ସେ ପୂର୍ବରୁ ଗିରଫ ହୋଇଥିଲେ।ଅଭିଯୁକ୍ତକୁ ଗିରଫ କରିବା ତଥା ଚୋରି ସାମଗ୍ରୀ ଉଦ୍ଧାରରେ ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ଟିମ୍‌ର ଏସ୍.ଆଇ ପ୍ରଫୁଲ୍ଲ ଜାଗରଙ୍ଗା, ଏଏସ୍ଆଇ ଶକ୍ତି ପାଢ଼ୀ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏସ୍ଆଇ ରାମକୃଷ୍ଣ ଦାସ ମାମଲାର ଅଧିକ ତଦନ୍ତ କରୁଥିବା ସୂଚନା ପ୍ରଦାନ କରାଯାଇଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.