ବାଲ୍ୟ ବିବାହ ବିରୋଧରେ ନୀଳଗିରିରେ ଉଠିଲା ଜନଜାଗରଣର ମହାସ୍ୱର

•୫୨ ଗ୍ରାମରୁ ୧୦୫୦ ଜଣଙ୍କ ସାମିଲ, ସାମୂହିକ ସଂକଳ୍ପ ସହ ମହମବତୀ ଶୋଭାଯାତ୍ରା

0
ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାକୁ ମୂଳପୋଛ କରିବା ଲକ୍ଷ୍ୟରେ ନୀଳଗିରିର ଆଦିବାସୀ ବହୁଳ ଅଞ୍ଚଳ ଅଯୋଧ୍ୟାରେ ବ୍ୟାପକ ଜନଜାଗରଣ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବାଲ୍ୟ ବିବାହ ନିରୋଧ ଦିବସ ଉପଲକ୍ଷେ ଗତ ୨୬ ତାରିଖରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସଚେତନତା କର୍ମଶାଳାରେ ୫୨ଟି ଗ୍ରାମରୁ ୧୦୫୦ ଜଣ ମହିଳା, ପୁରୁଷ, କିଶୋରୀ ଓ ଯୁକ୍ତ ଦୁଇ ଛାତ୍ରୀ ଯୋଗଦେଇ ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇଥିଲେ। ଏହି କୁପ୍ରଥାକୁ ସମାଜରୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ସମସ୍ତେ ସାମୂହିକ ସଂକଳ୍ପ ମଧ୍ୟ ନେଇଥିଲେ।
ଅଯୋଧ୍ୟାଠାରେ ଆୟୋଜିତ କର୍ମଶାଳାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଜିଲ୍ଲା ବାଲ୍ୟ ବିବାହ ନୋଡାଲ ଅଫିସର ତଥା ଶିଶୁ ପ୍ରକଳ୍ପ ଅଧିକାରିଣୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ ବାଲ୍ୟ ବିବାହ ରୋକିବାରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି କୁପ୍ରଥାର ନିରାକରଣ ପାଇଁ ପରିବାର, ସମାଜ ଓ ପ୍ରଶାସନର ମିଳିତ ସହଯୋଗ ଅପରିହାର୍ଯ୍ୟ ବୋଲି ସେ ମତ ରଖିଥିଲେ।
ଅନ୍ୟତମ ଅତିଥି ଭାବେ ନୀଳଗିରି ଥାନାର ମହିଳା ଓ ଶିଶୁ ବିଭାଗ ଅଧିକାରୀ ସୁମନ୍ତ କୁମାର ପାତ୍ର, ଅଯୋଧ୍ୟା ପଞ୍ଚାୟତର ସରପଞ୍ଚ ତାରିଣୀ ସିଂ, ମହିଳା ସୁପରଭାଇଜର ଜୟନ୍ତୀରାଣୀ ବେହେରା, ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରତୀକ୍ଷା ସିଂ, ସମ୍ପାଦିକା ସ୍ନେହାଞ୍ଜଳୀ ବାଗୁଡ଼ି ଏବଂ ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀର ମାଷ୍ଟର ବୁକ୍ କିପର ସେବାଶ୍ରୀ ବାରିକ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତର ଆଦିବାସୀ ଗ୍ରାମ ମୁଖିଆମାନେ ମଧ୍ୟ କର୍ମଶାଳାରେ ସାମିଲ ହୋଇଥିଲେ। ବାଲ୍ୟ ବିବାହ ନିରାକରଣ ପାଇଁ ଗ୍ରାମସ୍ତରରୁ ହିଁ ପ୍ରତିରୋଧ ଆରମ୍ଭ ହେବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ।
ବିଏଡିସି ସାମାଜିକ ସଂଗଠନର ସମ୍ପାଦକ ଗୋପାଳ କୃଷ୍ଣ କର ଉପସ୍ଥିତ ସମସ୍ତଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ। ଏହି ଅବସରରେ ସମାଜରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ସାମୂହିକ ନିଷ୍ପତ୍ତି ନିଆଯାଇଥିଲା।
କର୍ମଶାଳା ଶେଷ ହେବା ପରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ରଥ ସହ ମହମବତୀ ଶୋଭାଯାତ୍ରା ଓ ସଚେତନତା ରାଲି ଆୟୋଜିତ ହୋଇଥିଲା। ବିପୁଳ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଅଞ୍ଚଳରେ ବାଲ୍ୟ ବିବାହ ବିରୋଧୀ ଆନ୍ଦୋଳନକୁ ନୂଆ ଦିଗ ଦେଇଛି।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଦିବସ ପାଳନ ସହ ଏଭଳି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହୋଇଛି। ଜେଆରସିର ସକ୍ରିୟ ଉଦ୍ୟମ ଓ ନେତୃତ୍ୱ ଯୋଗୁଁ ନଭେମ୍ବର ୨୭ ତାରିଖକୁ ଅନ୍ତର୍ଜାତୀୟ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ଘୋଷଣା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ଓଡ଼ିଶା ଏବଂ ଦେଶର ବିଭିନ୍ନ ଜିଲ୍ଲାରେ ଏହି ଦିବସ ପାଳନ କରାଯାଇଥିବା ସୂଚନା ମିଳିଛି।
ବାଲ୍ୟ ବିବାହ ବିରୋଧରେ କେବଳ ଶପଥ ନୁହେଁ, ଗ୍ରାମେ ଗ୍ରାମେ ସଚେତନତା ଓ ସାମୂହିକ ପ୍ରତିରୋଧ ହିଁ ଏହି ଅଭିଯାନର ପ୍ରକୃତ ସଫଳତା ହେବ।
Leave A Reply

Your email address will not be published.