ଆଶ୍ଚର୍ଯ୍ୟ ଶୈବପୀଠ ପକ୍ଷୀତୀର୍ଥମ୍

ଅର୍ଜୁନୀ ଚରଣ ବେହେରା

ଚେନ୍ନାଇ ମହାନଗରୀର ଚେଙ୍ଗଲପେଟ ଠାରୁ 13 କିଲୋମିଟର ଦୂରରେ ଅବସ୍ଥିତ ତିରୁକଲ୍ଲୀକୁନ୍ଦ୍ରମ୍ ପାହାଡ଼ ଶିଖରରେ ଭଗବାନ ସଦାଶିବ,ଶ୍ରୀବେଦ ଗିରୀଶ୍ୱର ରୂପେ ଅବସ୍ଥାନ କରୁଛନ୍ତି l ଏହା ପକ୍ଷୀ ତୀର୍ଥ ରୂପେ ପରିଚିତ l ପୂର୍ବେ ପ୍ରତ୍ୟକ ଦିନ ଏହି ମନ୍ଦିର ନିକଟକୁ ଯୋଡ଼ିଏ ଗୁଧ୍ରପକ୍ଷୀ ଆସୁଥିଲେ l ମନ୍ଦିରରେ ପୂଜକ ଭଗବାନ ଶଙ୍କରଙ୍କ ପୂଜାସାରି ପ୍ରତ୍ୟହ ଠାକୁରଙ୍କୁ ଭୋଗ ହୋଇଥିବା ପ୍ରସାଦକୁ ମଧ୍ୟାହ୍ନ ଭୋଜନ ସ୍ବରୁପେ ପକ୍ଷୀ ଦ୍ବୟଙ୍କୁ ଖାଇବା ପାଇଁ ଦେଉଥିଲେ l ଏଥି ପାଇଁ ଏହା ପକ୍ଷୀ ତୀର୍ଥ ଭାବେ ପରିଚିତ ହୋଇଛି l ଉତ୍ତୁଙ୍ଗ ପର୍ବତ ଶୀର୍ଷ ଦେଶରେ ଅବସ୍ଥିତ ଏହି ରମଣୀୟ ମନ୍ଦିର ଏକ ଅତ୍ୟନ୍ତ ଆକର୍ଷଣୀୟ ଓ ଦର୍ଶନୀୟ ସ୍ଥାନ ଭାବେ ପରିଚିତ l
ତିରୁକଲିକୁଡ୍ରମ୍ ତାମିଲ କଲଗୁ ଶବ୍ଦରୁ ଆସିଛି l କଲଗୁ ଅର୍ଥ ସ୍ୟେନ ପକ୍ଷୀ l ଅର୍ଥାତ ସ୍ୟେନପକ୍ଷୀ ମାନେ ପ୍ରସାଦ ଖାଉଥିବା ସ୍ଥାନ ହେଉଛି ତିରୁକଲି କୁଡ୍ରମ୍ l ଏଠାରେ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗଙ୍କ ନାମ ବେଦ ଗିରୀଶ୍ୱର l ମନ୍ଦିରଟି ଦୁଇ ଭାଗରେ ବିଭକ୍ତ l ପାହାଡ଼ଉପରେ ଶଙ୍କର ବେଦଗିରୀଶ୍ୱର ଅବସ୍ଥାନ କରୁଛନ୍ତି l ପାହାଡ଼ ପାଦ ଦେଶରେ ମା’ ପାର୍ବତୀ ତିରୁପୁରସୁନ୍ଦରୀଅମ୍ମନ ବିଜେ କରୁଛନ୍ତି l ପାହାଡ଼ଟି ବହୁ ଔଷଧିୟ ବୃକ୍ଷଲତାରେ ପରିପୂର୍ଣ୍ଣ ଓ ମନ୍ଦିରଟି 265 ଏକର ଜମି ଉପରେ ବିସ୍ତୃତ l ମନ୍ଦିରର ପ୍ରବେଶ ଦ୍ୱାରରେ ଚାରି ମହଲା ବିଶିଷ୍ଟ ଏକ ସୁଦୃଶ୍ୟ ଗୋପୁରମ୍ ରହିଛି l
ମନ୍ଦିରର ଆଖପାଖରେ ପ୍ରାୟ ବାରଟି ପୁଣ୍ୟ ତୀର୍ଥ ସ୍ଥଳୀ ରହିଛି l ପୂର୍ବେ ଆସୁଥିବା ଗୁଧ୍ରପକ୍ଷୀମାନଙ୍କ ଆସିବା ଏବେ ବନ୍ଦ ହୋଇ ଯାଇଛି l କୁହା ଯାଏ ପାପୀ ମାନଙ୍କ ସଂଖ୍ୟା ଏ ସଂସାରରେ ବଢ଼ିଯିବା ଫଳରେ ଏମାନଙ୍କ ଆସିବା ବନ୍ଦ ହୋଇ ଯାଇଛି l ଗୁଧ୍ର ପକ୍ଷୀଯୋଡ଼ିଙ୍କୁ 1998ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା l ଏହାପରେ କିଛିଦିନ ପାଇଁ ମାତ୍ର ଗୋଟିଏ ଗୁଧ୍ରପକ୍ଷୀ ଆସୁଥିଲା l ତାହା ମଧ୍ୟ କାଳକ୍ରମେ ବନ୍ଦ ହୋଇ ଯାଇଛି l
