ଗଜପତି 18/10(ମନୋଜ କୁମାର ପାଢୀଙ୍କ):ପାରଳାଖେମୁଣ୍ଡି ଗଜପତି ରାଜ ପରିବାରର ତଥା ପାରଳା ଅଞ୍ଚଳର ଅନ୍ୟତମ ଆରାଧ୍ୟ୍ୟ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି ମାଆ ଦାଣ୍ଡୁମାରାମାଙ୍କ ମନ୍ଦିର. ଏହି ମନ୍ଦିର ଅତି ପୁରାତନ ଅଟେ । ପ୍ରାଚୀନ କାଳରେ ଦଶହରା ସମୟରେ ଏଠାରେ ମଇଁଷୀକୁ ବଳି ଦିଆଯାଇ ମାଆଙ୍କୁ ଶାନ୍ତି କରାଯାଇ ପୂଜାପାଠ କରାଯାଉଥିଲା । ସେହି ପ୍ରାଚୀନ କାଳରୁ ଏହି ମନ୍ଦିରର ପୂଜାର୍ଚ୍ଚନା ଅତ୍ୟନ୍ତ ବିରଳ ଅଟେ ।
ଏକ ଭିନ୍ନ ଓ ବିରଳ ପରମ୍ପରାରେ ପୂଜା ପାଉଥିବା ଶକ୍ତିପୀଠ
ବର୍ଷକୁ ଥରେ କେବଳ ଦଶହରାରେ 10 ଦିନ ମାତ୍ର ଖୋଲେ । ଦେବୀ ଦୁର୍ଗାଙ୍କ ଆରାଧନା ପାଇଁ ନବରାତ୍ର ସମୟରେ ସବୁଠି ଉତ୍ସବମୁଖର ପରିବେଶ। ବର୍ଷସାରା ବନ୍ଦ ରହୁଥିବା ଏହି ମନ୍ଦିର କେବଳ ନବରାତ୍ରର ୯ ଦିନ ଓ ଦଶହରା ଦିନ ଖୋଲାଯାଏ I
ଏହି ସ୍ବତନ୍ତ୍ର ପରମ୍ପରା ସହ ନାଗସାପକୁ ନେଇ ରହିଥିବା କିମ୍ବଦନ୍ତୀ ମନ୍ଦିରଟିକୁ ଅଧିକ ରହସ୍ୟମୟ କରିଛି। ପାରଳା ସହରର ମୁଖ୍ୟ ଡାକ୍ତରଖାନାକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଅବସ୍ଥିତ ଶ୍ରୀଶ୍ରୀଶ୍ରୀ ଦାଣ୍ଡୁମାରାମା ମା’ଙ୍କ ମନ୍ଦିର. ପାରଳା ପରିବାରଙ୍କ ଶାସନ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ। ପ୍ରାଚୀନ ଏହି ମନ୍ଦିରରେ ମା’ ଦୁର୍ଗା ଦାଣ୍ଡୁମାରାମା ନାମରେ ପୂଜା ପାଇ ଆସୁଛନ୍ତି। ନବରାତ୍ର ଆରମ୍ଭରେ ମନ୍ଦିରର ଦ୍ବାର ଖୋଲାଯାଇ ପୂଜାର୍ଚ୍ଚନା ଆରମ୍ଭ ହୁଏ। ନବରାତ୍ରର ୯ ଦିନ ଧରି ମା’ଙ୍କ ନିକଟରେ ସ୍ବତନ୍ତ୍ର ପୂଜାବିଧି ପୂଜାପାଠ ହୁଏ । ଦଶହରା ଦିନ ବିଳମ୍ବିତ ରାତିରେ ମନ୍ଦିର ବନ୍ଦ କରାଯାଏ। ପାରଳାରେ ରାଜାରାଜୁଡ଼ା ଶାସନ ସମୟରେ ରାଜଧାନୀର ଚାରିଦିଗର ସୁରକ୍ଷା ପାଇଁ ବିଭିନ୍ନ କୋଣରେ ଦେବୀଙ୍କ ମନ୍ଦିର ସ୍ଥାପନ କରାଯାଉଥିଲା। ସେହି ପରମ୍ପରା ଅନୁସାରେ ପାରଳାଖେମୁଣ୍ଡି ରାଜପରିବାରଙ୍କ ଶାସନ କାଳରେ ସହରର ଉତ୍ତର-ପୂର୍ବ କୋଣରେ ଦାଣ୍ଡୁମାରାମାଙ୍କ ମନ୍ଦିର ସ୍ଥାପନ ହୋଇଥିବା ବିଶ୍ବାସ କରାଯାଏ। ମନ୍ଦିରର ଅନ୍ୟତମ ବିଶେଷତ୍ଵ ହେଉଛି ମା’ଙ୍କ ପ୍ରତିମୂର୍ତ୍ତି ପଛପଟେ ଥିବା ଏକ ବିରାଟ ସାପବିଳା। ସେଠାରେ ପ୍ରାଚୀନ କାଳରୁ ଗୋଟିଏ ନାଗସାପ ରହିଆସିଥିବା ସ୍ଥାନୀୟ ଲୋକଙ୍କ ବିଶ୍ଵାସ ରହିଛି। ପ୍ରତିବର୍ଷ ଅଷ୍ଟମୀ ପୂଜା ସମୟରେ ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ନାଗସାପ ଦେଖାଯାଉଥିବା କୁହାଯାଏ। ଏହାକୁ ଦେଖିବା ପାଇଁ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସମାଗମ ହୋଇଥାଏ। ମନ୍ଦିର ବନ୍ଦ ହେବା ପରେ ନାଗସାପଟି ମା’ଙ୍କୁ ଜଗି ରହୁଥିବା ନେଇ ମଧ୍ୟ ଲୋକକଥା ପ୍ରଚଳିତ ଅଛି। ବର୍ତ୍ତମାନ ନବରାତ୍ରରେ ମା’ଙ୍କୁ ନିରାମିଷ ଭୋଗ ଅର୍ପଣ କରାଯାଉଛି। ଏବେ ଦାଣ୍ଡୁମାଳାସାହିର ବାସିନ୍ଦା ମନ୍ଦିର ପରିଚାଳନା କରୁଥିବାବେଳେ ପାରଳା ସହରବାସୀଙ୍କ ସହଯୋଗରେ ନବରାତ୍ର ପୂଜା ଅତ୍ୟନ୍ତ ଆଡମ୍ବରରେ ଓ ମହାସମାରୋହରେ ପାଳିତ ହୋଇଆସୁଛି । ପ୍ରତେକ ବର୍ଷ ମାତ୍ର 10 ଦିନ ପାଇଁ ଦର୍ଶନ ଦେଉଥିବା ମାଆଙ୍କୁ ଦର୍ଶନ କଲେ ସର୍ବମଙ୍ଗଳ ହେବାସହ ସମସ୍ତ ମାନସିକ ପୂରଣ ହେବବୋଲି ବହୁ ପ୍ରାଚୀନ କାଳରୁ ଲୋକଙ୍କ ଠାରେ ପ୍ରଗାଢ଼ ବିଶ୍ୱାସ ରହିଆସିଛି ।