ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅନ୍ତର୍ଗତ ଛୋଟୀ ପଞ୍ଚାୟତସ୍ଥ ରାମଚଣ୍ଡୀ ଶିକ୍ଷା ନିକେତନର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି , ତାଙ୍କ ବିଯୁଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଆଦର୍ଶୋଦୀପ୍ତ ବ୍ୟକ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି। ସ୍ବର୍ଗତ ଗୋବିନ୍ଦ ସାର କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି କାଳ ନିଜ ନୀତିନିଷ୍ଠ ଶିକ୍ଷା ସେବାକୁ ସମର୍ପିତ କରି ସେ ସମଗ୍ର ଜିଲ୍ଲାରେ ଏକ ସମ୍ମାନ ଜନକ ଆସନ ଲାଭ କରିଥିଲେ। ତାଙ୍କ ଚାକିରୀ ଜୀବନରେ ସେ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଅର୍ଥରେ ଉଚ୍ଚ ଶିକ୍ଷା ଦେଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି। ଜଣେ ସର୍ବଗୁଣସମ୍ପନ୍ନ ବନ୍ଧୁ ବତ୍ସଳ ଉନ୍ନତ ସାମାଜିକ ମଣିଷ ଓ ସବୁ ବିଷୟରେ ଗଭୀର ଅନୁଶୀଳନ ଥିବା ସ୍ଵର୍ଗତ ଦାସ ତାଙ୍କ ସେବା ଜୀବନର ଶେଷ ତିନିବର୍ଷ ରାମଚଣ୍ଡୀ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଭାବେ ସୁଚାରୁ ରୂପେ ଦାୟିତ୍ୱ ସମ୍ପନ୍ନ କରି ଅବସର ଗ୍ରହଣ କରିଥିଲେ। ଶିକ୍ଷକତା ବ୍ୟତୀତ ସମାଜସେବା, ବୃକ୍ଷରୋପଣ, ସାମାଜିକ , ଧାର୍ମିକଓ ସାଂସ୍କୃତିକ ଅନୁଷ୍ଠାନର ଅଗ୍ରଦୂତ ତଥା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ଉପସଭାପତି ଭାବେ ସମସ୍ତଙ୍କର ଆଦରଣୀୟ ଥିଲେ। ଗତକାଲି ତାଙ୍କ ବଡମଙ୍ଗରାଜପୁର ବାସଭବନରେ ତାଙ୍କର ପରଲୋକ ଘଟିଥିଲା।। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ଅରବିନ୍ଦ ମୁଖାଗ୍ନି ଦେଇଥିଲେ।।

ସ୍ଵର୍ଗତ ଦାସଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର , ପର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା , ପୂର୍ବତନ ବିଧାୟକ ଚିନ୍ମୟ ବେହୁରା , ଡେରାବିଶ ପଞ୍ଚାୟତ ସମିତିର ପ୍ରାକ୍ତନ ସଭାପତି ସରୋଜକାନ୍ତ ସାହୁ , ଯୁବନେତା ବିଶ୍ୱରଞ୍ଜନ ଦାସ (ବାପି) , ବରିଷ୍ଠ ବିଜେଡି ନେତା ହଳଧର ଦାସ , ବିଜେଡି ନେତା ରବି ସାମଲ , ଯୁବ ବିଜେପି ନେତା ମନୋରଞ୍ଜନ ଉପାଧ୍ୟାୟ , ପୂର୍ବତନ ସରପଞ୍ଚ କୁମାର ବଳ , ଯୁବନେତା ରାଜେଶ ପଣ୍ଡା ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ମୁଖ୍ୟ ଉପଦେଷ୍ଟା କଣ୍ଡୁରି ଚରଣ ସ୍ଵାଇଁ , ସଭାପତି ହେମନ୍ତ ଜେନା , ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା , ଓଷ୍ଟା ସଂଘ ପୂର୍ବତନ ସମ୍ପାଦକ ତପନ କୁମାର ସିଂହ , ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଜିଲ୍ଲାର ଶିକ୍ଷକ ଓ ବୁଦ୍ଧିଜୀବୀ ମାନେ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Comments are closed.