କିମ୍ବଦନ୍ତୀ ଅନୁସାରେ ଏହି ଗୁଧ୍ରପକ୍ଷୀମାନେ ଗଙ୍ଗା ସ୍ନାନ ସାରି ବାରାଣାସୀରୁ ଆସୁଥିଲେ l ଦ୍ବିପହର ଭୋଜନ ଏଠାରେ କରି ସେମାନେ ରାମେଶ୍ୱରମ୍ ଚାଲି ଯାଉଥିଲେ l ରାମେଶ୍ୱରମଠାରୁ ସେମାନେ ଆସି ଚିଦାମ୍ବରମରେ ରାତ୍ରୀ ବିଶ୍ରାମ କରି ଭୋର ବେଳା ବାରାଣାସୀ ଚାଲି ଯାଉଥିଲେ l ପୁରାଣରୁ ଜାଣିବାକୁ ମିଳେ ପ୍ରଥମେ ଏଠାକୁ ଚାରି ଯୋଡ଼ା ଗୁଧ୍ରପକ୍ଷୀ ଆସୁଥିଲେ l ଏମାନେ ଆଠଜଣ ଋଷି ଥିଲେ ଯେଉଁମାନେ ଭଗବାନ ଶଙ୍କରଙ୍କ ଶାପରୁ ଗୁଧ୍ର ପକ୍ଷୀ ରୂପେ ଜନ୍ମ ଲାଭ କରିଥିଲେ l ଚାରି ଯୋଡ଼ା ଚାରି ଯୁଗର ପ୍ରତୀକ ଥିଲେ ଏବଂ ପ୍ରତି ଯୁଗରେ ଗୋଟିଏ ଯୋଡ଼ା ପକ୍ଷୀ ଉଭାନ ହୋଇ ଯାଉଥିଲେ l
ପକ୍ଷୀତୀର୍ଥ ପୂର୍ବେ ଉର୍ତ୍ତରକୋଡ଼ି,ନନ୍ଦିପୁରୀ, ଇନ୍ଦ୍ର ପୁରୀ,ନାରାୟଣପୁରୀ,ବ୍ରହ୍ମାପୁରୀ,ଦିନକରପୁରୀ, ଏବଂ ମୁନିଜ୍ଞାନ ପୁରୀ ଭାବରେ ପରିଚିତ ଥିଲା l
ମୁନି ଭରଦ୍ୱାଜ ଶିବଙ୍କୁ ଦୀର୍ଘାୟୁ ବରପ୍ରାପ୍ତି ପାଇଁ ଏଠାରେ ପ୍ରାର୍ଥନା କଲେ l କାରଣ ଦୀର୍ଘାୟୁ ପ୍ରାପ୍ତ ହେଲେ ସେ ଚତୁର୍ବେଦ ଅଧ୍ୟୟନ କରିବାକୁ ସକ୍ଷମ ହୋଇ ପାରିବେ l ଶିବ ପ୍ରକଟହୋଇ ତାଙ୍କୁ ବେଦ ଶିଖିବାପାଇଁ ବରଦାନ ଦେଲେ l ଭଗବାନ ଶଙ୍କର ତିନି ବେଦର ପ୍ରତୀକ ତିନି ଗୋଟି ପର୍ବତ ନିର୍ମାଣ କଲେ l ଅଥର୍ବ ବେଦ ରୂପୀ ପର୍ବତରେ ସେ ନିଜେ ବାସ ରଚିଲେ l ପ୍ରଭୁ ହାତରେ କିଛି ମୃତ୍ତିକା ଧରି ମହର୍ଷି ଭରଦ୍ୱାଜଙ୍କୁ କହିଲେ ବେଦ ଅଧ୍ୟୟନ ମୋ ହାତର ମାଟି ଏବଂ ଏ ଦଣ୍ଡାୟମାନ ପର୍ବତ ସହିତ ସମାନ l ତୁମେ ବେଦ ଅଧ୍ୟୟନ କରିବା ନିମନ୍ତେ ଦୀର୍ଘାୟୁ ବର ଚାହୁଁଛ l କିନ୍ତୁ ବେଦର ମହା ଜ୍ଞାନ ଭଣ୍ଡାର କୌଣସି