ଅବପାତରେ ପରିଣତ ହେଲା ଲଘୁଚାପ, ୨୪ ଜିଲ୍ଲାରେ ପ୍ରବଳ ବର୍ଷା

ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।ଭୁବନେଶ୍ୱର ଅଙ୍ଞ୍ଚଲିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଅବପାତ ପ୍ରଭାବରେ ୨୪ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ସୋନପୁର, ବରଗଡ଼ ଓ ବୌଦ୍ଧ। ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ଗଜପତି, ଦେବଗଡ଼, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.