ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହେନ୍ଦ୍ର ତନୟା ନଦୀ କୂଳରେ ଡଙ୍ଗା ଭସା ଉତ୍ସବ ପାଳିତ ।

0

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହେନ୍ଦ୍ର ତନୟା ନଦୀ କୂଳରେ ଡଙ୍ଗା ଭସାଇବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ପ୍ରଭାତରୁ ଶ୍ରଦ୍ଧାଳୁମାନେ ନଦୀ କୂଳରେ ପହଞ୍ଚି ତୁଳସୀ ଚଉଁରା ନିକଟରେ ପୁଜାର୍ଚ୍ଚନା କରି କଦଳୀ ପଟୁଆ ଓ ସୋଲ ନିର୍ମିତ ଡଙ୍ଗାରେ ଦୀପ ଜାଳି,ଗୁଆ ପାନ,ଫୁଲରେ ସଜାଇ “ଆ କା ମା ବୈ,ଗୁଆପାନ ଥୋଇ,ଗୁଆପାନ ତୋର,ମାସକ ଧରମ ମୋର” କହି ନଦୀରେ ଭସାଇଥିଲେ।ପ୍ରାଚୀନ କାଳରେ ଉତ୍କଳର ସାଧବପୁଅମାନେ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ନୌକାଯୋଗେ ଜାଭା, ସୁମାତ୍ରା ଓ ବାଲି ଆଦି ଦ୍ୱୀପକୁ ଯାତ୍ରା କରୁଥିଲେ। ସେହି ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ସାଧବମାନଙ୍କ ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଡଙ୍ଗା ଭସା ଉତ୍ସବ ପାଳନ ହୋଇଆସୁଛି।ଏହି ପବିତ୍ର ଅବସରରେ ସହରର ବିଭିନ୍ନ ମଠ ଓ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ବିଭିନ୍ନ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ, ହରିନାମ ସଂକୀର୍ତ୍ତନ ଓ ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିଲା।

Leave A Reply

Your email address will not be published.