ସମୟ ସରହଦ ମଧ୍ୟରେ ମନ୍ଥନ କରିବା ସମ୍ଭବ ନୁହେଁ l ଏହାକୁ କେବଳ ନିରନ୍ତର ସାଧନା କରା ଯାଇଥାଏ l ବେଦର ସାଧନା ଦ୍ୱାରା ଜ୍ଞାନ ପ୍ରାପ୍ତି ହେବ l ମାତ୍ର ଏହା ଦ୍ୱାରା ମୋକ୍ଷ ମିଳି ପାରିବ ନାହିଁ l ଏ କଳି କାଳରେ ଭକ୍ତି ହିଁ କେବଳ ମୋକ୍ଷର ଦ୍ଵାର l ବେଦର ଏହି ଜ୍ଞାନ ଶଙ୍କର,ମୁନି ଭରଦ୍ୱାଜଙ୍କୁ ପ୍ରଦାନ କରି ବେଦ ଗିରୀଶ୍ୱର ରୂପେ ଅବସ୍ଥାନ କରୁଥିବା ପାହାଡ଼କୁ ବେଦର ସ୍ୱରୂପ ବୋଲି ମାନ୍ୟ କରାଯାଏ l ବେଦର କଥା ବଖାଣି ଏଠାରେ ଶଙ୍କର ଭଗବାନ ବେଦଗିରୀଶ୍ୱର ନାମ ବହନ କରିଛନ୍ତି l ଵେଦଗୀରୀଶ୍ୱର ମହାଦେବଙ୍କୁ ଚାରିଜଣ ତାମିଲ ସନ୍ଥ ଅପ୍ପର,ସୁନ୍ଦରର,ମାଣିକ୍ୟ ସାଗର, ତିରୁଜ୍ଞାନ ସଂବଂଧର ଦର୍ଶନ କରି ସ୍ତୁତି କରିଥିଲେ l ତାଙ୍କ ରଚନା ମାନଙ୍କରେ ସେମାନେ ବେଦଗିରୀଶ୍ୱରଙ୍କର ବହୁ ସ୍ତୁତି ଲେଖି ଯାଇଛନ୍ତି l ତାମିଲ ମହାକବି ଅରୁଣ ଗିରିନାଥର ମଧ୍ୟ ତାଙ୍କ ରଚନାରେ ଏହି ଲିଙ୍ଗଙ୍କ ବିଷୟରେ ବହୁ ରଚନା ଏବଂ ସୂଚନା ରଖିଛନ୍ତି l ଶିବଙ୍କର ସମସ୍ତ ପ୍ରକାର ପୂଜା ପାର୍ବଣ ଏହି ପୀଠରେ ହୋଇ ଥାଏ l ପ୍ରତି ପୂର୍ଣ୍ଣିମା ଦିନ ବହୁ ସଂଖ୍ୟାରେ ଭକ୍ତ ଏହି ପର୍ବତ ପରିକ୍ରମା କରିଥାନ୍ତି l
ଆଶ୍ଚର୍ଯ୍ୟମୟ ଏହି ପ୍ରାଚୀନ ପୀଠ ପକ୍ଷୀତୀର୍ଥକୁ ତାମିଲନାଡୁ ସରକାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି l ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନକୁ ଦର୍ଶନକରି ଅପାର ଆନନ୍ଦ ଲାଭକରିବା ସହ ବେଦଗିରୀଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ଥାଆନ୍ତି l
ନମାମୀ ଶମୀଶାନ ନିର୍ବାଣ ରୂପଂ l
ବିଭୁଂ ବ୍ୟାପକଂ ବ୍ରହ୍ମବେଦ ସ୍ୱରୂପମ୍ ll
ନିଜଂ ନିର୍ଗୁଣମ୍ ନିର୍ବିକଳ୍ପଙ୍ଗ ନିରୀହଂ l
ଚିଦାକାଶମାକାଶ ବାସଂ ଭଜେହମ୍ ll
(ରୁଦ୍ରାଷ୍ଟକଂ)
ଓଁ ନମଃ ଶିବାୟଃ

ମୋ -7693091971

Comments are closed.